ସମ୍ବଲପୁରରୁ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ବୋଝେଇ ଟ୍ରକ ଜବତ l ଧନକଉଡ଼ା ବ୍ଲକ ସାତୁପାଲି ନିକଟରେ ଜବତ କରିଛି ଯୋଗାଣ ବିଭାଗ । ଘଟଣାସ୍ଥଳରେ ଗାଡ଼ି ଛାଡି ଡ୍ରାଇଭର ଫେରାର୍ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର WB33-B-0145 ନମ୍ବର ଥିବା ଧାନ ବୋଝେଇ ଟ୍ରକକୁ ଦେଖିଥିଲେ ସ୍ଥାନୀୟ ଚାଷୀ ।
ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ । ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଟ୍ରକରେ ୨ଶହ କ୍ୱିଣ୍ଟାଲରୁ ଅଧିକ ଧାନ ଥିବା ଆକଳନ କରାଯାଉଛି । ଧାନ ଓ ଟ୍ରକର ମାଲିକ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଅଞ୍ଚଳର ଜଣେ ବ୍ୟକ୍ତି ଦାବି କରୁଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ମୋହନ ସରକାରକୁ ପୁରିଲା ୬ ମାସ; ନବୀନ ସରକାରରେ ଦୁର୍ନୀତି-ଚାର୍ଜସିଟ ଉପରେ ଆକ୍ସନ କେବେ ?
ସେ ଗାଡ଼ି ଡକ୍ୟୁମେଣ୍ଟ ଦେଖାଇଥିଲେ ହେଁ ଧାନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନାହାନ୍ତି । ଯୋଗାଣ ବିଭାଗ ଧାନ ବୋଝେଇ ଟ୍ରକକୁ କର୍ଡୋଲା ପଞ୍ଚାୟତର ଏକ ରାଇସ୍ ମିଲରେ ରଖାଯାଇଛି । ପ୍ରଶ୍ନ ଉଠୁଛି ଅନ୍ୟ ରାଜ୍ୟର ପଞ୍ଜିକୃତ ଗାଡ଼ିରେ ଅନ୍ୟ ଜିଲ୍ଲାର ଧାନ କିପରି ସମ୍ବଲପୁର ଜିଲ୍ଲାର ରାଇସ ମିଲକୁ ଆସିଥିଲା ।
କାଗଜପତ୍ର ଜବତ କରି ଅଧିକ ଖୋଳତାଡ କରୁଛି ଯୋଗାଣ ବିଭାଗ । ତେବେ ଏନେଇ ଟ୍ରକ୍ ମାଲିକ କି ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଆଳୁ ସଙ୍କଟ ମନୁଷ୍ୟକୃତ! ଏଭଳି ବୟାନ ଦେଇ ଗତ କିଛିଦିନ ତଳେ ନବୀନଙ୍କୁ ଟାର୍ଗେଟ୍ କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏହି ବୟାନ ପରେ ପୁଣି ତେଜିଛି ଆଳୁ ରାଜନୀତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାରକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ ବୋଲି, ଏବେ ପୁଣି ରାଜି ହେଲେ କେମିତି? ମାର୍କେଟରେ ପରିମାଣ କମିଲେ ଦର ବଢ଼େ । ଏବେ ଦର ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ ବୋଲି କହିଥିଲେ ।
ପୂର୍ବରୁ ମଧ୍ୟ ଯୋଗାଣ ମନ୍ତ୍ରୀ ଭାଇ ନବୀନଙ୍କ ଇସାରାରେ ଦିଦି ଆଳୁ ଦେଉନଥିବା କହିଥିଲେ । ମାତ୍ର ବିଜେଡିର ମତ ହେଲା, ଅନ୍ୟ ରାଜ୍ୟ ସହିତ ଭଲ ସଂପର୍କ ରଖିବା ଦରକାର । ଯୋଗାଣ ମନ୍ତ୍ରୀ ଅନ୍ୟ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ପାରୁନାହାନ୍ତି । ଜାଣି ଶୁଣିକି ବଢ଼ାଉଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଯୁକ୍ତି ହେଲା ନିଜ ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ।