• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ଲାଗିରହିଛି ସସପେନ୍ସ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ବୋଲି ମହାରାଷ୍ଟ୍ର ବିଜେପିରେ ଚର୍ଚ୍ଚା ହେଉଛି । ମହାୟୁତିର ବିପୁଳ ବିଜୟ ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସାରା ଦେଶର ନଜର । ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟଭୁକ୍ତ ଏନସିପି ଏହି ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ କରିଛି । ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏକନାଥ ସିନ୍ଦେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରାର୍ଥନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ଶିବସେନାର ମହିଳାମାନେ । ପରୋକ୍ଷରେ ଏହା ଶିବସେନା ପକ୍ଷରୁ ବିଜେପି ଉପରେ ଚାପ ସୃଷ୍ଟି କରାଯାଉଥିବାର ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।

ସଂଖ୍ୟା ଗଣିତରେ କିଏ ଆଗରେ ? 

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଏନସିପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ତେବେ ବିଜେପି ବିଧାୟକ ଦଳର ନେତା କିଏ ହେବେ, ତାହା ସ୍ଥିର ହୋଇନାହିଁ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ନେତାଙ୍କୁ ବଛାଯିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ୧୩୨ ଆସନ ମିଳିଛି । ବିଜେପି ପ୍ରତି ୫ଜଣ ସ୍ୱାଧୀନ ଓ ଛୋଟ ଦଳର ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ୫୭ଜଣ ବିଧାୟକ ବିଜୟୀ ହୋଇଛନ୍ତି । ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଶିବସେନା ସହ ଅଛନ୍ତି । ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୪୧ଟି ଆସନରେ ଜିତିଛି । ସବୁଠୁ ଅଧିକ ଆସନ ପାଇଥିବା ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଖୋଲାଖୋଲି କହିଛନ୍ତି ଏନସିପି ନେତା ତଥା ମନ୍ତ୍ରୀ ଅନୀଲ ପାଟିଲ୍ ।

ଅଧିକ ପଢନ୍ତୁ: ଭାରତ ଇତିହାସରେ ପ୍ରଥମ, ସଂସଦରେ ନେହରୁ-ଗାନ୍ଧୀ ପରିବାରର ୩ ସଦସ୍ୟ 

ଏକନାଥଙ୍କ ପାଇଁ ଶିବସେନାର ଚାପ

ତେବେ ଶିବସେନା ନେତାମାନଙ୍କ କହିବା କଥା ହେଉଛି, ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଥିଲା ମହାୟୁତି । ସେ ୭୫ଟି ନିର୍ବାଚନ ରାଲିରେ ଭାଗ ନେଇଛନ୍ତି । କେହି ବି ନେତା ଏତେ ରାଲିରେ ଭାଗ ନେଇନାହାନ୍ତି । ମରାଠାୱାଡାର କେତେକ ଅଞ୍ଚଳକୁ ବିଜେପି ନେତାମାନେ ନିର୍ବାଚନ ପ୍ରଚାରରେ ଯାଇନଥିବା ବେଳେ ଏକନାଥ ଯାଇ ପ୍ରଚାର କରିଛନ୍ତି । ମହାୟୁତିକୁ ସଫଳତା ଦେଇଥିବା ଲଡକୀ ବେହେନ୍ ଯୋଜନା ଏକନାଥଙ୍କ ମାନସ ସନ୍ତାନ ଥିଲା ବୋଲି ଯୁକ୍ତି ଦର୍ଶାଉଛନ୍ତି ଶିବସେନା ନେତା । ଏପରିକି ବିହାରରେ ନୀତୀଶ କୁମାର କମ୍ ଆସନ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା କହୁଛନ୍ତି ଏହି ନେତାମାନେ । ଏଠି ବି ବିହାର ଫର୍ମୁଲା କାମ କରିବା ନେଇ ସେମାନେ ଆଶାବାଦୀ । ଏକନାଥ ମରାଠା ସଂପ୍ରଦାୟର । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଭଲ ହେବ ବୋଲି ସେମାନେ କହୁଛନ୍ତି । ଶିବସେନା ସାଂସଦ ନରେଶ ମହସ୍କେ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ, ବିରୋଧୀ ଦଳ ବିଶେଷ କରି ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ବିଜେପି ବିରୋଧରେ ସବୁବେଳେ ଅଭିଯୋଗ କରିଆସୁଛନ୍ତି । ବିଜେପିର ସ୍ୱାର୍ଥସାଧନ ହୋଇଗଲା ପରେ ସେ ମେଣ୍ଟ ଦଳଗୁଡିକୁ ଗୁରୁତ୍ୱ ଦେଉନାହିଁ । ତେଣୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ ସେମାନେ ଆଉ ଏମିତି କହିବାକୁ ସୁଯୋଗ ପାଇବେନି ।

ରିପିଟ୍ ହେବନି ବିହାର ଫର୍ମୁଲା 

ଶିବସେନାର ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଧାୟକ ରାମ ସିନ୍ଦେ । ସେ କହିଛନ୍ତି, ବିହାର ଫର୍ମୁଲାର ପୁନରାବୃତ୍ତି ଏଠାରେ ହେବନାହିଁ । ଏହା କେବଳ ଥରେ ହୋଇଛି । ତେବେ ୩ ଦଳର ନେତା ବସି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ । 

ଅଧିକ ପଢନ୍ତୁ: ଝାଡଖଣ୍ଡରେ ହାରିଲେ ଓଡିଶା ନେତା, କାମ ଦେଲାନି ପ୍ରଚାର

OTV is now on Whatsapp

Join and get latest news update delivered to you via whatsapp

Join Now