/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733155528.jpg)
ରେଡ୍ ଭୟରେ ଖସିଲା ଆଳୁ ଦର
ବଜାରରେ ଆଳୁ ୪୦ ଟପିଲେ ଆକ୍ସନ । ୫୦ ଟଙ୍କାରେ ବିକ୍ରି ହେଉଥିବା ଶୁଣି ଆଜି ଯୋଗାଣ ବିଭାଗ ପକ୍ଷରୁ କଟକ- ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ରେଡ୍। ଅସାଧୁ ବ୍ୟବସାୟୀଙ୍କୁ ସୋ-କଜ୍ ନୋଟିସ୍ ବି କରିଛି। ଏଣେ ୟୁପିରୁ ଆଳୁ ଟ୍ରକ୍ ପହଞ୍ଚିବା ପରେ ୪୦ରୁ ୪୫ ଟଙ୍କାକୁ ଖସିଛି ଦର। ସେପଟେ ବିଧାନସଭାରେ ବି ଦେଖିବାକୁ ମିଳିଥିଲା ଆଳୁ ତାତି।
ସକାଳେ ୫୦ରୁ ଧାଗ୍ ଛାଡୁନଥିଲେ । ଦ୍ୱିପହରକୁ ଧାଏଁ କରି ୫ ଟଙ୍କା କମ୍ । ଇଏ ଯୋଗାଣ ବିଭାଗ ରେଡ୍ର ଇଫେକ୍ଟ । ରାଜ୍ୟର ଅନ୍ୟତମ ବଡ଼ ପରିବାମଣ୍ଡି କଟକ ଛତ୍ରବଜାରରେ ଆଜି ସକାଳେ ବେପାରି ଆଳୁ କିଲୋ ପିଛା ୫୦ଟଙ୍କା ଉପରେ ବିକୁଥିଲେ। ହେଲେ ଯେମିତି ଯୋଗାଣ ବିଭାଗ ଅଧିକାରୀଙ୍କ ଧରପଗଡ଼ ଆରମ୍ଭ ହୋଇଛି ସେମିତି ସୁନାପିଲା ଭଳି ରେଟ୍ ଖସେଇ କିଲୋ ୪୫ ଆଉ ଧଡ଼ାକୁ ଅର୍ଥାତ୍ ୩ କିଲୋକୁ ୧୩୦ ଟଙ୍କାରେ ବିକିଲେ ।
ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ଭଳି ରାଜଧାନୀର ବିଭିନ୍ନ ହାଟରେ ବି ହୋଇଛି ଯୋଗାଣ ବିଭାଗର ରେଡ୍ । ୪ନମ୍ବର ମାର୍କେଟ୍ରେ ସପ୍ଲାଏ ଡିପାର୍ଟମେଣ୍ଟ ଅଧିକାରୀ, ବିନା ରେଟ୍ ଫଳକରେ ୫୦ ଟଙ୍କାରେ ଆଳୁ ବିକୁଥିବା ମୁନାଫାଖୋର ବ୍ୟବୟାସୀଙ୍କୁ ଖୋଜି ଖୋଜି ସୋ-କଜ୍ ନୋଟିସ୍ ଦେଇଛନ୍ତି। ୟାକୁ ଦେଖି ବେପାରି ପୁରା ସାଇଜ୍, ସାଙ୍ଗେ ସାଙ୍ଗେ ଅବଛା ଆଳୁ କିଲୋ ୪୦ ଓ ବଛାବଛି କଲେ ୪୫ ଟଙ୍କାକୁ ଦର ଖସାଇ ଦେଇଛନ୍ତି ।
ଅଧିକ ପଢନ୍ତୁ:ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?
ସେପଟେ ସୂଚନା ଅନୁସାରେ ରାଜ୍ୟର ଆଳୁ ସଙ୍କଟ ଦୂର କରିବାକୁ ଆଜି ଭୁବନେଶ୍ୱରକୁ ୟୁପିରୁ ୧୨ ଟ୍ରକ୍ ଓ ପଶ୍ଚିମବଙ୍ଗରୁ ଚୋରାରେ ୩ରୁ ୪ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ସେମିତି କଟକକୁ ଆଜି ୪ ଗାଡ଼ି ଆଳୁ ପହଞ୍ଚିଥିବା ବେଳେ କେନ୍ଦୁଝରରେ ବି ଉତ୍ତର ପ୍ରଦେଶରୁ ଆଳୁ ଗାଡ଼ି ଆସି ପହଞ୍ଚିଛି। ଯାହା ଫଳରେ ଖୁବଶୀଘ୍ର ବଜାରରୁ ଆଳୁ ସଙ୍କଟ ଦୂର ହେବା ସମ୍ଭାବନା ସୃଷ୍ଟି ହୋଇଛି।
ଏଣେ ବିଧାନସଭାରେ ବି ଦେଖିବାକୁ ମିଳିଛି ଆଳୁ ତାତି। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିଜେଡି ଓ କଂଗ୍ରେସ। ପୋଷ୍ଟର ଦେଖାଇ ବିଜେଡି ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ, ସରକାର କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ବି ଟାର୍ଗେଟ୍ କରି ୩୦୦ ଟ୍ରକ ଆଳୁ କେତେଦିନ ଯିବ ବୋଲି ପ୍ରଶ୍ନ କରିଛନ୍ତି।
ଜବାବରେ ବିଜେପି କହିଛି-୨୪ ବର୍ଷ ଧରି ବିଜେଡି ସରକାର ପଶ୍ଚିମବଙ୍ଗ ପାଖେ ମୁଣ୍ଡ ନୁଆଇଁ ଆଳୁ ଆଣୁଥିଲେ, ହେଲେ ମୋହନ ସରକାର ଏବେ ୟୁପି ଓ ପଞ୍ଜାବରୁ ପର୍ଯ୍ୟାପ୍ତ ଆଳୁ ମଗାଇଛନ୍ତି।
ଗୋଟିଏ ପଟେ ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ୍ ଓଡ଼ିଶାକୁ ଛାଡୁନଥିବା ବେଳେ, ସେପଟେ ଶୀତଳଭଣ୍ଡାର ଓ ଚାଷୀଙ୍କ ପାଖରେ ଥିବା ଆଳୁ ପଚିବା ଆରମ୍ଭ କଲାଣି। ଏବେ ସେଠିକା ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ରଖିଛି। ଶୀଘ୍ର ମମତା ସରକାର ସମସ୍ୟା ସମାଧାନ ନକଲେ, ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ବି ଧମକ ଦେଲେଣି ସେଠିକାର ଆଳୁ ବ୍ୟବସାୟୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)