• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆବାସ ହିତାଧିକାରୀ ଚୟନରେ ବ୍ୟାପକ ତ୍ରୁଟି । ସମ୍ଭାବ୍ୟ ତାଲିକାରେ ନାହିଁ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ । ଗାଁ ଗାଁରେ ବଢୁଛି କଳି, ହାତବାନ୍ଧି ବସିଛନ୍ତି ସରକାର । ଆବାସକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । କେନ୍ଦ୍ର ମଞ୍ଜୁର କରିଥିବା ସାଢେ ନଅ ଲକ୍ଷ ଘର ଆବଣ୍ଟନକୁ ନେଇ ଚାଲିଛି ରାଜ୍ୟ ସରକାରଙ୍କ ପ୍ରକ୍ରିୟା । ତେବେ ଚିଠା ତାଲିକା ଝୁଲିବା ଦିନଠାରୁ ହିତାଧିକାରୀ ଚୟନକୁ ନେଇ ଦେଖାଦେଇଛି ବିବାଦ । ତା ସହିତ ତେଜିଛି ରାଜନୀତି ।

ପିଏମ୍ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛି ବିଜେପି । ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ପିଏମ୍ ଆବାସ ଯୋଜନାରେ ହେଉଥିବା ଚଂଚକତା ବିରୋଧରେ ବଡ଼ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି । ଚିଠା ତାଲିକା ନେଇ ଆପତ୍ତି ଅଭିଯୋଗ ଦାଖଲ ସମୟସୀମା ଆସନ୍ତାକାଲି ପୁରୁଛି ।

ଅଧିକ ପଢ଼ନ୍ତୁ: ଆବାସ ହିତାଧିକାରୀ ଚୟନ ତ୍ରୁଟି : ଗାଁ ଗାଁରେ ଗଣ୍ଡଗୋଳିଆ ସ୍ଥିତି

୨୫ ତାରିଖରେ ପ୍ରତି ବ୍ଲକରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚେତାବନୀ ପତ୍ର ପଠାଯିବ । ଆଉ ୩୧ ତାରିଖରେ ପ୍ରତି ବ୍ଲକ ଘେରାଉ କରିବ ବିଜେପି । ଏହାବ୍ୟତୀତ ଆବାସ ତାଲିକାରେ ବହୁ ଅଯୋଗ୍ୟଙ୍କ ନାଁ ଥିବାରୁ ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ଅଭିଯୋଗ କରିବ ଦଳ । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବ । ଚାଳରୁ ଚାଉଳ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ପ୍ରଦାନ କରୁଥିବାରୁ ସେଥିରୁ ଫୁଲ୍ ମାଇଲେଜ୍ ନେବା ମୁଡ୍‌ରେ ରହିଛି ରାଜ୍ୟ ବିଜେପି । ସେପଟେ ବିଜେଡି ପାଲଟା ଦୋଷ ଲଦି କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ।

ଆବାସ ଯୋଜନା ଆବଣ୍ଟନ ନେଇ ୧୬ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୋଗ ଦାଖଲର ଶେଷ ଦିନ । ହେଲେ ଅଧିକାଂଶ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଅଭିଯୋଗ ଦାଖଲ ପାଇଁ ଆସୁନଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ର ପୁଇଁତଳା ପଂଚାୟତ ଟେବୁଲ୍ ଉପରେ ରଖାଯାଇଛି ଅଭିଯୋଗ ବାକ୍ସ । ସେଥିରେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ବି ଲଗାଯାଇଛି । ହେଲେ ଅଭିଯୋଗ କରିବା ପାଇଁ କେହି ଆସୁନାହାନ୍ତି । କିଛି ସ୍ଥାନରେ ଅଭିଯୋଗ ବାକ୍ସ ଥିବା ସ୍ଥାନରେ ତାଲା ପଡିଛି । ତେଣୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଫେରି ଯାଉଛନ୍ତି ।

ତେବେ କିଛି କିଛି ସ୍ଥାନରେ ଅଭିଯୋଗ ଦାଖଲ ହେଉଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଅଭିଯୋଗ ଦାଖଲ ସମୟସୀମା ବଢାଇବାକୁ ବିଭିନ୍ନ ସ୍ଥାନରେ ଦାବି ହୋଇଛି । ଅନ୍ୟପକ୍ଷରେ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି ଯଦି କିଏ ଅଭିଯୋଗ କରିବାକୁ ଡରୁଥାନ୍ତି, ସେ ଇମେଲ୍ ଓ ଫୋନ୍ ଜରିଆରେ ଅଭିଯୋଗ କରିପାରିବେ । ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହ ଚାଲିଥିବା ସେ କହିଛନ୍ତି । 

ଗୋଟିଏ ପଟେ ମୋଦି ସରକାର ମାଗଣା ଚାଉଳ ଦେଉଥିବାରୁ ଆଗକୁ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ସେଣ୍ଟର ଓ ଗାଁ ଗାଁରେ ମୋଦି ଙ୍କୁ ଧନ୍ୟବାଦ ଦେଇ ଲାଗିବ ପୋଷ୍ଟର, ବ୍ୟାନର୍ । ଅନ୍ୟପଟେ ଆବାସ ପାଇଁ ମୋଦିଙ୍କୁ ସବୁଠି ଧନ୍ୟବାଦ ଦେବାକୁ ବିଜେପି ରଣନୀତି କରିଛି । ଏଥିରୁ କାହାକୁ କେତେ ମାଇଲେଜ୍ ମିଳୁଛି ତାହା ଆଗାମୀ ସମୟରେ ଜଣାପଡ଼ିବ ।