ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଦୋଷ । ପୁଣି ଆଳୁ ଗେମ୍ ଖେଳିଲେ ମମତା । ଗତକାଲିଠୁ ଆଳୁ ପଠାଇବା ବନ୍ଦ କରିବା ପରେ ଓଡ଼ିଶା ହାଟ ବଜାରରେ ଆଳୁର ଅଭାବ ସ୍ଥିତି । ଏଭଳି ସ୍ଥିତିରେ ଖାଲି ଯେ ଆଳୁ ଟ୍ରକ୍ ଆସିବା କମିଛି ତା’ନୁହେଁ, ଦର୍ ବି ଉପରମୁହାଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ । ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।
ସୀମାରେ ଛକିଛି ପଶ୍ଚିମବଙ୍ଗ ପୋଲିସ...ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଚଳାଇଛି କଡ଼ା ପାଟ୍ରୋଲିଂ । ଲକ୍ଷ୍ମଣନାଥ ଟୋଲ ଗେଟରୁ ୨୫ କିଲୋମିଟର ଦୂର ବେଲଦାର । ଗତରାତିଠୁ ସେଠାରେ ଛିଡ଼ା ହୋଇଛି ଗଣ୍ଡା ଗଣ୍ଡା ଆଳୁ ଗାଡ଼ି । କାରଣ ମମତା ଦିଦିଙ୍କ କୁଆଡ଼େ କଡ଼ା ନିର୍ଦ୍ଦେଶ ରହିଛି । ଆଉ ଦିଦିଙ୍କ ନିର୍ଦ୍ଦେଶ ପରେ ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ପଠାଇବା ଉପରେ ଲାଗିଛି କଟକଣା ।
ବୁଧବାର ରାତିଠୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସବୁ ନାକା ଯାଞ୍ଚ କରାଯାଉଥିବା ବେଳେ ଶତାଧିକ ଆଳୁ ଭର୍ତ୍ତି ଟ୍ରକ୍ ବେଲଦା, ଦାନ୍ତୁନ, ସୋନାକୋଣିଆ ନାକାରେ ଅଟକି ରହିଛି । ଯାହାର ସିଧା ପ୍ରଭାବ ପଡ଼ିଛି, ଆମ ରାଜ୍ୟର ହାଟ ବଜାରରେ । ରାଜ୍ୟର ବୃହତ ପରିବା ମଣ୍ଡି କୁହାଯାଉଥିବା କଟକ ଛତ୍ରବଜାରରେ ମଧ୍ୟ ସମାନ ଅବସ୍ଥା । ଆଜି ପଶ୍ଚିମବଙ୍ଗରୁ ୪ଟି ଆଳୁ ଗାଡ଼ି ଆସିଛି । କାଲି କ’ଣ ହେବ ଜଣାନାହିଁ ।
Also Read
ଅଧିକ ପଢ଼ନ୍ତୁ: କାଲିଠାରୁ ଓଡ଼ିଶା ଗସ୍ତରେ ମୋଦି, ସ୍ୱାଗତ ପାଇଁ ସଜେଇ ହୋଇଛି ରାଜଧାନୀ
ଦରବୃଦ୍ଧିର ଆଶଙ୍କା ଭିତରେ ଆଳୁ ଦୋକାନ ଆଗରେ ଜମିଲାଣି ଭିଡ଼ । କାରଣ ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ବିକ୍ରି ହେଉଛି ଆଳୁ । ଧଡ଼ା ଦାମ୍ ଶହେ ଟଙ୍କାରେ ପହଞ୍ଚିଛି । ବୁଧବାର ପଶ୍ଚିମବଙ୍ଗର ସଚିବାଳୟ-ନବାନ୍ନରେ ଗୁରୁତ୍ୱପୂର୍ଣ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଳୁ ସହ ପିଆଜର ଦର ବୃଦ୍ଧି ଉପରେ ଲଗାମ୍ କସିବାକୁ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ କଡ଼ା ଚେତାବନୀ ।
କହିଥିଲେ, ପ୍ରଥମେ ଆମ ଆବଶ୍ୟକତା ପୂରଣ ହେଉ, ତା’ପରେ ବ୍ୟବସାୟୀ ବିକ୍ରି କରନ୍ତୁ, କୌଣସି ଆପତ୍ତି ନାହିଁ । ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବ୍ୟବସାୟୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କରିଛି । ଅପରପକ୍ଷେ ପଡ଼ୋଶୀ ପଶ୍ଚିମବଙ୍ଗର ଆଳୁ ରପ୍ତାନୀ ବନ୍ଦ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼କୁ ଦୋଷ ଠେଲିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ନବୀନ-ମମତାଙ୍କ ଭାଇଭଉଣୀ ସଂପର୍କର ଅବତାରଣା କରି ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନି । ଭାଇ କହିଥିବେ ନଚେତ୍ ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନାହାନ୍ତି । କ’ଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରାଯିବ । ଏହାର ଜବାବ ରଖିଛି ବିଜେଡି ।