Advertisment

Plight Of Odia People: ସୀମାନ୍ତ ଓଡ଼ିଆଙ୍କ ଦୁର୍ଦ୍ଦଶା...ଶଙ୍ଖାମେଦୀ କାହାର ? ପଶ୍ଚିମବଙ୍ଗର ନା ଓଡିଶାର ?

ଏଇଠି ମାଡ଼ ଖାଇଛି ଓଡ଼ିଆ ଅସ୍ମିତା । ଏମାନେ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଛନ୍ତି । ଆଗରୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ । କିନ୍ତୁ ଘରର ଜମି ପଟ୍ଟା କହୁଛି, ଏମାନେ ପଶ୍ଚିମବଙ୍ଗର । ଦ୍ୱନ୍ଦ୍ୱରେ ଅଛନ୍ତି ଏମାନେ । ଏମାନେ କେଉଁ ରାଜ୍ୟର ଓଡ଼ିଶାର ନା ପଶ୍ଚିମବଙ୍ଗର ? ଏହି ବିବାଦରୁ ଏମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଏଇ ଗାଁ ଏବେ କାଗଜପତ୍ରରେ ପଶ୍ଚିମବଙ୍ଗରେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ଆମେ ଓଡ଼ିଶାର ନା ପଶ୍ଚିମବଙ୍ଗର

ଆମେ ଓଡ଼ିଶାର ନା ପଶ୍ଚିମବଙ୍ଗର

ଲୋକସଭା  ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଓଡିଶାର ଭୋଟର । ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ସେମାନେ ହିତାଧିକାରୀ । ମାତ୍ର ରାଜସ୍ବ ବିଭାଗ ରେକର୍ଡରେ ସେମାନେ ଓଡିଶାର ନୁହଁନ୍ତି। ସେମାନେ ପଶ୍ଚିମବଙ୍ଗର ବାସିନ୍ଦା। ପଶ୍ଚିମବଙ୍ଗ ସରକାର ୧୯୯୦ ମସିହାରୁ ନକ୍ସା ଜାରିକରି ଏହି ଗ୍ରାମକୁ ନିଜ କବ୍‌ଜାକୁ ନେଇଯାଇଛି। ଯାହା ପାଇଁ ଏହି ଗାଁ ଭିତରେ ରହି ଅଣନିଃଶ୍ବାସୀ ହୋଇ ପଡିଲେଣି ଓଡିଆ ଲୋକେ। ଏହା ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ଶଙ୍ଖାମେଦୀ ଗାଁର କଥା।

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଂଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ । ଏହି ଗାଁରେ ୧୫୦ ପରିବାର ରହୁଛନ୍ତି । ଏହି ଗାଁରେ ପ୍ରାୟ ୪୫୦ ଜଣ ଲୋକ । ୩୦୦ ଓଡ଼ିଆ ଭୋଟରଙ୍କୁ ନେଇ ଜଣେ ୱାର୍ଡ ମେମ୍ବର ମଧ୍ୟ ଅଛନ୍ତି । ଅନଳିଆ ପଂଚାୟତର  ଏହି ଶଙ୍କାମେଦୀ ସ୍କୁଲରେ ୩୦ ଜଣ ଓଡ଼ିଆ ପିଲା ପାଠ ପଢ଼ୁଛନ୍ତି। ୨ ଜଣ ଶିକ୍ଷକ ମଧ୍ୟ ଅଛନ୍ତି। ସେମାନେ ଓଡ଼ିଶା ସରକାରଙ୍କ ଅଧୀନରେ ।  ମାତ୍ର ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ନ ଥିବା ଯୋଗୁ ଓଡ଼ିଆ ଭୋଟରମାନଙ୍କୁ ନା ଓଡ଼ିଶା ସରକାରଙ୍କ ପକ୍ଷରୁ ପକ୍କାଘର ସୁବିଧା ମିଳୁଛି ନା ଜାତି ପ୍ରମାଣ ପତ୍ର କିମ୍ବା ବାସିନ୍ଦା ପ୍ରମାଣ ପତ୍ର। ଖାଲି ସେତିକି ନୁହେଁ ସମବାୟ ସମିତିରୁ ଋଣ ନେଣଦେଣର ସୁବିଧା ୧୯୮୩ ମସିହା ଠାରୁ ପାଇବାରୁ ଗ୍ରାମବାସୀ ମାନେ ବଂଚିତ ଅଛନ୍ତି ବୋଲି ଗ୍ରାମବାସୀ ଅଜୟ ଜେନା କହିଛନ୍ତି। ଭୋଗରାଇ ବ୍ଲକରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶଙ୍ଖାମେଦୀ ଗାଁକୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ୯୦ ଟି ପାଇଖାନା, ପ୍ରାୟ ୪୦ ଜଣଙ୍କୁ ବାର୍ଷିକ ଭତ୍ତା ଓ ୧୨୦ ପରିବାରକୁ ରାସନ କାର୍ଡ ସହିତ ପ୍ରତି ଘରକୁ ବିଜୁଳି ସଂଯୋଗ ଦିଆଯାଇଛି। ମାତ୍ର ସେମାନେ ସରକାରୀ ପକ୍କାଘର ଯୋଜନାର ସୁବିଧା ପାଉନାହାନ୍ତି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ବି ଆନ୍ତଃରାଜ୍ୟ ସୀମା ସମସ୍ୟା ସୁଧୁରିଲା ନାହିଁ।

ଅଧିକ ପଢ଼ନ୍ତୁ : ଗାଁ ପିଲା ଖେଳିବାକୁ ଦାନ କରିଦେଲେ ୫ ଏକର ଜାଗା

ଶଙ୍ଖାମେଦୀ ଗ୍ରାମର ଲୋକେ ଓଡିଶାରେ ରହିବାକୁ ଚାହୁଁଛନ୍ତି । କିନ୍ତୁ ସରକାର କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଓଡିଶା ସରକାରଙ୍କ ଦ୍ଵାରା ଲୋକଙ୍କୁ ରାସନ କାର୍ଡରେ ଚାଉଳ ମିଳୁଛି। ବିଦ୍ୟୁତ, ପାନୀୟ ଜଳ, ପାଇଖାନା, ରାସ୍ତା, ପାଠ ପଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ମଧ୍ୟ୍ୟ ସରକାର ଯୋଗାଇଛନ୍ତି । ୧୯୮୭ ମସିହା ପର୍ଯ୍ୟନ୍ତ ଓଡିଶା ସରକାର ଖଜଣା ନେଉଥିଲେ ମାତ୍ର ଏବେ ସରକାର ଖଜଣା ନ ନେବାରୁ ଆବାସ ଯୋଜନାରେ ଘର ମିଳିପାରୁନି। ଏଠାର ଓଡ଼ିଆ ପିଲାମାନେ ଓଡିଆ ପଢ଼ି ଓଡ଼ିଶାରେ ଚାକିରି କରିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଶଙ୍ଖାମେଦୀକୁ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗର ନଚେତ୍ ଓଡ଼ିଶାର କରାଯାଉ ବୋଲି କ୍ଷୋଭର ସହ କହିଛନ୍ତି ଏହି ଗାଁର ଲୋକମାନେ।

Advertisment

ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯିଏ ଏଠିକାର ସ୍ଥାୟୀ ବାସିନ୍ଦା ଅଛନ୍ତି ସେମାନଙ୍କୁ ରାଜସ୍ଵ ବିଭାଗ ତଦନ୍ତ କରି ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଦେବ । ଆମର ବହୁ ପଡୋଶୀ ରାଜ୍ୟ ସହ ଛୋଟମୋଟ ବିବାଦ ଅଛି ତାହାକୁ ଖୁବ ଶୀଘ୍ର ସମାଧାନ ପାଇଁ ଆଲୋଚନା ଚାଲିଛି । ଖୁଵଶୀଘ୍ର ଏହାର ସମାଧାନ ହୋଇଯିବ। ହେଲେ ବିରୋଧୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ସୁଦ୍ଧା ଶଙ୍ଖାମେଦୀର ସମାଧାନ ହୋଇପାରି ନାହିଁ। ଆଗାମୀ ଦିନରେ ଏହାଙ୍କୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିବେ ବୋଲି କହିଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ।

( ବାଲେଶ୍ୱରରୁ ପ୍ରକାଶ ମହାନ୍ତି ଓ ଅଜିତ ଦାସଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ : ଜାଗରରେ ବୋହିଲା ରକ୍ତର ନଈ ; ବାପି ପଣ୍ଡାଙ୍କ ୨ ଭାଇଙ୍କୁ ହାଣି ପକାଇଲେ

Odisha West Bengal Balasore Odia Language Border Dispute Border Issue
Advertisment
Advertisment