• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । କାଲି ପ୍ରଥମେ ବରଗଡ଼ ଓ ୨୧ ତାରିଖରେ ସମ୍ବଲପୁରରୁ ଧାନ କିଣିବେ ସରକାର । ଏହି ଦୁଇ ଜିଲ୍ଲାରେ ଧାନକିଣା ପାଇଁ ସବୁ ମଣ୍ଡିରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଧାନ କିଣାଠୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ଉପରେ ନଜର ରଖିବେ ଜଣେ ଅଧିକୃତ ଅଧିକାରୀ ।

କଟନୀ ଛଟନୀ ଓ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ନେଇ ସେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ । ଏହାପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହାଛଡ଼ା ପ୍ରତି ୪ରୁ ୫ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଦଲାଲଙ୍କ ଉପରେ ନଜର ରଖିବ ପୋଲିସ । ଦଲାଲ ଯେପରି ମଣ୍ଡିକୁ ନପଶିବେ ସେନେଇ ପୋଲିସ ପାଟ୍ରୋଲିଂ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଚାଷୀ ଯେପରି ଉପଯୁକ୍ତ ମୂଲ୍ୟ ପାଇବା ସହ ଅତିରିକ୍ତ ୮୦୦ ଟଙ୍କାର ସହାୟତା ପାଇପାରିବେ ସେଥିପ୍ରତି ସରକାର ଅଧିକ ଫୋକସ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଏପଟେ ନୂଆପଡ଼ା ଜିଲ୍ଲାରେ ଧାନକିଣା ପ୍ରସ୍ତୁତିର ସମୀକ୍ଷା କରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଯେଉଁମାନେ ଏଭଳି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ସେହିପରି ଗତ କିଛିଦିନ ତଳେ ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର ବୋଲି କହିଛନ୍ତି । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ । ଡିସେମ୍ବର ୮ ତାରିଖରେ ବରଗଡ଼ ସୋହେଲାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଧାନକିଣା ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଆସନ୍ତା ୨୦ ତାରିଖରୁ ନଭେମ୍ବର ୮ ତାରିଖ ମଧ୍ୟରେ ଧାନ ବିକିଥିବା ଚାଷୀଙ୍କୁ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବିସିଡି ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନ ଅବଧି ଗୋଟେ ମାସ ରହିବ । ଏହାକୁ ଆଉ ୭ ଦିନ ବଢାଇବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅଧିକ ପଢନ୍ତୁ: ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା; ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ !

OTV is now on Whatsapp

Join and get latest news update delivered to you via whatsapp

Join Now