Advertisment

ମନ୍ତ୍ରୀ ଟୁକୁନି ସାହୁ ଅଟକାଇ ଦେଲେ କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ? ଟିଟିଲାଗଡ଼ ସଭାମଞ୍ଚରେ ଖୋଲି ଦେଲେ ପୋଲ୍

ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି ।

author-image
Santosh Kumar Sahoo
undefined

Tukuni Sahu

ମନ୍ତ୍ରୀ ଟୁକୁନି ସାହୁ ଅଟକାଇଦେଲେ କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ? ଟୁକୁନିଙ୍କ ଜିଦ୍ ଆଗରେ ଧୋଇଗଲା କି ପଦ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ? ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଆଗରେ କଣ୍ଟା ସାଜିଲେ କି ଟିଟିଲାଗଡ଼ ବିଧାୟିକା ଟୁକୁନି ? ସଭାମଞ୍ଚରେ ଟୁକୁନିଙ୍କ ଏଭଳି ସାଂଘାତିକ ମନ୍ତବ୍ୟକୁ ନେଇ ଏବେ ହଟଚମଟ ।

Advertisment

ସ୍ଥାନ: ଟିଟିଲାଗଡ଼, ଅବସର ଥିଲା ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା । ହେଲେ ସେହି ମଞ୍ଚ ଉପରେ ସତ ଓଗାଳିଦେଲେ ମନ୍ତ୍ରୀ ଟୁକୁନି ସାହୁ । କହିଛନ୍ତି, ପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି । ଯିଏ କହୁଛନ୍ତି ଟୁକୁନି ସାହୁ ଜିଲ୍ଲା କରିପାରିଲେନି, ତାଙ୍କୁ କହିବି, ଜିଲ୍ଲା ଯଦି ଓଡ଼ିଶାରେ ହୋଇଥାନ୍ତା ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତି । ଯଦି ପଦ୍ମପୁର ଜିଲ୍ଲା ହେବ, ଟିଟିଲାଗଡ଼ ହେବନି, ମୁଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ଇସ୍ତଫା ପତ୍ର ଦେଇଦେଇଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସେଭଳି କରିବାକୁ ଦେଲେନି ବୋଲି ସଫା ସଫା କହୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଟୁକୁନି ସାହୁଙ୍କ ଏଭଳି ମନ୍ତବ୍ୟର ଭିଡ଼ିଓ ଭାଇରାଲ୍ ହେବା ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠିଛି । ଗତ ଫେବ୍ରୁୟାରୀ ୧୯ରେ ମୁଖ୍ୟମନ୍ତ୍ରୀ ନିଜେ କଥା ଦେଇଥିଲେ ୨୦୨୩ ଡିସେମ୍ୱର ସୁଦ୍ଧା ପଦମପୁର ଜିଲ୍ଲା ହେବ। କିନ୍ତୁ ଡିସେମ୍ୱରରେ ବି ମିଳିଲାନି ମାନ୍ୟତା। ଉପନିର୍ବାଚନବେଳେ ଦୁଇ ଦୁଇ ଥର ନବୀନ ପଦ୍ମପୁରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୂରଣ ହୋଇପାରିଲାନି। ହେଲେ କେଉଁଠି ରହିଲା ସମସ୍ୟା ? ତାକୁ ନେଇ ନାନା ଚର୍ଚ୍ଚା ଭିତରେ ଏବେ ପୋଲ୍ ଖୋଲି ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅକଳରେ ପକାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ପଦ୍ମପୁରବାସୀ ଏବଂ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ଏବେ ଅସନ୍ତୋଷ ଜାହିର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି।

Advertisment

ଖାଲି ପଦ୍ମପୁର ନୁହେଁ, ଜିଲ୍ଲା ପାଇଁ ଟିଟିଲାଗଡ଼ ସମେତ ରାଜ୍ୟର ୨୫ଟି ସ୍ଥାନରୁ ପ୍ରସ୍ତାବ ଆସିଥିବା ବିଧାନସଭାରେ ତଥ୍ୟ ରଖିଥିଲେ ରାଜ୍ୟ ସରକାର। ସରକାର ଉପଯୁକ୍ତ ସମୟରେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଥିଲେ । ତେବେ ଟୁକୁନିଙ୍କ ମନ୍ତବ୍ୟ ପଛରେ ଯଦି ସତ୍ୟତା ଥାଏ, ତା’ହେଲେ କ’ଣ ରାଜନୈତିକ ଗୋଟି ଚାଳନା ଥିଲା କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ? ଆନ୍ତରିକତା ନ ଥାଇ ଭୋଟ୍ ପାଇଁ ଚାଲ୍ ଚଳାଇ ଧୂଆଁବାଣ ମାରୁଥିଲେ କି ରାଜ୍ୟ ସରକାର ? ବିରୋଧୀ ଏବେ ଏଭଳି ପ୍ରଶ୍ନ ଉଠାଇ ଘେରିଛନ୍ତି । ତେବେ ଟୁକୁନିଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି ଏହାର ଜବାବ ରଖିଛି।

BJD Tukuni Sahu General Elections 2024 Padampur
Advertisment
Advertisment