• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କିଟ ବିଶ୍ୱବିଦ୍ୟାଳୟରେ ନେପାଳର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ଦେଶଠୁ ବିଦେଶ ଯାଏ ସବୁଆଡେ ଚର୍ଚ୍ଚା ହେଉଛି । ଓଡ଼ିଶା ନିନ୍ଦିତ ହୋଇଛି । ଆତ୍ମହତ୍ୟା ଘଟଣା ପରେ ନେପାଳର ଛାତ୍ରଛାତ୍ରୀମାନଙ୍କୁ କିଟର କର୍ମଚାରୀମାନେ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି, ତାହାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ଭାଇରାଲ୍ ହେଉଥିବା ଭିଡିଓରେ ସୋସିଆଲ୍ ମିଡିଆ ୟୁଜରମାନେ କିଟର ଏଭଳି କାର୍ଯ୍ୟକଳାପକୁ କଡ଼ା ଶବ୍ଦରେ ସମାଲୋଚନା କରୁଛନ୍ତି । ତେବେ କଥା ହେଉଛି, ଏହି ଆତ୍ମହତ୍ୟା ଘଟଣା କିଟରେ ପ୍ରଥମ ଥର ଘଟିନାହିଁ । ଆଗରୁ ଏଭଳି ଘଟଣା ଘଟିଛି । କିନ୍ତୁ ସୁଧୁରିବା ପରିବର୍ତ୍ତେ କିଟର ଔଦ୍ଧତ୍ୟ ବଢିଛି ବୋଲି ଅଭିଯୋଗ ହେଉଛି । ସବୁ କଥାକୁ ଚପାଇଦେବାର ମାନସିକତା ହିଁ କିଟର ଅହଙ୍କାର ବଢ଼ାଇଥିବା କୁହାଯାଉଛି ।

୨୦୨୨ ନଭେମ୍ୱର ୧୬ ତାରିଖରେ ହଷ୍ଟେଲର ପଞ୍ଚମ ମହଲାରୁ ଜଣେ ଛାତ୍ର ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ବି.ଟେକ ପ୍ରଥମ ବର୍ଷର ଛାତ୍ର ଥିଲେ । ତାଙ୍କ ନାଁ ସୁରଜ କୁମାର । ତାଙ୍କ ଘର ବିହାରର ମୁଜାଫରପୁରରେ । ସେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢ଼ୁଥିଲେ । ରାତି ୧୧ଟାରେ ଏହି ଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ KIMS ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇନଫୋସିଟି ଥାନା ପୋଲିସ ଏକ ଅପମୃତ୍ୟୁ କେସ୍ ରୁଜୁ କରି ତଦନ୍ତ କରିଥିଲା । ସେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ ଓ ଲାପଟପ୍ ଜବତ କରାଯାଇଥିଲା । ସେ ମାନସିକ ଅବସାଦରେ ଥିଲେ ଓ ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ତେବେ ସେ କେଉଁ ପରିସ୍ଥିତିରେ ତଳକୁ ଡେଇଁଲେ, ତାହା ସ୍ପଷ୍ଟ ହୋଇପାରିଲା ନାହିଁ ।

ଅଧିକ ପଢ଼ନ୍ତୁ :  ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

ସୁରଜଙ୍କ ମୃତ୍ୟୁକୁ ନେଇ ସେତେବେଳେ କିଟ୍ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହଷ୍ଟେଲରେ ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ଓ ମାନସିକ ଅବସାଦରୁ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରାଯାଇଥିଲା । କିଟର ସବୁ ହଷ୍ଟେଲରେ ନିରାପତ୍ତା ପ୍ରତି ଅଧିକ ଧ୍ୟାନ ଦେବାକୁ ଦାବି କରାଯାଇଥିଲା ।

୨୦୨୧ରେ ଦୁଇଟି ଦୁଃଖଦ ଘଟଣା ଘଟିଥିଲା କିଟରେ । ୨୦୨୧ ମାର୍ଚ୍ଚ ୧୫ ତାରିଖରେ ଜଣେ ୧୯ ବର୍ଷୀୟ ବି.ଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ମଧ୍ୟପ୍ରଦେଶର ସୁରଜ ଚୌରାସିଆ ନାମକ ଏହି ଛାତ୍ରଜଣକ ମଧ୍ୟ ମାନସିକ ଅବସାଦରେ ଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା । ସେ ଡାକ୍ତରଙ୍କ ଚିକିତ୍ସାରେ ମଧ୍ୟ ଥିଲେ । କିନ୍ତୁ ତାଙ୍କର ସୁରକ୍ଷା ପ୍ରତି କିଟ୍ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । 

ସେହି ବର୍ଷ ନଭେମ୍ୱର ୭ ତାରିଖରେ ଅନନ୍ୟା ଶର୍ମା ନାମ୍ନୀ ବି.ଟେକ କଂପ୍ୟୁଟର ସାଇନ୍ସର ଜଣେ ଛାତ୍ରୀ କିଟ୍ କ୍ୟାମ୍ପସ୍ ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେ ଏକ ବାଇକର ପଛ ସିଟରେ ବସି ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

୨୦୨୩ରେ କିଟର ଜଣେ ପିଏଚଡି ଛାତ୍ରୀ ନନ୍ଦନ ବିହାରରେ ରହୁଥିବା ଭଡାଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ନାଁ ନିକିତା ତିୱାରୀ ଓ ତାଙ୍କ ଘର ଉତ୍ତରପ୍ରଦେଶରେ । ସେ ମାନସିକ ଚାପରେ ଥିବାର ଜଣାପଡିଥିଲା ।

ଅଭିଯୋଗ ହୁଏ, ଛାତ୍ରଛାତ୍ରୀଙ୍କ ମୃତ୍ୟୁ ନେଇ କିଟ୍ ଘଟଣାକୁ ଚପାଇବାକୁ ଉଦ୍ୟମ କରେ। ପୋଲିସ୍ ମଧ୍ୟ କିଟ୍ ପ୍ରତିଷ୍ଠାତାଙ୍କ ରାଜନୈତିକ ପ୍ରଭାବ କାରଣରୁ ଅଧିକ ତଦନ୍ତ କରିବାକୁ ଚାହୁଁନଥିଲା ବୋଲି ଚର୍ଚ୍ଚା ହେଉଛି । ଅନେକ ସମୟରେ ତଦନ୍ତର ସ୍ୱଚ୍ଛତା ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । କିନ୍ତୁ ସେମାନଙ୍କ କଥା ଏପରିକି ସେମାନଙ୍କ ନିରାପତ୍ତା ପ୍ରତି କିଟ୍ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇନାହାନ୍ତି ବୋଲି ଅନେକ ଛାତ୍ର କୁହନ୍ତି ।

କିଟର ଜମି ଦୁର୍ନୀତି ଖବର ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ୨୦୧୪ ମସିହାରେ କିଟ୍ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ମଧ୍ୟ ଥାନାକୁ ଯାଇଥିଲା । କିଟ୍ କର୍ତ୍ତୃପକ୍ଷ ଏହାକୁ ମ୍ୟାନେଜ୍ କରିବାରେ ସଫଳ ହୋଇଥିଲେ । ତେଣୁ କିଟ୍ କର୍ମଚାରୀମାନେ ଧରିନେଇଛନ୍ତି, ଯାହା ହେଲେ ବି ଆମର କିଛି ହେବନି । ଏହି ଧାରଣା ହିଁ ଏହି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶାକୁ ଅପବାଦ ଦେଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । 

ଅଧିକ ପଢ଼ନ୍ତୁ : କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

OTV is now on Whatsapp

Join and get latest news update delivered to you via whatsapp

Join Now