ଶାସନ ଅଛି, ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି, ଅବସ୍ଥା ଖରାପ । ଜିଲ୍ଳାର ବିକାଶ ପାଇଁ ପ୍ରସ୍ତୁତ ହେଉଛି ନୀଳ ନକ୍ସା । କିନ୍ତୁ ବାସ୍ତବତା ଅଲଗା । ଏଭଳି ପରିସ୍ଥିତିରେ ଯେତେ ଯାହା କଲେ ବି, ବଲାଙ୍ଗିର ଜିଲ୍ଳା ମୁଣ୍ଡରେ ଦାଦନର ଅପବାଦ ! କେବଳ ଦାନା ପାଇଁ ଜିଲ୍ଳାରୁ ଦାଦନ ଯାଉଛନ୍ତି ଲକ୍ଷାଧିକ ଶ୍ରମିକ । ଆଉ ସେଇଠି ନିର୍ଯ୍ୟାତନା ସହିତ ଅନ୍ୟ କାରଣ ଯୋଗୁଁ ଶବ ହୋଇ ଗାଁକୁ ଫେରୁଛନ୍ତି ଜଣଙ୍କ ପରେ ଜଣେ ଶ୍ରମିକ । ଏ ନେଇ ଚଳିତ ବିଧାନସଭାରେ ବି ତୁମ୍ବିତୋଫାନ ହୋଇଛି ।
କିନ୍ତୁ ଜିଲ୍ଳାରେ ଥମୁନି ଶ୍ରମିକର ଶବ ଆସିବା ଘଟଣା । ଗତକାଲି ସଇଁନ୍ତଳାରେ ଜଣେ ଶ୍ରମିକର ଶବ ଆସିଥିବା ବେଳେ, ଦିନକ ତଳେ ଟିଟିଲାଗଡ ଖୋଲାନରେ ପହଞ୍ଚିଥିଲା ଆଉ ଜଣେ ଶ୍ରମିକର ଶବ । ହେଲେ ସୁଦୂରରୁ ଶବ ଆଣିବା ପାଇଁ ଧାର କରଜ କରୁଛନ୍ତି ପରିବାର ଲୋକେ । ଇଏ ଆଉ ଏକ ବିଡମ୍ବନା ...!
ଜିଲ୍ଳାର ୧୪ ଟି ବ୍ଳକର ବି.ଡି.ଓ ମାନଙ୍କୁ ନେଇ ଜିଲ୍ଳା ବିକାଶର ମାନଚିତ୍ର ଆଙ୍କୁଛନ୍ତି ଜିଲ୍ଳା ପ୍ରଶାସନ । ଶ୍ରମ ବିଭାଗ ବି ସାମିଲ ହୋଇଛି । କିନ୍ତୁ ଇଏ ହେଉଛି ଗତକାଲିର ଘଟଣା । ପୁଣି ଆଉ ଜଣେ ଶ୍ରମିକର ଶବ ପହଞ୍ଚିଥିଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ଗାଁରେ । ୩୦ ବର୍ଷୀୟ ଭେଣ୍ଡିଆ କିଶୋର ମାଝି । ପୂରା ପରିବାର ସହ ତେଲୋଙ୍ଗାନାର ସିକନ୍ଦରାବାଦକୁ ଦାଦନ ଯାଇଥିଲେ । ଅସ୍ବାସ୍ଥ୍ୟକର ପରିବେଶରେ କାମ କରି ବିଗିଡିଗଲା ସ୍ୱାସ୍ଥ୍ୟ । ଚିକିତ୍ସା ଅଭାବରୁ ଆଖି ବୁଜିଦେଲେ ।
ବାସ୍, ଟଙ୍କା ନଥିବାରୁ ସ୍ବାମୀର ଶବ ଧରି ବସିରହିଲେ ସ୍ତ୍ରୀ । କାରଣ ଶବ ଆଣିବା ପାଇଁ ୫୬ ହଜାର ଟଙ୍କା ନେବ ବୋଲି କହିଲା ଶବ ବାହକ ଗାଡି । ୪୨ ହଜାର ଟଙ୍କାରେ କଥା ତୁଟିଲା । ଗାଁକୁ ଖବର ଦେଲେ । ଗାଁ ଲୋକେ ଧାରକରଜ କରି କିଛି ଟଙ୍କା ଯୋଗାଡ କଲେ । ଏଇ ସମୟର ଦୃଶ୍ୟ ଥିଲା ସତରେ ହୃଦୟ ବିଦାରକ। ଗାଡି ଭିତରେ ଶବ ଥିଲା । ଆଉ ଟଙ୍କା ଗଣିକି ଦେଲା ପରେ ଗାଡି ଭିତରୁ ଶବ ମୁକୁଲାଇଲେ ଗାଁ ଲୋକେ । ଘଟଣା ହୃଦୟ ବିଦାରକ ଥିଲେ ବି ସ୍ଥାନୀୟ ଅଧିକାରୀ କି ଜନପ୍ରତିନିଧି କେହି ପାଖ ମାଡିନଥିଲେ ।
ଅଧିକ ପଢନ୍ତୁ: ACF ରେବତୀ ରମଣ ଯୋଶୀଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ; ୯ଟି ସ୍ଥାନରେ କରିଛି ରେଡ୍
ବଲାଙ୍ଗିର ଜିଲ୍ଳା ଟିଟିଲାଗଡ ଉପଖଣ୍ଡରେ ଦୁଇଦିନରେ ଦୁଇ ଶ୍ରମିକଙ୍କ ଶବ ଫେରିଥିଲା । ଇଏ ହେଉଛି ଆଉ ଜଣେ ଶ୍ରମିକ ଶବ ହେବାର ଘଟଣା । ଟିଟିଲାଗଡ ବ୍ଳକ ଖୋଲାନ ପଂଚାୟତର ସିଆଲଝୁଡୁଙ୍ଗି ଗାଁ । ଗାଁର ବୃଦ୍ଧ ଟେମା ବାଗଙ୍କ ତିନିପୁଅ । ଏବେ ତିନିପୁଅ ଯାକ କାମଧନ୍ଦା ଅଭାବରୁ ତାମିଲନାଡୁ ଦାଦନ ଯାଇଛନ୍ତି । କିନ୍ତୁ ଆଖି ବୁଜିଦେଲା ସାନପୁଅ ୨୫ ବର୍ଷୀୟ ଭୀମ ବାଗ । ଏବେବି ମୃତ୍ୟୁର କାରଣକୁ ନେଇ ସନ୍ଦେହ ।
ଦୁଇଦିନ ତଳେ ଗାଁକୁ ଶବ ଆସିଲା । ଗାଁ ଲୋକଙ୍କ ସାହାଯ୍ୟରେ ଶବସତ୍କାର ହେଲା । କିନ୍ତୁ ୨୫ ବର୍ଷୀୟ ଭେଣ୍ଡିଆ ପୁଅ ମୃତ୍ୟୁର ତିନିଦିନ ପରେ ମୂଲ ଲାଗିବା ପାଇଁ ବିଲରେ ଧାନ କାଟୁଛି ବାପା । କରିବ ବା କଣ ? ପେଟକୁ ଦାନା ଦେବା ପାଇଁ ପୁଅର ମୃତ୍ୟୁର ବେଦନାକୁ ଛାତିରେ ଚାପି ପର ବିଲରେ ଧାନ କାଟୁଛି ବାପା ।
ପୁଅର ମୃତ୍ୟୁର କୋହକୁ ଛାତିରେ ଚାପି କହୁଛି, ସିଏ ତ ଗଲା..ଆଉ ଫେରିବନି....ମୁଁ କାମକୁ ନଆସିଲେ ଭୋକରେ ମରିବି...ତେଣୁ ଜୂଇର ନିଆଁ ଲିଭିନଥିବା ବେଳେ ଭୋକର ନିଆଁକୁ ପ୍ରଶମିତ କରିବାକୁ ତ ପଡ଼ିବ । ହେଲେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବି ଶ୍ରମ ଅଧିକାରୀ କହୁଛନ୍ତି, ପ୍ରତିକ୍ରିୟା ଦେବାକୁ ସମୟ ନାହିଁ । ଆଉ ଜିଲ୍ଳା ମନରେଗା ଦାୟିତ୍ବରେ ଥିବା ଅଧିକାରୀ କହୁଛନ୍ତି, ବର୍ଷକ ତିନିଶହ ଦିନର କାମ କଲା ପରେ ବି ଖୁସିରେ ଶ୍ରମିକ ଦାଦନ ଯାଉଛନ୍ତି ।