ପାରାଦୀପ ହେଉଛି ପ୍ରଗତିର ମୁଖଶାଳା । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟିତ କରି ଏଭଳି କହଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧବ ପୁଅଙ୍କ ନୌବାଣିଜ୍ୟ କଥା ଆମର ଗର୍ବ ଓ ଗୌରବ । ପାରାଦୀପର ନାମ ସ୍ମରଣ କଲେ ଦେହରେ ଶିହରଣ ସୃଷ୍ଟି ହୁଏ । ଯେଉଁଠି ଦିନେ ହେନ୍ତାଳ ବଣ ଥିଲା, ସେଠି ଆଜି ପରିପୂର୍ଣ୍ଣ ଆଧୁନିକ ପାରାଦୀପ ବନ୍ଦର ଛିଡ଼ା ହୋଇଛି । ଭାରତରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ପାରାଦୀପ ବନ୍ଦର ।
Also Read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ । ନୂଆ ନୂଆ ନିବେଶ ସହ ଏଠାକାର ଯୁବପିଢି ନିଯୁକ୍ତି ପାଇବେ । ମୁମ୍ବାଇ ପରେ ସରକାର ସିଙ୍ଗାପୁର ଯାଇ ନିବେଶକଙ୍କୁ ନିମନ୍ତ୍ରଣ ଦେବେ । ପୋର୍ଟ ବେସ୍ଡ ଶିଳ୍ପ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୨୦୩୬ ବେଳକୁ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବା ଲକ୍ଷ୍ୟ ରଖିବା ସହ ବିଶ୍ଵ ମାନଚିତ୍ରରେ ପାରାଦୀପ ପାଇଁ ଓଡ଼ିଶା ମଧ୍ୟ ପରିଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଉତ୍କଳର ଗର୍ବ...କଳିଙ୍ଗର ଐତିହ୍ୟ...; ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଉଛନ୍ତି ଲୋକେ
ସେହିପରି ପାରାଦୀପରେ ହେବ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ। ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ଖର୍ଚ୍ଚ ହେବ ୧୬ ହଜାର କୋଟି ଟଙ୍କା । ପାରାଦୀପରେ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବା ଅବସରରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ସଭା ମଞ୍ଚରେ ପୂର୍ବ ବିଜେଡି ସରକାରକୁ ମଧ୍ୟ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ୯୯ଟି ଏମ୍ଓୟୁ କରିଥିଲେ, କେତୋଟି କାର୍ଯ୍ୟକାରୀ କଲେ ସେ ପ୍ରଶ୍ନ କରିଛନ୍ତି। ଏଥିସହ କହିଛନ୍ତି ଯେ, ପୋସ୍କୋ ଫେରିଯାଇଥିଲା, ଆମେ ଫେରାଇ ଆଣି ପାରିଛୁ । ମିତ୍ତଲ ପଳାଇଯିବା କଥା ଯେଉଁମାନେ କହୁଛନ୍ତି, ତାହା ବିଭ୍ରାନ୍ତିକର। ଅତ୍ୟାଧୁନିକ ବସ୍ ଟର୍ମିନାଲ୍, ବଡ଼ବିଲରୁ ପାରାଦୀପ ୮ଲେନ ରାସ୍ତା, ସି-ବେସ୍ କେବଲିଂ, ଜାହାଜ ତିଆରି କାରଖାନା ଆଦି ସମସ୍ତ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସିଏମ୍ ।
ବନ୍ଦର ନଗରୀ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇଙ୍କ ସହ ଅନ୍ୟ ବିଧାୟକମାନେ ସାମିଲ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।