ଆଉ ଦେଖା ଯିବେନି ନାଲି କଙ୍କଡ଼ା । ବେଳାଭୂମିରେ ଆଉ ଦିଶିବନି ନାଲି କଙ୍କଡ଼ା ଲୁଚକାଳି ଖେଳ । ବେଳାଭୂମିରେ ଅବାଧରେ ଯାନ ବାହାନ ଚଳାଚଳ ଏବଂ ସମୁଦ୍ର ପାଣିରେ ବର୍ଯ୍ୟବସ୍ତୁ ମିଶ୍ରଣ ସହ ପାଣି ପାଗର ପରିବର୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ନାଲି କଙ୍କଡାଙ୍କ ବିତରଣ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିଥାଏ । ଯାହା ପାଇଁ ସକାଳ ସନ୍ଧ୍ୟାରେ ସମୁଦ୍ର ବେଳଭୂମିରେ ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥାଏ । କିନ୍ତୁ ଅବାଧ ଯାନବାହାନ ଚଳାଚଳ ଏବଂ ସମୁଦ୍ର ପାଣିର ରାସାୟନିକ ପ୍ରକ୍ରିୟା ଯୋଗୁ ଏହି ପ୍ରଜାତି ଏବେ ଲୋପପାଇବାକୁ ବସିଛି ।
ବାଲେଶ୍ବର ଜିଲ୍ଲା ଭୋଗରାଇର ଉଦୟପୁର ଓ ତାଳସାରୀ ବେଳାଭୂମିର ଘଟଣା । ପାଖାପାଖି ୩ କିମି ଏହି ବେଳାଭୂମିର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ଥିବା ଘନ ଝାଉଁ ଜଙ୍ଗଲ ଏବଂ ବିସ୍ତିର୍ଣ୍ଣ ଚୋରା ବାଲି ଉପରେ ଚାଲେ ନାଲି କଙ୍କଡାଙ୍କ ଲୁଚକାଳି ଖେଳ । ଯାହାକୁ ଉପଭୋଗ କରିବା ପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ମାନେ ଛୁଟି ଆସିଥାନ୍ତି ।
Also Read
ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର
ସବୁଠାରୁ ବଡ କଥା ହେଉଛି ସମୁଦ୍ରରେ ଅଳିଆ ଆବର୍ଜନା ମିଶିବା ସହ ରାସାୟନିକ ମିଶ୍ରଣ ଫଳରେ ସମୁଦ୍ର ପାଣି ବିଷ ପାଲଟି ଯାଉଛି । ପାଣି ବିଷାକ୍ତ ହେବା ଯୋଗୁ ନାଲି କଙ୍କଡାଙ୍କ ମୃତ୍ୟୁ ଘଟୁଛି । ଆଉ ଏହି ସବୁ କାରଣ ପାଇଁ ନାଲି କଙ୍କଡାଙ୍କ ବଂଶ ଲୋପ ପାଇବାକୁ ବସିଛି ।
ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ନାଲି କଙ୍କଡା ଆକୃଷ୍ଟ କରିଥାଏ । ବେଳାଭୂମିର ଅପରିଷ୍କାର ପରିବେଶକୁ ଦୂରେଇବାରେ ମଧ୍ୟ ଥାଏ ଏମାନଙ୍କର ପ୍ରମୁଖ ଭୂମିକା । ପଚାଷଢ଼ା ମାଛ ଖାଇ ଏମାନେ ବେଳାଭୂମିକୁ ଦୁର୍ଗନ୍ଧରୁ ମୁକ୍ତ କରିଥାନ୍ତି । ତେବେ ଆଗାମୀ ଦିନରେ ନାଲି କଙ୍କଡାଙ୍କ ସୁରକ୍ଷା ପ୍ରତି ପ୍ରତି ଧ୍ୟାନ ଦେବାକୁ ଏଠାକାର ବାସିନ୍ଦା ଦାବି କରିଛନ୍ତି ।