• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଯନ୍ତ୍ରାଂଶରେ ଲାଗି ଯାଇଛି ଜଙ୍କ । ଆଉ ଚାଲିବା ଅବସ୍ଥାରେ ନାହିଁ ମେସିନ । ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ବିଜୟାନନ୍ଦ ଚିନିକଳ । ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ । ନିର୍ବାଚନ ପୂର୍ବରୁ ଏହି ଚିନିକଳକୁ ମୁଦ୍ଦା କରିଥିବା ବିଜେପି ଏବେ ରାଜ୍ୟରେ କ୍ଷମତାରେ । ତେଣୁ ଅଚଳ ଚିନିକଳ ସଚଳ ହେବ । ଏହି ଆଶାରେ ଚାଷୀ । 

ଚିମିନିରୁ ବାହାରୁନି ଧୂଆଁ । ଶୁଭୁନି ମେସିନର ଶବ୍ଦ । କଳଙ୍କି ଓ ବୁଢିଆଣି ଜାଲ କବଜାରେ ମୂଲ୍ୟବାନ ଯନ୍ତ୍ରାଂଶ । ୧୦ ବର୍ଷ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗିର ଚିନି କଳ । ଭଙ୍ଗା ଦଦରା ଘର,କାରଖାନା ଚାରିପଟେ ବଣବୁଦା । ଯେଉଁ ଚିନି କଳ ଦିନେ ସାରା ଅଞ୍ଚଳକୁ ଆର୍ଥିକ ବଳ ଦେଉଥିଲା ଏବେ ସେହି କାରଖାନା ଦୁର୍ବଳ । କାରଖାନାର ଅଚଳ ମେସିନକୁ ଜଗି ରହିଛନ୍ତି ୫ରୁ ୬ ଜଣ ସୁରକ୍ଷା କର୍ମୀ। ଚିନି କଳ ଅଚଳ ଯୋଗୁ ସିଧା ପ୍ରଭାବିତ ହୋଇଛନ୍ତି ଚାକିରି ହରାଇଥିବା ଶତାଧିକ କର୍ମଚାରୀ । ଏହା ସହ ଚାଷୀଙ୍କର ଭାଙ୍ଗିଯାଇଛି ଆର୍ଥିକ ମେରୁଦଣ୍ଡ । ବଲାଙ୍ଗିର ବିଜୟାନନ୍ଦ ଚିନିକଳକୁ ଆଖୁ ଯୋଗାଇ ଗୁଜୁରାଣ ମେଣ୍ଟାଉଥିଲେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁର ଜିଲ୍ଲାର ୮ରୁ ୯ ହଜାର ଚାଷୀ । ଏବେ ନା ଅଛି ଆଖୁଚାଷ ନା ଅଛି ଚିନି କଳ । ତଥାପି ମରିନି ମନ କି ଭାଙ୍ଗିନି ବିଶ୍ବାସ । ନୂଆ ସରକାରଙ୍କ ଉପରେ ଭରସା କରି ଚିନିକଳ ଚିମିନିରୁ ପୁଣି ଧୂଆଁ ବାହାରିବ ବୋଲି ଆଶା ରଖିଛନ୍ତି ଚାଷୀ । 

ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା କାରଖାନାର ଅଚଳ ହୋଇଯାଇଛି ଅନେକ ଯନ୍ତ୍ରାଂଶ। ଏଠାରେ ବ୍ୟବହୃତ ଟେକନୋଲୋଜି ଅତି ପୁରୁଣା ବୋଲି କହିଛନ୍ତି ବିଜୟାନନ୍ଦ ଚିନିକଳର ଜେନେରାଲ ମ୍ୟାନେଜର । ନିର୍ବାଚନ ପୂର୍ବରୁ ବଲାଙ୍ଗିର ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ କାରଖାନା ବିଜୟାନନ୍ଦ ଚିନିକଳ ପୁନଃରୁଦ୍ଧାର ଥିଲା ଏକ ବଡ଼ ମୁଦ୍ଦା । ବଲାଙ୍ଗିର ଜିଲ୍ଲା ବିଜେପି ଏହି ପ୍ରସଙ୍ଗ ଉଠାଇ ତତ୍କାଳୀନ ବିଜେଡି ସରକାରଙ୍କୁ ଘେରିଥିଲା । ଏବେ ରାଜ୍ୟରେ ସରକାର ବଦଳିଛି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର କୃଷି ମନ୍ତ୍ରୀ ବି ବଲାଙ୍ଗିର ଜିଲ୍ଲାର । ତେବେ ଏନେଇ କୃଷି ମନ୍ତ୍ରୀ କନକ ବର୍ଦ୍ଧନ କହିଛନ୍ତି ଦଳ ନିର୍ବାଚନ ଇସ୍ତାହାରରେ ଯାହା କହିଛି ୫ ବର୍ଷ ଭିତରେ ଗୋଟି ଗୋଟି କରି ପୂରଣ କରିବୁ ।

ଆରମ୍ଭ ଦିନରୁ ହିଁ ଅଟକି ଅଟକି ଚାଲିଛି ଏହି ଚିନିକଳ । ୧୯୯୨ରେ ଆରମ୍ଭ ହୋଇ ୯ ବର୍ଷ ପରେ କଞ୍ଚାମାଲ ଅଭାବରୁ ବନ୍ଦ ହୋଇଯାଇଥିଲା । ତେବେ ୨୦୦୪-୦୫ରେ ରାଜ୍ୟ ସରକାର ପୁଣି କାର୍ଯ୍ୟକ୍ଷମ କରିଥିଲେ । ତେବେ ୨୦୧୨ରେ ଆର୍ଥିକ ହେରଫରେ ନେଇ ଭିଜିଲାନ୍ସ ଚଢାଉ ପରେ ପୁଣି ଠପ ହୋଇଥିଲା ଉତ୍ପାଦନ । ୨୦୧୩ରେ ପୁଣି ଚାଲିଲା ମେସିନ। ହେଲେ ବର୍ଷେ ପରେ ଅର୍ଥାତ ୨୦୧୪ରୁ କଞ୍ଚାମାଲ ଅଭାବ ଓ ସରକାରୀ ଅନୁଦାନ ନମିଳିବାରୁ କାରଖାନାରେ ତାଲା ପଡ଼ିଛି। 

 

OTV is now on Whatsapp

Join and get latest news update delivered to you via whatsapp

Join Now