• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷରେ ଘୋଷଣା ହେଲା ବିଜେଡିର ଧାମନଗର ଯୋଦ୍ଧା । ଉପନିର୍ବାଚନ ପାଇଁ ଦଳ ପୁଣି ଥରେ ଖେଳିଛି ସରପ୍ରାଇଜ୍ କାର୍ଡ । ଚର୍ଚ୍ଚା ହେଉଥିବା ନାଁକୁ ବାଦ୍ ଦେଇ ନୂଆ ଚେହେରା ଭାବେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅବନ୍ତୀ ଏବେ ତିହିଡ଼ି ବ୍ଳକ୍‌ର ଅଧ୍ୟକ୍ଷା ଅଛନ୍ତି । ତେବେ ଟିକଟ ଘୋଷଣା ପୂର୍ବରୁ ଶଙ୍ଖ ଶିବିରରେ ଆଜି ଦିନ ତମାମ ହୋଇଥିଲା କସରତ । ଆଉ ସଂଧ୍ୟାରେ ଅବନ୍ତୀଙ୍କ ନାଁରେ ମୋହର ମାରିଛି ଦଳ ।

ଏହା ପୂର୍ବରୁ ଆଜି କଂଗ୍ରେସ୍ ବି ନିଜ ପ୍ରାର୍ଥୀ ଘୋଷଣା କରିଥିଲା । ଧାମନଗର କଂଗ୍ରେସ୍ ଏସ୍‌ସି ସେଲ୍‌ର ସଭାପତି ତଥା ଆଇନଜୀବୀ ବାବା ହରେକୃଷ୍ଣ ସେଠୀଙ୍କ ନାଁରେ ମୋହର ମାରିଛି ଦଳ । ଟିକଟ୍ ପାଇବା ପରେ ହରେକୃଷ୍ଣଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେପଟେ ସବୁ ଦଳର ପ୍ରାର୍ଥୀ ଘୋଷଣା ପରେ ଏଠାରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଅବନ୍ତୀ ଓ କଂଗ୍ରେସ୍ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ: ବଦଳିଯିବ କି ଧାମନଗର ରାଜନୀତିର ଚିତ୍ର ?

ପ୍ରାର୍ଥୀ ଚୂଡ଼ାନ୍ତ ସହିତ ସବୁ ଦଳ ଧାମନଗର ଗଡ଼ ହାତେଇବା ଲାଗି ସମର ସଜ୍ଜାରେ ମାତିଛନ୍ତି । ବିଜେଡିର କୋର୍ଡିନେଟର ଭାବେ ତିହିଡ଼ି ବ୍ଳକ୍ ଦାୟିତ୍ୱରେ ରହିବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବିଷ୍ଣୁବ୍ରତ ରାଉତରାୟ । ଧାମନଗର ବ୍ଳକ୍ ଦାୟିତ୍ୱରେ ରହିବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ସାଂସଦ ସୁଲତା ଦେଓ, ଅଶୋକ ବଳ, ସୁନନ୍ଦା ଦାସ, ଅମର ଶତପଥୀ, ସଂଜୀବ ମଲ୍ଲିକ, ପର୍ଶୁୁରାମ ଧଡା ପ୍ରମୁଖ । ସେପଟେ ଧାମନଗର ଏନ୍ଏସିରେ ବରିଷ୍ଠ ବିଧାୟକ ପ୍ରଫୁଲ ମଲ୍ଲିକ ଦାୟିତ୍ୱରେ ରହିବେ ।

ଅନ୍ରପଟେ ବିଜେପି ଏହି ଉପନିର୍ବାଚନ ଲାଗି ବରିଷ୍ଠ ନେତା ମନମୋହନ ସାମଲ, ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖଙ୍କୁ ଦାୟିତ୍ୱ ଦେଇଛି । ଦଳର ବିଧାୟକମାନଙ୍କୁ ବିଭିନ୍ନ ବ୍ଲକ ଓ ଜୋନ୍ ବଣ୍ଟା ଯାଇଛି । ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନେ ଆସି କ୍ୟାଂପେନ୍‌କୁ ଜୋରଦାର କରିବେ । ଅନ୍ୟ ନେତାମାନେ ବୁଥ୍ ଓ ପଂଚାୟତସ୍ତରରେ ଦାୟିତ୍ୱରେ ରହିବେ । ସେପଟେ କଂଗ୍ରେସ ମଧ୍ୟ ପ୍ରତିପକ୍ଷଙ୍କୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ବିଧାୟକ । ତିନିଟି ପଂଚାୟତ କଥା ବୁଝିବେ ଜଣେ ଲେଖାଏଁ ବରିଷ୍ଠ ନେତା ।

ଭୋଟ୍ ପାଇଁ ହାତରେ ଖୁବ୍ କମ୍ ଦିନ ଥିବାରୁ ଶୀଘ୍ର ତିନି ଦଳର ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ ପଇବ । ତାପରେ ସରଗରମ ହେବ ଧାମନଗର ରାଜନୀତି ।