ଖାଲି ଦେଶର ନୁହେଁ, ପୂରା ବିଶ୍ୱର ନକ୍ସାରେ ଆଗକୁ ଆସିବ ଓଡ଼ିଶା । ଓଡ଼ିଶାର ଗୌରବକୁ ଦିଆଯାଉଛି ପ୍ରାଥମିକତା । ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ, ବିକାଶକୁ ମିଳିଛି ଗତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ବିଶାଳ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ, ଲୋକଙ୍କ ସହ ମିଶୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଂଶସା କରିଛନ୍ତି । ଏଥିସହ ବିରୋଧୀଙ୍କ ଉପରେ ସାଧିଛନ୍ତି କଡ଼ା ନିଶାନା । ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସବମୁଖର ଥିଲା ରାଜଧାନୀ, ଉତ୍ସାହିତ ଥିଲେ ଅଗଣିତ ମୋଦି ଫ୍ୟାନ୍ ।
ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍... ପାରମ୍ପରିକ ଲୋକନୃତ୍ୟରେ କମ୍ପୁଥିଲା ରାଜଧାନୀର ରାଜରାସ୍ତା । ଏଭଳି ମାହୋଲରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର । ନମୋଙ୍କ ଝଲକ ପାଇବା ମାତ୍ରେ ମୋଦି ମୋଦି ନାରାରେ କମ୍ପିଥିଲା ଏୟାରପୋର୍ଟ ନିକଟ ସଭାସ୍ଥଳ ।
ଜଗନ୍ନାଥଙ୍କ ମାଟିରେ ପାଦ ଦେଇ ସେଠାରେ ପ୍ରଥମେ ବିଶାଳ ଜନସମାବେଶକୁ ସମ୍ବୋଧନ କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଭିଭାଷଣରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଏଠାରେ ଆମର ସରକାର ନଥିଲା, ଯୋଜନାର ନାଁ ବଦଳାଇ ଦିଆଯାଉଥିଲା । ତଥାପି ଆମେ ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ ଲଗାତାର କାମ କରୁଥିଲୁ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଆମକୁ ହୃଦୟ ଖୋଲି ସମର୍ଥନ କଲେ ।
Also Read
ଅଧିକ ପଢ଼ନ୍ତୁ:ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି
ପୂର୍ବରୁ ମନ୍ତ୍ରିପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ ବୋଲି କହିବା ସହିତ, ଓଡ଼ିଶାକୁ ଗୁରୁତ୍ୱ ଓ ପ୍ରାଥମିକତା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । କହିଛନ୍ତି- ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି । ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ହେବାକୁ ଥିବା ବେଳେ, ଜାନୁଆରୀ ୮ରୁ ୧୦ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ଏହାଦ୍ୱାରା ପୂରା ଓଡ଼ିଶା ବିଶ୍ୱ ନଜରକୁ ଆସିବ ଏବଂ ଓଡ଼ିଶାର ପ୍ରଚାର ପ୍ରସାର ଓ ପର୍ଯ୍ୟଟନ ଶିଳ୍ପ ବଢ଼ିବ ।
ଏହି ସମ୍ମିଳନୀକୁ ଜି-ଟ୍ୱେଣ୍ଟି ସମ୍ମିଳନୀ ଠାରୁ ବି ଆହୁରି ଭବ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ, ବିକାଶର ଗତି ବଢ଼ିଛି ବୋଲି କହିଛନ୍ତି ପିଏମ୍ । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ମା ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଧାନ ଏମ୍ଏସ୍ପି ୩୧୦୦ ଟଙ୍କା ଦିଆଯାଉଛି । ଏହା ମୋଦି ଗ୍ୟାରେଣ୍ଟି ଥିଲା, ପୂରଣ କରିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅଭିଭାଷଣରେ ବିରୋଧୀଙ୍କ ଉପରେ ବି ପ୍ରବଳ ବର୍ଷିଛନ୍ତି ମୋଦି । ସେମାନଙ୍କ ଝୁଠ୍ କୀ ଦୁକାନ ଠାରୁ ଦେଶବାସୀଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଆଜିର ଦିନକୁ ଐତିହାସିକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଭାମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ୩ କେନ୍ଦ୍ରମନ୍ତ୍ରୀ ପ୍ରମୁଖ । ଜନତାଙ୍କୁ ଉଦବୋଧନ ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ମୁହାଁଇଥିଲା ରାଜଭବନ ଅଭିମୁଖେ ।