• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣଯାଜପୁରରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହିମାଂଶୁ କହିଛନ୍ତି, ଡିଡିଏମ୍ ଙ୍କ ଅଫିସକୁ ମିଟିଂ ପାଇଁ ଯିବା ସମୟରେ କିଛି ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ଗାଡ଼ି ସେଠାରେ ଅଟକିବାରୁ ତାଙ୍କୁ ଦେଖି ମାଡ଼ି ଆସିଥିଲେ କିଛି ଲୋକ । ସେମାନେ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ। ତାଙ୍କୁ ପିଟିବା ସହ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ ।

ତେବେ ଏହି ଆକ୍ରମଣ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, ମୋ ସହ ମୋ ପିଏସ୍‌ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । କିନ୍ତୁ କୌଣସି ପ୍ରକାରେ ପିଏସ୍‌ଓ ସେମାନଙ୍କ କବଳରୁ ଖସିଯାଇଥିଲେ । ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ ବୋଲି କହିଛନ୍ତି ଲିକୁ ସାହୁ ।

ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ; ‘ମୋତେ ପିଟିଲେ ଚେନ୍‌ ଝାମ୍ପିନେଲେ’

ସେ ଆହୁରି କହିଛନ୍ତି, ‘ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ ବୋଲି ଆକ୍ରମଣକାରୀ କହୁଥିଲେ। ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ । ଆକ୍ରମଣ ପରେ ପରେ ବବି ଦାସଙ୍କ ଭାଇ ଲଲ ଦାସ ଫୋନ୍‌ କରିଥିଲେ । ଯାହା ହେଲା ହେଲା, କଂପ୍ରୋମାଇଜ୍‌ କରିଦିଅ କହିଥିଲେ ବୋଲି ଓଟିଭିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ।

ଅଧିକ ପଢ଼ନ୍ତୁ:୨ ମାସ ବିତିଲା, ତଥାପି ଗଢ଼ା ହୋଇନି ଶ୍ରୀମନ୍ଦିରର ନୂଆ ମ୍ୟାନେଜିଂ କମିଟି

ଏପଟେ ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରତିକ୍ରିୟାରେ ବବି କହିଛନ୍ତି, ସେ ଘଟଣାସ୍ଥଳରେ ନଥିଲେ । ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା । ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ଶୁଣିବାକୁ ପାଇଛି । କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି ବୋଲି କହିଛନ୍ତି ବବି । ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ କହିଛନ୍ତି, ଭାଇକୁ କହିଛି ଥାନାରେ ଯାଇ ବସିବାକୁ । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ । ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଛନ୍ତି, ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ । ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଛି । ତା’ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି । ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ତଥା ଲଲ ।

OTV is now on Whatsapp

Join and get latest news update delivered to you via whatsapp

Join Now