• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ନଭେମ୍ବରରେ ରାଜ୍ୟ ରାଜଧାନୀରେ ବସିଥିଲା ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି। ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ସର୍ବଭାରତୀୟ ଡିଜିପି ସମ୍ମିଳନୀକୁ ଉଦଘାଟନ କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ। ୩ ଦିନ ଧରି ଦେଶ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସବୁ
ରାଜ୍ୟର ପୋଲିସ ଡିଜିଙ୍କ ସହ ମାନସ ମନ୍ଥନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NSA ଅଜିତ ଡୋଭାଲ। ଫୋକସରେ ଥିଲା ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା, ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା ଓ ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ପ୍ରସଙ୍ଗ।

ସୁଭଦ୍ରା ଯୋଜନାର ଶୁଭାରମ୍ଭ

ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିଲେ ବିଜେପି ସରକାର। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଭୁବନେଶ୍ବର ଜନତା ମୈଦାନରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହିଳା
ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ବାବଦରେ ପଠାଯାଇଥିଲା ୫ ହଜାର ଟଙ୍କା। ଗଞ୍ଜାମ ଚିକିଟି ମଦମୃତ୍ୟୁ ଦୋହଲାଇ ଦେଇଥିଲା ସାରା ରାଜ୍ୟକୁ। ବିଷାକ୍ତ ମଦର ବିଭୀଷିକାରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଥିଲେ। ମଦମୃତ୍ୟୁକୁ ନେଇ
ବିଧାନସଭାରେ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ। ୩ ଅବକାରୀ ବାବୁଙ୍କ ବିରୋଧରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ, RDC ସ୍ତରୀୟ ତଦନ୍ତ ବି ହୋଇଥିଲା।

ଜୀବନ ନେଇଥିଲା ଆମ୍ବକୋଇଲି ଜାଉ

ରାୟଗଡ଼ା କାଶୀପୁର ଇଲାକାରେ ଘାତକ ସାଜିଥିଲା ଡିପଥେରିଆ ରୋଗ। ୧୦ ଦିନରେ ପାଞ୍ଚ ପାଞ୍ଚ ଜଣ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ଜୀବନ ନେଇଗଲା ଆମ୍ବକୋଇଲି ଜାଉ। କନ୍ଧମାଳ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ କୋଇଲି ଜାଉ ଖାଇ ୩ ଜଣଙ୍କ ଜୀବନ ଯାଇଥିଲା। ଘଟଣାର RDC ସ୍ତରୀୟ ତଦନ୍ତ ହୋଇଥିଲା।

ବଦଳିଥିଲେ ଡିଜିପି

୧୯୯୦ ବ୍ୟାଚର ଆଇଏଏସ୍ ମନୋଜ ଆହୁଜାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଇ ଆଣି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଛି।ସେହିପରି ରାଜ୍ୟକୁ ମିଳିଛି ନୂଆ ପୋଲିସ ମୁଖିଆ। 1990 ବ୍ୟାଚର ଆଇପିଏସ୍ ଅଫିସର ୱାଇ.ବି. ଖୁରାନିଆ ହୋଇଛନ୍ତି ପୋଲିସ ଡିଜି। ଡିଜି ଥିବା ଅରୁଣ ଷଡଙ୍ଗୀଙ୍କୁ କରାଯାଇଛି ଲୋକସେବା ଆୟୋଗର ଅଧ୍ୟକ୍ଷ । ସେପଟେ ରାଜଧାନୀର କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ସସପେଣ୍ଡ ହୋଇଥିଲେ ବରିଷ୍ଠ ଆଇପିଏସ୍ ରାଜେଶ ପଣ୍ଡିତ। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର ଏବଂ ପଦ ମର୍ଯ୍ୟାଦାର ସମ୍ମାନହାନି ଅଭିଯୋଗ ସହ ଡିଜିପିଙ୍କ ରିପୋର୍ଟ ଆଧାରରେ ତତକାଳୀନ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କୁ ତ୍ବରିତ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ବିବାଦୀୟ ଆଇପିଏସ୍ ଅଧିକାରୀ ଡି ଏସ କୁଟ୍ଟେ ଓ ଆଶିଷ ସିଂହଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ଦିଆଯାଇଛି।

ଅଧିକ ପଢନ୍ତୁ: ରାତି ପାହିଲେ ନବବର୍ଷ, ପାର୍ଟି ମୁଡ୍‌ରେ ଟୁଇନ୍ ସିଟି

ମାହାଲ ମାଣ୍ଡା ଚର୍ଚ୍ଚା

ବହୁ ବାଦ ବିବାଦରେ ଛନ୍ଦି ହୋଇପଡିଥିଲା ଏବର୍ଷ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ଇ-ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା ଏବଂ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ ଲେଖାଯାଇଥିଲା। ଏଭଳି ଅଜବ ନାଁକୁ ନେଇ ଖପ୍ପା ହୋଇଥିଲେ ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବାଦେଖିବାକୁ ମିଳିଥିଲା ।..ସାଇବର୍ କାଫେରେ OSSSC ଦ୍ବାରା ପରିଚାଳିତ RI, ଅମିନ ପରୀକ୍ଷା ଆୟୋଜନକୁ ନେଇ ଦେଖାଦେଇଥିଲା ବିବାଦ। ପୂର୍ବରୁ ପେପର୍ ଲିକ୍ ମାମଲାରେ ବ୍ଳାକ୍ ଲିଷ୍ଟେଡ୍ ହୋଇଥିବା ତାମିଲନାଡୁର SIFY ସଂସ୍ଥାକୁ ସରକାରୀ ପରୀକ୍ଷା ପରିଚାଳନା ଦାୟିତ୍ବଦିଆଯିବା ପଛରେ ବଡ଼ କେଳେଙ୍କାରୀ ଅଭିଯୋଗ ହୋଇଥିଲା। ..ସେପଟେ ରେଭେନସାର ନାମ ପରିବର୍ତ୍ତନ ପ୍ରସ୍ତାବ ନେଇ ତେଜିଥିଲା ରାଜନୀତି। ବିଧାନସଭା ବି କମ୍ପିଥିଲା। ବାତ୍ୟା ପ୍ରବଣ ଓଡ଼ିଶାକୁ ଯେପରି ଏ ବର୍ଷ ବି ଭୁଲିନଥିଲା ସାଇକ୍ଲୋନ୍। ଅକ୍ଟୋବର ୨୪ରେ ଭିତରକନିକା ନିକଟ ହବାଳିଖଟିରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା ଦାନା। ରଚିଥିଲା ତାଣ୍ଡବ। ତେବେ ସରକାରଙ୍କ ଆଗୁଆ ପଦକ୍ଷେପ ଓ ଜିରୋ କାଜୁଆଲଟି ମିଶନ ପାଇଁ ଜୀବନ ହାନି ହୋଇନଥିଲା।

ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି

ଫେବ୍ରୁଆରୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ରଘୁବର ଦାସ। ଭୁବନେଶ୍ବରରେ ୩ ଦିନ ବ୍ୟାପୀ ହୋଇଥିଲା ପ୍ରଥମ ବିଶ୍ବ ଓଡ଼ିଶା ଭାଷା ସମ୍ମିଳନୀ। ଜନତା ମଇଦାନରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ୪ଟି ଦେଶର ଭାଷାବିତଙ୍କ ସମେତ ଓଡ଼ିଆକୁ ଭଲ ପାଉଥିବା ଲେଖକ, କବି ଓ ସାହିତ୍ୟିକ।

ଅଧିକ ପଢନ୍ତୁ: ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

OTV is now on Whatsapp

Join and get latest news update delivered to you via whatsapp

Join Now