ତେଜିଲା ଧାନକିଣା ରାଜନୀତି । ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ । ବିଜେଡି ବିଧାୟକ ଧ୍ରୁବ ସାହୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନ ବଢ଼ାଇ ଓଡିଶାବାସୀଙ୍କୁ ବୋନସ୍ ନାଁରେ ଲଲିପପ ଦେଉଛି ବିଜେପି ସରକାର । କେନ୍ଦ୍ର ସରକାର ବୋନସ୍ ନ ଦେବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବା ସହ ତାଗିଦ କରିଥିଲେ ।
ବର୍ତ୍ତମାନ କେନ୍ଦ୍ରର ଅନୁମତିରେ ବୋନସ୍ ଦେଉଛନ୍ତି କି ନାହିଁ ସ୍ପଷ୍ଟ କରିବାକୁ ବିଜେଡି ଦାବି କରିଛି । ଏପଟେ ବିଜେଡିକୁ ଜବାବ ଦେଇ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଇ ବିଜେପି ଐତିହାସିକ କାର୍ଯ୍ୟ କରିବାକୁ ଯାଉଛି । ସୋହେଲାରେ ପୂର୍ବ ବିଜେଡି ସରକାର ମିଛ କହି ପଳାଇ ଆସିଥିବା ବେଳେ ବିଜେପି ସରକାର ସେଠାରେ ୮୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଯାଉଛି ।
ଅଧିକ ପଢନ୍ତୁ: ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ; କହିଲେ-ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖିନଥିଲେ
Also Read
ସେପଟେ ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଧାନକୁ ନେଇ ବର୍ଷିଛନ୍ତି । ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖିନଥିଲେ । ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ ଦେବେ, କିନ୍ତୁ ଦେଲେନି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଗତ ସରକାର ସୋହେଲାରେ କହିଥିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ ଦେବେ, କିନ୍ତୁ ଟଙ୍କାଟିଏ ଦେଇନଥିଲେ ।
ମାତ୍ର ଆମ ସରକାର ପ୍ରତିଶ୍ରୁତି ଦେଇ, ପ୍ରତିଶ୍ରୁତି ରଖିଛି । ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ । କ୍ୱିଣ୍ଟାଲ ପିଛା ବୋନସ୍ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମବାୟ ସମାଜକୁ କ୍ଷତି ପହଞ୍ଚାଉ ଥିବା ବ୍ୟକ୍ତିଙ୍କ ପାଇଁ ଝାରପଡ଼ା ଜେଲ୍ ଅଛି । 'ହଇରାଣ କରୁଥିବା ତତ୍ତ୍ୱଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ଏଥର ଆଉ ମଣ୍ଡିରେ କଟନି-ଛଟନି ଚାଲିବନି ।
ଏଣୁ ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ । ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP କୁଇଣ୍ଟାଲ ପିଛା ୨୩ଶହ ଟଙ୍କା ପ୍ରଦାନ କରାଯିବ ।
ଡିସେମ୍ବର ୮ ଠାରୁ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, Quality Analyst, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଚାଷୀମାନଙ୍କୁ ଟୋକନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା । ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ।