• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟର ୪୮ଟି ବନଖଣ୍ଡରେ ଚାଲିଥିବା ଶୀତକାଳୀନ ହାତୀ ଗଣନାର ଆଜି ତୃତୀୟ ତଥା ଶେଷଦିନ । ଏଥିପାଇଁ ପ୍ରଥମ ଥର ଲାଗି କେଉଁଠି ଡ୍ରୋନ୍ ବ୍ୟବହାର କରାଯାଇଛି ତ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ ମଞ୍ଚା ବାନ୍ଧି ଫଟୋ ଉଠାଯାଉଛି । ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଲିଛି ଗଣନା ।

ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ? ଆଜିକୁ ୩ ଦିନ ଧରି ଘଞ୍ଚ ଜଙ୍ଗଲରେ ପଶି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ହାତୀ ଗଣୁଛି ବନ ବିଭାଗ ଟିମ୍ । ରାତି ସମୟରେ ହାତୀ ଗଣିବାକୁ ଓ ସେମାନଙ୍କ ଗତିବିଧି ଜାଣିବାକୁ ପ୍ରଥମ ଥର ପାଇଁ ଥର୍ମାଲ୍ ଡ୍ରୋନର ବ୍ୟବହାର ହୋଇଛି ।

ଅଧିକ ପଢ଼ନ୍ତୁ: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍; କାଲି ଦିନକରେ ଯାଇଛି ୬ ଶିଶୁଙ୍କ ଜୀବନ

ଶୁକ୍ରବାର, ସନ୍ଧ୍ୟା ପ୍ରାୟ ୬ଟା । ଆମ ଟିମ୍ ପ୍ରଥମେ ବଡ଼ମ୍ବା ରେଞ୍ଜରେ ପହଞ୍ଚିଥିଲା । ବନ ବିଭାଗ ଟିମ୍ ସହ ଆମେ ବି ହଳଦିଆସେଣି ରିଜର୍ଭ ଫରେଷ୍ଟକୁ ମୁହାଁଇଥିଲୁ । କରଡାରୁ ଅନ୍ଧାର ଭିତରେ ଚାଲିଥିଲୁ । ଚାଲିବା ଭିତରେ ହାତୀ ଗଣନାର ବିଧି ବ୍ୟବସ୍ଥା ସଂପର୍କରେ ଆମକୁ ବୁଝାଉଥିଲେ ଜଣେ ବନ ଅଧିକାରୀ । ଏଭଳି ପ୍ରାୟ ୨ କିଲୋମିଟର ଚାଲିବା ପରେ ପହଞ୍ଚିଥିଲୁ ଏକ ମଞ୍ଚା ନିକଟରେ । ଯେଉଁ ମଞ୍ଚାରେ ବସିଥିଲେ ୩ ଜଣ ବନ କର୍ମଚାରୀ । କାହା ହାତରେ ଥିଲା ଟର୍ଚ୍ଚ, ତ ଆଉ କିଏ ଧରିଥିଲେ କ୍ୟାମେରା ସହ ବାଇନାକୁଲାର୍ ।

ଏଠାରେ କିଛି ସମୟର ରହଣୀ ପରେ ଖବର ପହଞ୍ଚିଲା, ତିଗିରିଆ ନିକଟ ରାସ୍ତା ପାର୍ଶ୍ବରେ ରହିଛନ୍ତି ୪ ଟିକିଆ ହାତୀ ପଲ । ସେଠାରେ ପହଞ୍ଚିଲାବେଳକୁ ଏକ ଦନ୍ତା ହାତୀ ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ ଓଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ପରେ ହାତୀପଲଙ୍କ ବାସ୍ତବ ସଂଖ୍ୟା ଜାଣିବା ପାଇଁ ବ୍ୟବହୃତ ଡ୍ରୋନରୁ ସ୍ପଷ୍ଟ ହୋଇଥିଲା ପଲରେ ଥିଲେ ୭ରୁ ୮ଟି ହାତୀ ।

ଅଧିକ ପଢ଼ନ୍ତୁ: କଟକ ବାଲିଯାତ୍ରା ପଡିଆରେ ସିନେମା ମଜା; ରଙ୍ଗୀନ ଆଲୁଅରେ ଚକ୍ ମକ୍ କରୁଛି କଳା ଧଳା ଚଳଚ୍ଚିତ୍ର

କେଉଁଠି ଅଗନା ଅଗନି ଜଙ୍ଗଲ ଭିତରେ ହାତୀଙ୍କ ଗତିବିଧି ସହ ଚିତ୍ର ଉତ୍ତୋଳନ କରୁଛି ହାଇ ରେଜୁଲୋସନ୍ ଡ୍ରୋନ୍ ତ ଆଉ କେଉଁଠି ମଞ୍ଚା ବାନ୍ଧି ଫଟୋ ଉଠାଉଛନ୍ତି ବନ କର୍ମଚାରୀ । ଆଜି ଅନ୍ତିମ ଦିନରେ ଆମେ ପହଞ୍ଚିଥିଲୁ ନରସିଂହପୁର-ପୂର୍ବ ବନାଞ୍ଚଳରେ । ବନ ବିଭାଗ ଏବର୍ଷ ପ୍ରଥମ ଥର ପାଇଁ ଶୀତକାଳୀନ ହାତୀ ଗଣନା କରୁଛି । ଗତ ୧୪ ତାରିଖରୁ ଚନ୍ଦକା, ହୀରାକୁଦ, ସାତକୋଶିଆ, ଶିମିଳିପାଳ ଭଳି ୪୮ଟି ବନଖଣ୍ଡରେ ହାତୀ ଗଣାଯାଉଛି। ଏଥିପାଇଁ ୧୯ ଶହ ୟୁନିଟ ଏବଂ ୫ ହଜାର ୭୦୦ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି । ତା’ସହ ତିଆରି ହୋଇଛି ୧୩ ଶହ ୭୦ ମଞ୍ଚା । କାଲି ସକାଳେ ସରିବ ଏହି ଗଣନା ପ୍ରକ୍ରିୟା ।

ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା କଥା, ଶୀତଦିନରେ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଖାଦ୍ୟ ସନ୍ଧାନରେ ହାତୀ ପଳାଇ ଆସନ୍ତି । ତେଣୁ ଆମ ହାତୀଙ୍କ ସଂଖ୍ୟା କେତେ ତାହା ଏଇ ମାସ ଶେଷ ସୁଦ୍ଧା ସ୍ପଷ୍ଟ ହୋଇଯିବ । ଆଶା କରାଯାଉଛି, ଗତଥରର ଗଣନା ରିପୋର୍ଟ ଅପେକ୍ଷା ଏଥର ୫୦ ଖଣ୍ଡେ ବୃଦ୍ଧି ପାଇବ । ଗତ ମେ’ର ଗଣନା ଅନୁଯାୟୀ, ଓଡ଼ିଶାରେ ୨ ହଜାର ୯୮ଟି ହାତୀ ଥିଲେ । ତେବେ ପ୍ରଥମ ଥର ପାଇଁ ଡ୍ରୋନ୍‌ ସହାୟତାରେ ହୋଇଥିବା ଏହି ଗଣନା ରିପୋର୍ଟରେ ବାସ୍ତବରେ ହାତୀ ସଂଖ୍ୟା କେତେ, ତାକୁ ଅପେକ୍ଷା ।

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now