Advertisment

Kartik Purnima 2024: ଉତ୍କଳର ଗର୍ବ...କଳିଙ୍ଗର ଐତିହ୍ୟ...; ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଉଛନ୍ତି ଲୋକେ

ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Kartik Purnima 2024

Kartik Purnima 2024

ଓଡ଼ିଶାର ପର୍ବ...ଉତ୍କଳର ଗର୍ବ...କଳିଙ୍ଗର ଐତିହ୍ୟ...ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି। ସକାଳୁ ସକାଳୁ ଏଥିପାଇଁ ଜଳାଶୟ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଭୁବନେଶ୍ବରର ପବିତ୍ର ବିନ୍ଦୁ ସାଗର, ପୁରୀ ମହୋଦଧୀ, କଟକର ମହାନଦୀ, କାଠଯୋଡ଼ି ଭଳି ଅନେକ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। 

Advertisment

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ । ବୋଇତ ବନ୍ଦାଣ ଡଙ୍ଗା ଭସା ନାମରେ ମଧ୍ୟ ଜଣାଯାଏ । ଏହା ଏକ ପାରମ୍ପରିକ ଓଡିଆ ସାମୁଦ୍ରିକ ତଥା ନୌପର୍ବ ଯାହାକି ସମଗ୍ର ଭାରତରେ ପାଳନ କରାଯାଏ । ବୋଇତ ବନ୍ଦାଣ ଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ସକାଳେ ପାଳନ କରାଯାଏ ଯାହା ପାରମ୍ପରିକ ଓଡିଆ କ୍ୟାଲେଣ୍ଡରରେ କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ବୁଝାଏ । ବାର ମାସ ଭିତରେ କାର୍ତ୍ତିକ ମାସକୁ ଧାର୍ମିକ ମାସ ବୋଲି କୁହାଯାଏ । ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଅଧିକ ପଢ଼ନ୍ତୁ: କାର୍ତ୍ତିକ ମାସରେ ଶୀତଳ ଜଳରେ କାହିଁକି କରାଯାଏ ପ୍ରାତଃ ସ୍ନାନ

‘ଆ-କା-ମା-ବୈ’ରେ ଗୁଞ୍ଜରିତ ସେଦିନର ସ୍ମୃତି ଆଜି ବି ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ରହିଛି । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପୁର ପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି । ସାତ ଭାଇ ଓ ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାରେ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ । ଅତୀତରେ ଓଡ଼ିଆ ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ନେଇ ବେପାର ବଣିଜ କରିବାକୁ ଯାଉଥିବା କିମ୍ବଦନ୍ତୀ ରହିଛି ।

Advertisment

ସେଇ ସ୍ମୃତିକୁ ମନେ ପକେଇବାକୁ କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଯାଏ । କଦଳୀ ଗଛର ପାଟୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ, ମୁଗ, ବିରି, ଘିଅଦୀପ, ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଆଦି ରଖି ନଦୀ କିମ୍ବା ପୋଖରୀରେ ଭସାଯାଏ । ଡଙ୍ଗା ଭସେଇବା ବେଳେ ପ୍ରତି ଓଡିଆଙ୍କ ମୁହଁରୁ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର”ର ଗୁଞ୍ଜରଣ ଶୁଣିବାକୁ ମିଳେ । ଏହା କହିବାର ତାତ୍ପର୍ଯ୍ୟ ହେଲା ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ, ଏହି ଚାରି ମାସ ଧର୍ମ ମାସ କୁହାଯାଏ ।

ଏହି ଚାରି ମାସରେ ନଦୀ ପୋଖରୀରେ ଗାଧୋଇ ହବିଷ କଲେ ଧର୍ମ ହେଇଥାଏ ବୋଲି ବିଶ୍ୱାସ ରହିଛି । ଯେହେତୁ ନଦୀ ଓ ପୋଖରୀ ସବୁ ପାପ ଧୋଇ ଦିଅନ୍ତି, ତେଣୁ ଦକ୍ଷିଣା ସ୍ୱରୂପ ତାଙ୍କୁ ପାନ ଗୁଆ ଦିଆ ଯାଇଥାଏ । ସେଥିପାଇଁ କୁହାଯାଏ “ପାନ ଗୁଆ ତୋର, ମାସକ ଧରମ ମୋର” । କାର୍ତ୍ତିକ ମାସକୁ ଶାସ୍ତ୍ରରେ ଏକ ପୁଣ୍ୟ ମାସ ଭାବେ ବର୍ଣ୍ଣନା କରାଯାଇଛି । ପୁରାଣ ଅନୁଯାୟୀ, ସାଧାରଣ ଦିନରେ ହଜାର ବାର ଗଙ୍ଗା ସ୍ନାନରୁ ଯେଉଁ ଫଳ ମିଳିଥାଏ କାର୍ତ୍ତିକ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ଯେକୌଣସି ନଦୀରେ ସ୍ନାନ କରିବା ଦ୍ୱାରା ସମାନ ଫଳ ମିଳିଥାଏ । ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ସ୍ନାନର ଆରମ୍ଭ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ ।

ପଦ୍ମ ପୁରାଣ ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନଦୀ କିମ୍ବା ପୋଖରୀରେ ସ୍ନାନ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି ଭଗବାନ ବିଷ୍ଣୁ ସେମାନଙ୍କ ଉପରେ ଅଶେଷ କୃପା କରନ୍ତି । ପଦ୍ମପୁରାଣର କାହାଣୀ ଅନୁଯାୟୀ କାର୍ତ୍ତିକ ସ୍ନାନ ଏବଂ ପୂଜାପାଠ କରି ଦେବୀ ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣଙ୍କ ପତ୍ନୀ ହେବାର ସୌଭାଗ୍ୟ ପାଇଥିଲେ ।

ସାଧାରଣରେ ଦୃଢ ବିଶ୍ୱାସ ରହିଛି ଯେ ଏହିଦିନ ଭୋର୍‌ରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଅପରପକ୍ଷରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ(ଆ କା ମା ବୈ)- ଏହି ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯିବା ବିଧି ବ୍ୟବସ୍ଥା ରହିଛି । ପୌରାଣିକ ଅନୁଧ୍ୟାନରୁ ସ୍ପଷ୍ଟ ହୁଏ ଯେ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ପାଇଁ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ଆ କା ମା ବୈ’ ସାଧାରଣ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନ ପାରେ ।

ଆଉ ଏକ ମତ ଅନୁସାରେ “ଆ, କା, ମା, ଭୈ”ର ଅର୍ଥ ଆ-ଆକାଶ, କା-ଜଳ,ମା-ନାହିଁ, ଭୈ-ଭୟ । ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପରେ ଆଉ ପବନ ବର୍ଷାର ଭୟ ନାହିଁ । ସେଥିପାଇଁ ଏହି ସମୟରେ ସାଧବମାନେ ନୌବାଣିଜ୍ୟ କରୁଥିଲେ । ସାମୁଦ୍ରିକ ଝଡର ଭୟ ନ ଥିବାରୁ ସେମାନଙ୍କ ଯାତ୍ରା ସଫଳ ହେଉଥିଲା । ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି । ଏହି ତିନି ମାସକୁ ନେଇ ‘ମାହାତ୍ମ୍ୟ’ ମାନ ମଧ୍ୟ ରଚିତ ହୋଇଛି । କିନ୍ତୁ ‘ଆ’ ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ ।

‘ଆ-କା-ମା-ବୈ’ର ଏହି ଧାର୍ମିକ ପରମ୍ପରା କେବଳ ଯେ ଆମ ଓଡ଼ିଶାରେ ଅଛି, ତାହା ନୁହେଁ । ‘ମତ୍ସ୍ୟପୁରାଣ’ରେ ଏହାର ଉଲ୍ଲେଖ ମିଳେ । ବିଷୁବ ସଂକ୍ରାନ୍ତିରେ ଦାନ କଲେ, ଏହି ଧର୍ମ ମାସଗୁଡ଼ିକର ପୁଣ୍ୟ ଫଳ ମିଳେ ବୋଲି ସେଥିରେ କୁହାଯାଇଛି । ଏଣୁ କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ବେଳର ଏହି ଲୋକଗୀତର ସଂକେତ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ ଆମର ଧାର୍ମିକ ପରମ୍ପରା ସହିତ ହିଁ ଯୋଡ଼ିଥାଏ ।

ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଓଡ଼ିଶାର ସୁଦୃଢ ପରମ୍ପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଯେ ଏଭଳି ଏକ ପବିତ୍ର ଧାର୍ମିକ ଦିବସର ଗୁରୁତ୍ୱକୁ ଯଦି ବାଦ ଦିଆଯାଏ ତେବେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଅଣୁ ମାତ୍ର ଚିନ୍ତା ବି କରାଯାଇ ପାରିବ ନାହିଁ ।

ଓଡ଼ିଶାର ପ୍ରାତଃ ସ୍ମରଣୀୟ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ କାର୍ତ୍ତିକ ମାସର ମାହାତ୍ମ୍ୟ ସଂପର୍କରେ କୁହାଯାଇଛି । ଆଧ୍ୟାତ୍ମିକ ଦୃଷ୍ଟିରୁ କାର୍ତ୍ତିକ ଏକ ଧର୍ମ ମାସ ରୂପେ ଜନସାଧାରଣଙ୍କ ମନରେ ଦୃଢ ବିଶ୍ୱାସ ରହିଛି । ଯାହା ଫଳରେ ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳବୃଦ୍ଧବନିତା ପ୍ରତ୍ୟହ ପ୍ରାତଃ ସ୍ନାନ ସହିତ ଦେବ ଦର୍ଶନ ଓ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ ।

ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଏ ।

Kartik Purnima Kartika Brata Purnima
Advertisment
Advertisment