• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦିବଙ୍ଗଦ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଆସନ ଖାଲି ପଡ଼ିଛି । ତେବେ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ହିଁ ପଦ୍ମରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା । ଅନ୍ୟପଟେ ଅନୁକମ୍ପା ମୂଳକ ଭୋଟ୍ ଓ ସଙ୍ଗଠନ ଆଧାରରେ ଦଳ ନିର୍ବାଚନ ଲଢିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।

ସେପଟେ ଧାମାନଗର ଉପନିର୍ବାଚନ ପାଇଁ ଛିଣ୍ଡୁନି ବିଜେଡର ଅଙ୍କ । ପ୍ରାର୍ଥୀ ଚୟନ ନେଇ ଚାଲିଛି ଟଣାଓଟରା । ଗୋଷ୍ଠୀ କନ୍ଦଳକୁ ସହ୍ୟ କରାଯିବନି ବୋଲି ସ୍ଥାନୀୟ ନେତାଙ୍କୁ ଡାକି ଚେତାଇ ଦେଇଛନ୍ତି ବିଜେଡି ହାଇକମାଣ୍ଡ ।  ଅନ୍ୟପକ୍ଷରେ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ଫିଡ୍ ବ୍ୟାକ୍‌କୁ ଅପେକ୍ଷା କରିଛି କଂଗ୍ରେସ । ସେମାନଙ୍କ ମତାମତ ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ ।

ଅନ୍ୟପକ୍ଷରେ ସେପ୍ଟେମ୍ବର ୭ରେ ବିଧିବଦ୍ଧ ଭାବେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାତ ତାରିଖରୁ ୧୪ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରି ହେବ । ୨ ଲକ୍ଷ ୩୮ ହଜାର ଭୋଟର ଭୋଟ ଦେବେ । ଯେଉଁଥିରେ ୧ ଲକ୍ଷ ୨୩ ହଜାର ପୁରୁଷ ଓ ୧ ଲକ୍ଷ ୧୫ ହଜାର ମହିଳା ରହିଛନ୍ତି । ଧାମନଗରରେ ୨୫୨ଟି ବୁଥ୍ ରହିଛି । ୫୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ ହେବ  ।

୨୦୦୦  ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପିର ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗରରେ ପୁଣି ପଦ୍ମ ଫୁଟାଇଥିଲେ ।

ଧାମନଗର ବ୍ଲକର ୩୧, ତିହିଡିର ୧୩ ଓ ନବଗଠିତ ଧାମନଗର ଏନଏସିରେ ୧୧ଟି ଓ୍ୱାର୍ଡକୁ ନେଇ ଧାମନଗର ବିଧାନସଭା ଆସନ । ୨୦୧୯ରେ ଏଠାରେ ବିଜେପି ବାଜି ମାରିଥିବା ବେଳେ ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିତୁ ସଫଳତା ମିଳିଥିଲା । ତେଣୁ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।