Advertisment

ସରିଛି ଟ୍ରାଏଲ ରନ୍, ୧୮ରେ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।

ଅଦ୍ୟତନ ହୋଇଛି
Vande Bharat Express From 18th May

Vande Bharat Express From 18th May

Advertisment

ଦୁଇ ଦିନ ପରେ ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ସେମି ହାଇସ୍ପିଡ୍ ଟ୍ରେନ୍ । ଆସନ୍ତା ୧୮ ରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଖାସ୍ ସେଥିଲାଗି ପୁରୀ ରେଳ ଷ୍ଟେସନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଷ୍ଟେସନ୍‌କୁ ସଜା ଯାଉଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ।  ଖୋର୍ଦ୍ଧା ରୋଡ୍, କଟକଭୁବନେଶ୍ୱର,ଯାଜପୁର ରୋଡ୍, ଭଦ୍ରକବାଲେଶ୍ୱର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ। ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ନେଇ ଯାତ୍ରୀ ବେଶ ଉତ୍ସାହୀ ଥିବା ବେଳେ ଏହା ଲୋକଙ୍କ ଯାତ୍ରା ସମୟକୁ ଢେର କମାଇବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍ । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ଫଳରେ ହାୱଡାରୁ ପୁରୀ ଯାତ୍ରା ସମୟ ୨ ଘଣ୍ଟା କମିଯିବ। ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍। ପ୍ରତି କୋଚ୍‌ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ।

Advertisment

ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବା ବେଳେ ଏକ୍‌ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି । ତାସହିତ ଟ୍ରେନ୍‌ରେ ରହିଛି ବାୟୋ ଭାକ୍ୟୁମ୍ ଟଏଲେଟ୍ । ବନ୍ଦେ ଭାରତ ଏକ୍ସପ୍ରେସର ଜନକ ସୁଧାଂଶୁ ମଣି ଓଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଏହି ଟ୍ରେନ୍‌ର ଅନେକ ନୂଆ ବୈଶିଷ୍ଟ୍ୟ ରହିଛି । ଏହା ବିକଶିତ ଭାରତର ପ୍ରତୀକ।

ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି । ଏବେ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ ସିଗ୍ନାଲକୁ ।

Advertisment

Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ