Advertisment

Srimandir Management Committee: ୨ ମାସ ବିତିଲା, ତଥାପି ଗଢ଼ା ହୋଇନି ଶ୍ରୀମନ୍ଦିରର ନୂଆ ମ୍ୟାନେଜିଂ କମିଟି

କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?

undefined

ନୂଆ ମ୍ୟାନେଜିଂ କମିଟି କେବେ ?

Advertisment

ପୁରୁଣା କମିଟି ଭାଙ୍ଗିବାର ୨ ମାସରୁ ଅଧିକ ସମୟ ହେଲାଣି, କାର୍ତ୍ତିକ ମାସ ବି ଗଲାଣି । ତଥାପି ଏଯାଏଁ ଗଢ଼ା ହୋଇପାରୁନି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ନୂଆ ପରିଚାଳନା କମିଟି । ଯଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉ କି ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି ସବୁ ନିଷ୍ପତ୍ତି ଅଧାରେ ଅଟକିଛି। ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେଣି- ଆଉ ପୁରୁଣା ମୁହଁଙ୍କୁ ରିପିଟ୍ ନକରି କମିଟିରେ ଅଭିଜ୍ଞ ଲୋକଙ୍କୁ ନିଆଯାଉ ।

Advertisment

କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ? ଏସବୁ ପଛରେ ଗୋଟିଏ କାରଣ, ଗଢ଼ା ହୋଇନି ଶ୍ରୀମନ୍ଦିରର ନୂଆ ମ୍ୟାନେଜିଂ କମିଟି । ଗତ ସେପ୍ଟେମ୍ବର ୩ ତାରିଖରୁ ପରିଚାଳନା କମିଟିର କାର୍ଯ୍ୟକାଳ ସରି ଗଲାଣି । ହେଲେ ଏଯାଏଁ ବି ନୂଆ କମିଟି ଗଠନର ନାଁ ଗନ୍ଧ ଆସୁନି । ଯଦ୍ବାରା ଶ୍ରୀମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇ ଯାଇଥିବା କହିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନଆଥ ସ୍ବାଇଁ ମହାପାତ୍ର । କହିଛନ୍ତି- ରାଜ୍ୟରେ ନୂଆ ସରକାର ଆସିବାର ସାଢ଼େ ୫ ମାସ ବିତିଲାଣି, ହେଲେ ପରିଚାଳନା କମିଟି ମେମ୍ବର ବଛାଯାଇ ପାରୁନି। ତେବେ ସରକାର ଯେଉଁ ନୂଆ କମିଟି ବାଛିବେ, ସେଥିରେ ମନ୍ଦିର ନୀତିକାନ୍ତି ଉପରେ ଅଭିଜ୍ଞତା ଥିବା ଲୋକଙ୍କୁ ରଖାଯାଉ । ଯେଉଁମାନେ ପୂର୍ବରୁ ସଦସ୍ୟ ଥିଲେ, ସେମାନଙ୍କୁ ଆଉ ରିପିଟ୍ କରାନଯାଉ।

ଅଧିକ ପଢ଼ନ୍ତୁ: ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍; ଅଫିସରେ ନ ବସି ଫିଲ୍ଡକୁ ଯାଅ ! 

ସେପଟେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ଦାସ ମହାରାଜା ବି ଅଭିଜ୍ଞ ଲୋକଙ୍କୁ ମ୍ୟାନେଜିଂ କମିଟିରେ ସ୍ଥାନ ମିଳିବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଯେହେତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଢ଼ା ଯାଇନି, ତେଣୁ ଏହା ଅଧୀନରେ ଆସୁଥିବା ଅର୍ଥ ସବ କମିଟି ସହ ଦର୍ଶନ ଓ ନୀତି ଭଳି ପ୍ରାୟ ୧୦ଟି ସବ୍ କମିଟି ଅକାମୀ ହୋଇ ଯାଇଛି ।

Advertisment

ଗତ ୨୦୨୧ ମସିହାରେ ଗଠିତ ହୋଇଥିବା ପରିଚାଳନା କମିଟିର କାର୍ଯ୍ୟକାଳ ଗତ ସେପ୍ଟେମ୍ବର ୩ରୁ ସରିଛି । ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଥରେ ନୂଆ ପରିଚାଳନା କମିଟି ଗଠନ ହେବା କଥା । ଏଥିରେ ୫ଟି ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସରକାର ମନୋନୀତ କରିଥାନ୍ତି। ଗଜପତି ମହାରାଜା ଏହି କମିଟିର ସ୍ଥାୟୀ ଅଧ୍ୟକ୍ଷ ଥିବାବେଳେ ଏଥିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରହିଥାନ୍ତି । ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇଥାନ୍ତି। ତେବେ ଗତ ସରକାର ଅମଳରେ ନିଜକୁ ସୁହାଇଲା ଭଳି କିଛି ନିର୍ଦ୍ଦିଷ୍ଟ ସେବାୟତ ନିଯୋଗରୁ ସଦସ୍ୟ ଭାବେ ପରିଚାଳନା କମିଟିକୁ ମନୋନୀତ କରାଯାଉଥିବା ଅଭିଯୋଗ ଆଣି ହାଇକୋର୍ଟରେ ଏକ ମାମଲା କରିଛି ଛାମୁ ଖୁଣ୍ଟିଆ ନିଯୋଗ । ଯେହେତୁ କୋର୍ଟରେ ମାମଲା ରହିଛି ତେଣୁ ରାଜ୍ୟ ସରକାର ଏହାର ତର୍ଜମା କରି ସଠିକ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ନୂଆ ପରିଚାଳନା କମିଟି ଅପେକ୍ଷାରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଶିଶୁ ବିକ୍ରି ଅଭିଯୋଗକୁ ନେଇ ଚହଳ; ଚର୍ଚ୍ଚାରେ ଦାରିଦ୍ର୍ୟ ତାଡ଼ନା ନା ଅର୍ଥ ଲୋଭ

Advertisment

ଏବେ ଦେଖିବାର କଥା ଶ୍ରୀମନ୍ଦିରକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ମୋହନ ସରକାର, କେତେଶୀଘ୍ର ନୂଆ ପରିଚାଳନା କମିଟି ଉପରେ ମୋହର ମାରୁଛନ୍ତି ଓ କେଉଁ କେଉଁ ଦକ୍ଷ ଲୋକଙ୍କୁ କମିଟିକୁ ଚୟନ କରୁଛନ୍ତି ।

Puri Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ