Advertisment

Cuttack Drain Tragedy: କଟକରେ ପୁଣି ଡ୍ରେନ ଟ୍ରାଜେଡି...ଯାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।

author-image
Prasan Subudhi
ଅଦ୍ୟତନ ହୋଇଛି
ମୁଣ୍ଡ ଖାଉଛି ଡ୍ରେନ୍

ମୁଣ୍ଡ ଖାଉଛି ଡ୍ରେନ୍

କଟକରେ ପୁଣି ଡ୍ରେନ ଟ୍ରାଜେଡି। ଗତକାଲି ପୁଣି ଗୋଟିଏ ମୁଣ୍ଡ ନେଇଛି ଡ୍ରେନ। ବିଡାନାସୀ ଗୋପାଳସାହିରେ ସିଏମସି ଡ୍ରେନ ନିର୍ମାଣ କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ କଟକ ସହରରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି।

Advertisment

ଦିନ ପାଖାପାଖି ୩ ଟା, ଭୁଶୁଡି ପଡିଲା ବିଶାଳ ପାଚେରୀ। କେହି କିଛି ବୁଝିବା ଆଗରୁ ପାଚେରି ତଳେ ଚାପି ହୋଇଗଲେ ଦୁଇ ଶ୍ରମିକ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେଲା ପରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି ଏ ଦୃଶ୍ୟ ଥିଲା କଟକ ବିଡାନାସୀ ଗୋପାଳସାହିର। ସିଏମସିର ଡ୍ରେନ ନିର୍ମାଣ କାମ ଚାଲୁଥିବା ବେଳେ ଡ୍ରେନ କଡ଼ରେ ଥିବା ପାଚେରୀ ଭୁଷୁଡି ପଡିଲା। ଆଉ ପଟ୍ଟାପୋଲ ଅଞ୍ଚଳର ଏସ୍ ଶଙ୍କରୀଙ୍କ ଜୀବନ ଚାଲିଗଲା।

ତେବେ ଏଠି ପ୍ରଶ୍ନ ଉଠୁଛି ବିନା ସୁରକ୍ଷା ଉପକରଣରେ କିଭଳି ଚାଲିଥିଲା ଡ୍ରେନ ନିର୍ମାଣ କାମ। ପାଚେରୀ ଭୁଶୁଡି ପଡିବ ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅବଗତ କରାଇଲା ପରେ ବି କାହିଁକି ସପୋର୍ଟ ଦିଆନଯାଇ କାମ ଚାଲୁଥିଲା। କାର୍ଯ୍ୟାଦେଶ ନଥାଇ କିପରି ଶ୍ରମିକଙ୍କ ଜୀବନକୁ ବିପଦରେ ଠେଲି ଦେଇ ଚାଲିଥିଲା ନିର୍ମାଣ କାମ। ସେପଟେ ମୃତକଙ୍କ ଘରେ ଏବେ ଶୋକାକୁଳ ପରିବେଶ। ସ୍ବାମୀ ଚାଲିଗଲା ପରେ ଚାରିଟି ଝିଅକୁ କିପରି ନେଇ ପରିବାର ଚଳେଇବେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କୁ ରହିବା ପାଇଁ ଘର ଓ ସରକାରୀ ଚାକିରି ମିଳୁବୋଲି ଦାବି କରିଛନ୍ତି ମୃତକଙ୍କ ସ୍ତ୍ରୀ।

Advertisment

ଡ୍ରେନ ଯୋଗୁଁ ଅଘଟଣ କଟକ ସହର ପାଇଁ ନୂଆ ନୁହେଁ। କେତେବେଳେ ମୁକୁଳା ଡ୍ରେନ ଜୀବନ ନେଲାଣି ତ କେତେବେଳେ ଡ୍ରେନ ତଳେ ଚାପିହୋଇ କାହାର ପ୍ରାଣ ଗଲାଣି। ତିନି ବର୍ଷରେ ୬ ଟିରୁ ଉର୍ଦ୍ଧ ଜୀବନ ଗଲାଣି ଏହି ଡ୍ରେନ ଟ୍ରାଜେଡି ରେ। ୨୦୨୨ ମସିହାରେ ତୁଳସୀପୁର ଅଞ୍ଚଳରେ ସିଏମସି ର ଜଣେ ସଫେଇ କର୍ମଚାରୀ ଡ୍ରେନ ସଫେଇ କରୁଥିବା ବେଳେ ପାଚେରୀ ଭୁଷୁଡି ଚାପିହୋଇ ମୃତ୍ୟୁ ବରଣ କରିଥିଲେ। ସେହିବର୍ଷ ମାର୍ଚ୍ଚ ମାସରେ କଟକ ଛତ୍ରବଜାର ଓ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡି ଦୁଇଜଣ ଶ୍ରମିକ ପ୍ରାଣ ହରାଇଥିଲେ। ୨୦୨୩ ମସିହାରେ କେଶରପୁର ଗହ୍ମାଣ୍ଡିଆ ରେ ବକ୍ସ ଡ୍ରେନ କାମ ଚାଲୁଥିବା ବେଳେ ଡ୍ରେନ ପାଇପ ତଳେ ଚାପିହୋଇ ଜଣେ ଯୁବତୀ ଙ୍କ ପ୍ରାଣ ଚାଲିଯାଇଥିଲା।

ଅଧିକ ପଢନ୍ତୁ: ଛେଚି ଦେଇ ଗଲେ ବିଧା-ଗୋଇଠା, କଲେଜ୍ କ୍ୟାମ୍ପସ୍ ପାଲଟିଲା ରଣକ୍ଷେତ୍ର

୨୦୨୩ ମସିହାରେ ବକ୍ସିବଜାର ବକ୍ସ ଡ୍ରେନ ସଫେଇ କରୁଥିବା ବେଳେ ଜଣେ ଶ୍ରମିକ ବୁଡି ମରିବା ସହ ସେହି ବର୍ଷ ମହିମାନଗର ରେ ଜଣଙ୍କର ଡ୍ରେନ ରେ ପଡି ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ପରେ ଆରମ୍ଭ ହୋଇଛି କାରଣ ଖୋଜା। ସିଏମସି ଅତିରିକ୍ତ କମିଶନରଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଏହାର ତଦନ୍ତ କରି ରିପୋର୍ଟ ଦେଲା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ମହାନଗର କମିଶନର। ସେପଟେ ମୃତକଙ୍କ ସମ୍ପର୍କୀୟ ଆଜି ବାରପଥର ଛକରେ ମୃତଦେହ ରାସ୍ତା ଉପରେ ରଖି ପ୍ରତିବାଦ କରିଥିଲେ। ପରେ ପୋଲିସ ପହଞ୍ଚି ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Cuttack CMC Drainage Issue Drain Mishap
Advertisment
Advertisment