/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736259947.jpg)
Potato Price
ରାଜ୍ୟରେ ପୁଣି ଦେଖାଦେଇଛି ଆଳୁ ସଙ୍କଟ। ପଶ୍ଚିମବଙ୍ଗ ମମତା ସରକାରଙ୍କ ମନମାନି ଯୋଗୁଁ ଓଡ଼ିଶାରେ ଆଳୁ ଦର ଆକାଶଛୁଆଁ। ଉଭୟ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଗାଡ଼ି ଉପରେ ପରିବହନ ଶୁଳ୍କ ବୃଦ୍ଧି ପାଇବା ଯୋଗୁଁ ବଜାରରେ ଆଳୁ ଦାମ ୪୦ ତଳକୁ ଖସୁନି। ଗ୍ରାହକ ମହଙ୍ଗା ମାଡରେ ଛଟପଟ୍ ହେଉଥିବା ବେଳେ ପୂର୍ବ ସରକାରଙ୍କ ସବୁ ମିଶନ ଫେଲ୍ ଯୋଗୁ ଏଭଳି ଅବସ୍ଥା ଉପୁଜିଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।
ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି। ଆଳୁ ଅଧିକ ଉତ୍ପାଦନ ହେଉଥିବା ରାଜ୍ୟ ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ବର ହେଉ କି ବାଲେଶ୍ବର, ସେଠି ବି ନିୟନ୍ତ୍ରଣ ବାହାରେ ଦର। ଆଳୁ କିଲୋକୁ ୪୦ରୁ ୪୫ ଟଙ୍କା। କଟକ ଏବଂ ରାଜଧାନୀ ଭୁବନେଶ୍ବରରେ ବି ଦର ସମାନ। କିଛି ଦିନ ତଳେ ୩ କିଲୋକୁ ଶହେରେ କିଣୁଥିବା ଗ୍ରାହକ ଏବେ ଅଢେଇ କିଲୋ ବି ପାଉନି।
ଅଧିକ ପଢ଼ନ୍ତୁ: ବାଘ ପାଇଁ ରାଗିଗଲେ ଦିଦି ! କହିଲେ...
ଆକାଶଛୁଆଁ ଆଳୁ ଦର ପଛରେ ରହିଛି ପଶ୍ଚିମବଙ୍ଗର ମନମାନି। ବାରମ୍ବାର ସୀମାରେ ଅଟକାଇଦେଉଛି ଆଳୁ ଭର୍ତ୍ତି ଗାଡି। ଏବେ ଯେତିକି ଗାଡି ଆସୁଛି ତାହା ଲୁଚାଛପାରେ। ଫଳରେ ପରିବହନ ଶୁଳ୍କ ଅଧିକ ପଡୁଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଉପରେ ବି ପରିବହନ ଖର୍ଚ୍ଚ ଅଧିକ ପଡୁଥିବାରୁ ବଜାରରେ ମହଙ୍ଗା ହୋଇଛି ଆଳୁ। ୪ ଦିନ ତଳେ ୪୦ କେଜି ଆଳୁ ବସ୍ତା ୮ ଶହ ଟଙ୍କାରେ ମିଳୁଥିଲା, ଏବେ ହଠାତ୍ ତାହା ୧୨ଶହରୁ ୧୬ ଶହ ଟଙ୍କାରେ ପହଁଚିଛି।
ଆଳୁଦର ବୃଦ୍ଧି ପାଇଁ ସରକାରଙ୍କୁ ଦାୟୀ କରିଛି ବ୍ୟବସାୟୀ ମହାସଙ୍ଘ। କର୍ପୋରେଟ୍ ହାଉସ୍ ଆଳୁକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ମାର୍କେଟକୁ ନଚାଉଛନ୍ତି, ତେଣୁ ଏପରି ସମସ୍ୟା ଉପୁଜିଥିବା ସଂଘ କହିଛି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ୨୪ ବର୍ଷର ସରକାରଙ୍କ ସବୁ ମିଶନ ଫେଲ୍ ଯୋଗୁ ଆଜି ଏଭଳି ଅବସ୍ଥା। ଗତ ୬ମାସ ହେଲା ବଢିବାରେ ଲାଗିଛି ଆଳୁ ଦର। ୨୦ରୁ ଦର ୫୦ରେ ପହଁଚିଲାଣି। ଯାହାକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ଲାଗିରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)