Advertisment

ପୁଣି ଫେରିଲା ଆମ୍ବ କୋଇଲି ଟ୍ରାଜେଡି; କାଶୀପୁର ଓ ଲକ୍ଷ୍ମୀପୁର ପରେ ମଣ୍ଡିପଙ୍ଗାରେ ଗଲା ଜୀବନ

ଜୀବନ ନେଇଗଲା ଆମ୍ବକୋଇଲି ଜାଉ । ବିପଦ ସାଜିଲା ବଣପାହାଡ଼ର ପାରମ୍ପାରିକ ଖାଦ୍ୟ । ଭୋକରେ ହେଉ କିମ୍ବା ତୃପ୍ତି ମେଣ୍ଟାଇବା ପାଇଁ ହେଉ, ଯେଉଁ ଆମ୍ବକୋଇଲି ଜାଉକୁ ଖାଉଥିଲା ମଣିଷ, ସେହି ଜାଉରେ ଚାଲିଗଲା ଜୀବନ ।

author-image
Sujit kumar Swain
undefined

Consumption of Mango Kernel

ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କୁହାଯାଉଥିବା ଯେଉଁ ଆମ୍ବକୋଇଲି ଦିନେ ଜୀବନ ନେଇଥିଲା ଲକ୍ଷ୍ମୀପୁର ଓ କାଶୀପୁରରେ, ଏବେ ଘଟଣାର ପୁନରାବୃତ୍ତି ହୋଇଛି କନ୍ଧମାଳ ଗଦାପୁରରେ। ଯାଇଛି ୨ ମହିଳାଙ୍କ ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୬ ଜଣ। କିଏ କହୁଛି ବିଷାକ୍ତ ହୋଇଗଲା ଏହି ପାରମ୍ପରିକ ଖାଦ୍ୟ, ତ ଆଉ କିଏ କହୁଛି, ଖାଦ୍ୟ ଅଭାବରୁ ଖାଇଥିଲେ ଆମ୍ବଟାକୁଆ। ଯାହାକୁ ନେଇ କନ୍ଧମାଳରୁ କ୍ୟାପିଟାଲ୍ ଯାଏଁ ହଲଚଲ୍ ହୋଇଥିବାବେଳେ ଦୀର୍ଘବର୍ଷ ପରେ ଆମ୍ବଟାକୁଆ ଟ୍ରାଜେଡି, ଚର୍ଚ୍ଚାକୁ ଫେରିଛି। 

Advertisment

ଜୀବନ ନେଇଗଲା ଆମ୍ବକୋଇଲି ଜାଉ । ବିପଦ ସାଜିଲା ବଣପାହାଡ଼ର ପାରମ୍ପାରିକ ଖାଦ୍ୟ । ଭୋକରେ ହେଉ କିମ୍ବା ତୃପ୍ତି ମେଣ୍ଟାଇବା ପାଇଁ ହେଉ, ଯେଉଁ ଆମ୍ବକୋଇଲି ଜାଉକୁ ଖାଉଥିଲା ମଣିଷ, ସେହି ଜାଉରେ ଚାଲିଗଲା ଜୀବନ । ଦୁଇ ଦୁଇ ଜଣ ଆତ୍ମୀୟଙ୍କୁ ହରାଇବା ପରେ ଶୋକାକୂଳ ଘର ଦୁଆର, କାନ୍ଦ ବୋବାଳିରେ ଫାଟୁଛି କନ୍ଧମାଳ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁ। କାହାକୁ ବୁଝାଇବେ, କାହାକୁ ଶାନ୍ତ୍ବନା ଦେବେ। ୨୭ ବର୍ଷିୟା ରମିତା ପାଟମାଝୀ ଏବଂ ୨୫ ବର୍ଷିୟା ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝୀଙ୍କୁ ଝୁରୁଛନ୍ତି ଆତ୍ମୀୟ ସ୍ବଜନ। 

ତେଣେ ବ୍ରହ୍ମପୁର MKCGରେ ମରଣ ସହ ଯୁଝୁଛନ୍ତି ସେହି ଗାଁର ଅନ୍ୟ ୬ ଜଣ। ଚିନ୍ତାଜନକ କଥା ହେଉଛି, ସମସ୍ତ ମୃତାହତ ହେଉଛନ୍ତି ମହିଳା। ଗତ ବୁଧବାର ଦିନ ରମିତା ଏବଂ ଗତକାଲି ରୁନୁଙ୍କ ସହ ଚିକିତ୍ସାଧିନ ଥିବା ଅନ୍ୟ ୬ ମହିଳା ଖାଇଥିଲେ ଆମ୍ବଟାକୁଆରେ ପ୍ରସ୍ତୁତ ଜାଉ। ଆଉ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇଥିବାବେଳେ ଗତକାଲି ରମିତା ଏବଂ ଆଜି ସକାଳେ ରୁନୁଙ୍କ ପ୍ରାଣହାନୀ ହୋଇଛି। 

Advertisment

ଆମ୍ବଟାକୁଆକୁ ୬ ମାସ ତଳେ ସଂଗ୍ରହ କରିଥିଲେ ଗାଁର ଲୋକେ। ଆଉ ସେଥିରୁ କୋଇଲି କାଢ଼ି ପ୍ରସ୍ତୁତ କରିଥିଲେ ଆମ୍ବକୋଇଲି ଜାଉ। ଜାଉକୁ ବହୁତ ଦିନ ଧରି ରଖିଲେ କିମ୍ବା ସୁରକ୍ଷିତ ନରଖିଲେ ତାହା ବିଷାକ୍ତ ହୋଇଯାଏ ବୋଲି କହିଛନ୍ତି ମଣ୍ଡିପଙ୍କା ଗାଁର ମହିଳା। ଏପରିକି ଏମକେସିଜିରେ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ଆମ୍ବକୋଇଲି ଜାଉ ବିଷାକ୍ତ ହୋଇଯାଇଥିବା ଆଶଙ୍କା କରିଛନ୍ତି। 

ତେବେ କେଉଁ ପରିସ୍ଥିତିରେ ଏହାକୁ ଖାଇଥିଲେ ମହିଳା ମାନେ ? ଖାଦ୍ୟ ଅଭାବରୁ ନା ନିତିଦିନିଆ ଖାଦ୍ୟ ଭାବେ ଖାଇଥିଲେ ଆମ୍ବକୋଇଲି ଜାଉ ? କାହିଁକି ଘାତକ ସାଜିଲା ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ? ଏବେ ଏଭଳି ନାନା ଚର୍ଚ୍ଚା ଭିତରେ ମୃତ ରମିତାଙ୍କ ସ୍ବାମୀ କହିଛନ୍ତି, ଦୀର୍ଘଦିନ ହେଲା ସରକାରୀ ଚାଉଳ ମିଳିନଥିବାରୁ ଏହାକୁ ଖାଉଥିଲେ। ତେବେ କନ୍ଧମାଳ ଜିଲ୍ଳାପାଳ ଏହାକୁ ଅସ୍ବୀକାର କରିଥିବାବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଘଟଣା ଉପରେ ନଜର ରଖିଛୁ।

୨୦୦୧ର କଥା ମନେପଡ଼ିଗଲା ରାୟଗଡ଼ା କାଶୀପୁରର ଆମ୍ବଟାକୁଆ ଟ୍ରାଜେଡି। ଯେଉଁବର୍ଷ ୨୦ରୁ ଅଧିକଙ୍କ ପ୍ରାଣହାନୀ ହୋଇଥିଲା। ସେହିପରି ୨୦୧୬ ଅଗଷ୍ଟରେ ବି ସେହି କାଶୀପୁର ବ୍ଲକରେ ଯାଇଥିଲା ୨ ଜୀବନ। ୨୦୧୨ ଓ ୨୦୧୩ରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକ ଏବଂ ୨୦୧୮ରେ ନବରଙ୍ଗପୁର ଝରିଗାଁ ମଇନାପଦର ଗାଁରେ ଏକାଧିକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏବେ କନ୍ଧମାଳ ଜିଲ୍ଲାର ଆମ୍ବଟାକୁଆ ଟ୍ରାଜେଡିକୁ ନେଇ ଚାଲିଛି ତନାଘନା। ସ୍ବାସ୍ଥ୍ୟମନ୍ତ୍ରୀ ସିଡିଏମଓ, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଗାଁରେ ପହଞ୍ଚି ଛାନଭିନ୍ କରୁଛି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତେବେ ଅପେକ୍ଷା, ଏହି ଆମ୍ବଟାକୁଆ ଟ୍ରାଜେଡି ପଛରେ ଆଗକୁ କି ସତ ସାମ୍ନାକୁ ଆସୁଛି ।

Women Hospitalised Tribal Women
Advertisment
Advertisment