ଜମୁଛି କଟକ ବାଲିଯାତ୍ରା । ଯାତ୍ରା ବୁଲିବା ସହ ମହାନଦୀରେ ଜଳକ୍ରୀଡ଼ାର ମଜା ନିଆରା ଅନୁଭୂତି । ମହାନଦୀର ନୀଳ ଜଳରାଶିରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ନେଉଛନ୍ତି ଲୋକେ । ପରିବାର, ସଙ୍ଗସାଥୀଙ୍କ ସହ ସ୍ପିଡ୍ ବୋଟ, ସ୍ଲୋ ବୋଟ, ସହ ଜେଟ ସ୍କିର ଭରପୁର ଆନନ୍ଦ ନେଉଛନ୍ତି ମେଳା ବୁଲିବାକୁ ଆସୁଥିବା ଲୋକେ । ଏହାର ଦର ୧୫୦ ଟଙ୍କାରୁ ୩୫୦ ଟଙ୍କା ଯାଏ ରହିଛି । କଟକ ଇନ କଟକ ପଛପଟେ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶି ରେ ଜଳକ୍ରୀଡ଼ା ଆଉ ସଂଧ୍ୟାରେ ମେଳା ବୁଲାକୁ କେହିବି ହାତଛଡା କରିବାକୁ ଚାହୁଁ ନାହାଁନ୍ତି ।
ଗତ ୧୯ ତାରିଖରେ ବାଲିଯାତ୍ରାକୁ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଆସିଥିଲେ । ସୋନୁଙ୍କ କଣ୍ଠର ଯାଦୁରେ ଢୁମିଥିଲା ପୂରା କଟକ ସହର । ଦୁଲୁକିଥିଲା ବାଲିଯାତ୍ରା ପଡ଼ିଆ, ନାଚିଥିଲା କଟକ । ଏକାକାର ହୋଇଥିଲେ ପିଲାଙ୍କଠାରୁ ବୟସ୍କ । ବଲିଉଡ୍ ଏଭର ଗ୍ରୀନ, ସୁପର ଭର୍ସଟାଇଲ୍ ସିଙ୍ଗର ସୋନୁ ନିଗମଙ୍କ ଶୋ'ରେ ଝୁମିଥିଲେ ଲୋକେ । ବଲିଉଡ୍ର ଗୋଟେ ପରେ ଗୋଟେ ହିଟ୍ ଗୀତ ଯାହା ଆଜିର ଯୁବ ପିଢ଼ିଙ୍କ ପସନ୍ଦ ଯାହା ୮୦ ଆଉ ୯୦ ଦଶକର ଫେଭରେଟ ।
Also Read
ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ
କଟକ ବାଲିଯାତ୍ରାରେ ସବୁଠୁ ଅଧିକ ଗହଳି ଆଉ ସବୁଠୁ ଅଧିକ ପସନ୍ଦ ସୋନୁ ଶୋକୁ କରିଥିଲେ ଦର୍ଶକ । ଜଗନ୍ନାଥଙ୍କ ବନ୍ଦନା ହେଉ କି ପୁଚୁକି ଗାଲି ଓଡ଼ିଆ ଦର୍ଶକଙ୍କ ପାଇଁ ଓଡ଼ିଶା ପାଇଁ ସେଇ ପୁରୁଣା ସ୍ମୃତିକୁ ଭେଟି ଦେଇଛନ୍ତି ସୋନୁ ନିଗମ୍ । ଷ୍ଟେଜରେ ଚାଲିଥିଲା ଶୋ' ଆଉ ତଳେ ନାଚୁଥିଲେ ଲୋକେ । ଯେତେ ଦୂର ଯାଏଁ ଚାହିଁଲେ ସେତେ ଦୂର ଯାଏଁ ଭିଡ଼ ଜମିଥିଲା । କିଏ ନିଜ ପରିବାର ସହ ପୁଣି କିଛି ଅସୁସ୍ଥତା ସତ୍ତ୍ୱେ ନିଜ ପସନ୍ଦର ଗାୟକକୁ ପାଖରୁ ଦେଖିବାକୁ ଆସି ପହଂଚି ଥିଲେ ।
ସେପଟେ ପୁରା ବାଲିଯାତ୍ରାରେ ଯେତିକି ଭିଡ, ଅଧାରୁ ଅଧିକ ଲାଗିଛି ଦୋଳି ପାଖରେ । ସାଙ୍ଗ ସାଥୀଙ୍କ ସହ ଘେରାଏ ଘୁରି ଆସିବାକୁ ଲାଗିଛି ଲମ୍ବା ଲାଇନ୍ । ଇଏ ଏମିତି ସେମିତିକା ଦୋଳି ନୁହେଁ, ୟାର ନାଁ ସୁନାମି । ନାଁ ଯେତିକି ଭୟଙ୍କର, ତାଠୁ ଅଧିକ ଛାତି ଥରି ଉଠିବ ଏଥିରେ ବସିବା ବେଳେ । ଥରେ ଚକ୍କର କାଟିଦେଲେ, ଆସିଯିବ ସମୁଦ୍ରର ଅନୁଭବ । ଭୟ ଥିଲେ ବି ମଜା ଉଠାଇବାକୁ ଆଗଭର ଯୁବପିଢ଼ି ।
ଆକାଶ ଉଚ୍ଚର ଏହି ଦୋଳି ଯିଏ ଖେଳିଛି ସିଏ ଜାଣିଛି ଏହାର ମଜା କେତେ । ହେଲେ ଏଥିପାଇଁ ଦରକାର ସାହସ । ଚଳିତ ବର୍ଷ ବାଲିଯାତ୍ରାକୁ ଆସିଥିବା ଏହି ନୂଆ ଦୋଳି ହେଲା ସ୍କ୍ରିମ୍ ଟାୱାର । ଗାଜିଆବାଦର ଏକ କମ୍ପାନୀ ପ୍ରଥମଥର ପାଇଁ ଏହାକୁ ଲଂଚ୍ କରିଛି କଟକ ବାଲିଯାତ୍ରାରେ । ଏକାଥରକେ ୩୨ ଜଣ ଏହି ଦୋଳିର ମଜା ଉଠାଇପାରିବେ ।
ଇଏ ଆଉ ଏକ ଆମୋଦ ଦାୟକ ଦୋଳି ଫ୍ରିସ ବି । ଏଠି ଭୟ କମ୍, ରୋମାଂଚ ଅଧିକ । ବାଲିଯାତ୍ରାରେ ସ୍କ୍ରିମ ଟାୱାର ଦୋଳିର ଦାମ୍ ୨ଶହ ଟଙ୍କା ଥିବା ବେଳେ ଫ୍ରିସ ବି ଓ ସୁନାମୀ ପାଇଁ ଦେବାକୁ ପଡୁଛି ଶହେ ଟଙ୍କା । ଏଥର ବାଲିଯାତ୍ରାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଏସବୁ ନୂଆ ଦୋଳି ।