• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଜବାବ ଦେଇଛି ଭାରତ । ଏହି ପ୍ରତିଜବାବର ଗୋଟିଏ ଝଟକାରେ ଡରି ଯାଇଛି ପାକିସ୍ତାନ । ଥରି ଯାଇଛି ପାକିସ୍ତାନର ଛାତି । ଦୁଇ ପଡୋଶୀ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାରେ କ୍ଷତାକ୍ତ ହୋଇଛି ସୀମାନ୍ତବର୍ତ୍ତୀ ଗାଁ, ସହର । ପହଲଗାମ ଆକ୍ରମଣ ପରେ ସୀମାନ୍ତରେ ଗୁଳିଗୋଳା ବର୍ଷଣ ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା । ଅବଶ୍ୟ ଏବେ ନୀରବି ଯାଇଛି ଶତ୍ରୁ ପକ୍ଷର ବନ୍ଧୁକ । କିନ୍ତୁ ସୀମାନ୍ତ ଗାଁର କ୍ଷତ ଶୁଖିନି । ଏବେ ବି ଏ ଗାଁର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଖାଲି ଭୟଭୀତ ହୋଇ ନାହାନ୍ତି, ଏମାନଙ୍କର ଭବିଷ୍ୟତ ବି ଉଜୁଡି ଯାଇଛି । ଏହି ଯୁଦ୍ଧସ୍ଥିତିରେ ପ୍ରଭୂତ କ୍ଷତି ହୋଇଛି ସୀମାନ୍ତ ଗାଁରେ ରହୁଥିବା ଲୋକଙ୍କର । ଏବେ ଅସ୍ତ୍ରବିରତି ଘୋଷଣା ହେବା ପରେ ଲୋକେ; ଘରୁ ବାହାରୁଛନ୍ତି । ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଦୁଃଖ ବାଣ୍ଟିବାକୁକୁ ଚେଷ୍ଟା କରୁଛନ୍ତି । ହେଲେ ମନରୁ ଭୟ ଯାଇନି । କେଉଁଠି ଶବ୍ଦଟିକିଏ ଶୁଣିଲେ ଚମକି ପଡୁଛନ୍ତି । ଘର ଭିତରେ ଲୁଚି ଯାଉଛନ୍ତି । ତେବେ ସବୁଠାରୁ ବଡ ଚିନ୍ତା ହେଉଛି ଉଜୁଡା ଘରକୁ ସଜାଡିବେ କେମିତି ? ଆସନ୍ତୁ ଜାଣିବା, ଏହି ସୀମାନ୍ତ ଗ୍ରାମବାସୀଙ୍କ ଯୁଦ୍ଧ ପରବର୍ତ୍ତୀ ଦୁଃଖଦ ଅନୁଭୂତି ।

ଜିରୋ ଲାଇନରେ ଥିବା ଅଖନୁରର ପଲ୍ଲନବାଲା

ଅଖନୁରରେ ଜିରୋ ଲାଇନ ଉପରେ ରହିଛି ପଲ୍ଲନବାଲା ଗାଁ । ମେ’ ୧୦ ତାରିଖରେ ଭାରତ-ପାକିସ୍ତାନ ସେନା ମୁହାଁମୁହିଁ ହୋଇଥିଲେ । ଏହି ଗାଁରେ ରହୁଥିବା କମଲେଶ କୁମାରୀ ଯୁଦ୍ଧସ୍ଥିତି ଭିତରେ କିପରି ବଞ୍ଚିଥିଲେ ସେ ଅନୁଭୂତି ବାଣ୍ଟିଛନ୍ତି । ସେ କହିଛନ୍ତି, ଯୁଦ୍ଧର ବିଭୀଷିକାରେ ଏଠି ସମସ୍ତେ ଭୟଭୀତ । ଆଖି ସାମ୍ନାରେ ଦେଖିଛୁ ଗୁଳିମାଡର ଦୃଶ୍ୟ । ଏକ ଗଛକୁ ଦେଖାଇ କହୁଥିଲେ, ଏହି ବିରାଟ ଗଛଟି ପାକ ସେନାର ବୋମାମାଡରେ ଉପୁଡି ଯାଇଥିଲା । ଏହି ଗଛର ଠିକ ପଛ ପାଖରୁ ହିଁ ସାଇଁ..ସାଇଁ ଗୁଳି ଆସୁଥିଲା ।

ଏଲଓସି ନିକଟ ଗାଁରେ ଝିଅକୁ ବାହା ଦେବିନି

୪୫ ବର୍ଷର କମଳେଶ କୁମାର କହିଛନ୍ତି, ୨୬ ବର୍ଷ ହେଲା ଏହି ଏଲଓସି ନିକଟ ଏହି ଗାଁରେ ସେ ରହି ଆସୁଛନ୍ତି । ଏଠାରେ ତାଙ୍କ ସ୍ୱାମୀ, ତିନି ସନ୍ତାନ ଏବଂ ଶ୍ୱଶୁର ରହୁଛନ୍ତି । ସେ କହିଛନ୍ତି, ବିବାହ ପରେ ପରେ ଯେତେବେଳେ ସେ ଏହି ଗାଁକୁ ଆସିଥିଲେ, ସେ ଦିନ ସବୁ ଖୁବ ଭୟଙ୍କର ଥିଲା । ପୂରା ରାତିରେ ଗୁଳି ଫୁଟୁଥିଲା । ୧୯୯୯ରେ କାରଗିଲ ଯୁଦ୍ଧ ପରେ ଏହି ଗାଁ ଏକ ପ୍ରକାର ଜନଶୂନ୍ୟ ହୋଇଗଲା । ବର୍ଷ ବର୍ଷ ଧରି ଏପରି ସ୍ଥିତିରେ ରହି ବିରକ୍ତ ହୋଇ ଯାଇଥିବା କମଲେଶ କହନ୍ତି, ‘ ମୋ ଝିଅର ବାହାଘର କେବେ ବି ଏଲଓସି ପାଖ ଗାଁରେ କରିବିନି ।’’

କମଲେଶ ଆହୁରି କହିଛନ୍ତି, ଗତ କିଛି ସପ୍ତାହ ଧରି ଲୋକେ ରାତିରେ ଏଠାରେ ରହୁନାହାନ୍ତି । ୧୦ କିଲୋମିଟର ଦୂରରେ ଥିବା ବନ୍ଧୁଙ୍କ ଘରେ ରହୁଛନ୍ତି । ସେ କହିଛନ୍ତି, ‘ଆମ ଭାଗ୍ୟ ଭଲ, ମେ‘ ୧୦ ତାରିଖରେ ଯେତେବେଳେ ଦୁଇ ଦେଶ ସେନା ମୁହାଁମୁହିଁ ହୋଇଥିଲେ ଏବଂ ଆମ ଘର ଛାତ ଉପରେ ବୋମା ପଡିଥିଲା ସେତେବେଳେ ଆମେ କେହି ଘରେ ନ ଥିଲୁ ‘। ବୋମାମାଡରେ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଏକ ବିମାନ ଅପହରଣର ଲୋମଟାଙ୍କୁରା କାହାଣୀ, କରାଚୀରେ ଓହ୍ଲାଇଲା, ଖାଦ୍ୟରେ ବିଷ ମିଶାଇଥିଲା ପାକ୍ ସେନା

ଏଲଓସିଠାରୁ ୧୨ କିମି ଦୂର ସହର ରାଜୌରୀ

ମେ’ ୧୦ ତାରିଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ଶତ୍ରୁ । ଏହି ସହରରେ ରୁହନ୍ତି ୫୧ ବର୍ଷୀୟ ହୁସେନ ଅଖତର ଏବଂ ତାଙ୍କର ୧୧ ବର୍ଷର ପୁଅ । ହୁସାନ ଅଖତରଙ୍କ କହିବା ଅନୁଯାୟୀ, ଯେଉଁଦିନ ଗୋଳାବାରି ହେଲା ସେଦିନ ବାପା-ପୁଅ ଉଭୟେ ଘର ଛାଡ଼ି ପଳାଇଥିଲେ । ଏଠାରେ ବୋମାମାଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅଖତର ରାଜୌରୀର ଏକ ଗାଁର ସରକାରୀ ସ୍କୁଲରେ ପାଠ ପଢାନ୍ତି । ସେ ଯେତେବେଳେ ସ୍କୁଲରେ ଥିଲେ ହଠାତ ଜୋରଦାର ଧମାକା ହେଲା । ଏବେ ତାଙ୍କର ପରିବାର ନିକଟସ୍ଥ ଏକ ଛୋଟ ଘରେ ରହୁଛନ୍ତି ।

ଏଲଓସିର ଚକ୍କନ-ଦା-ବାଗଠାରୁ ୮ କିମି ଦୂରରେ ପୁଞ୍ଛ ଶତ୍ରୁଙ୍କ ଟାର୍ଗେଟରେ

୧୯ ବର୍ଷର ଆଫରିନ ଫିରଦୋସ ପୁଞ୍ଛ ସହରର ପୋଲିସ ଲାଇନ ଇଲାକାରେ ରୁହନ୍ତି । ମେ’ ୭ ତାରିଖ ଦିନ ଫିରଦୋସ ଏକ ବଡ ଧମାକା ହେବା ଶବ୍ଦ ଶୁଣିଲେ । ଏହି ବିସ୍ଫୋରଣରେ ତାଙ୍କର ୪୦ ବର୍ଷୀୟ ବାପା ମହମ୍ମଦ ଅକରମ ଆହତ ହୋଇଥିଲେ । ଏକ କଣ୍ଟା ତାଙ୍କ ଛାତିରେ ପଶି ବାହାରି ଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫିରଦୋସଙ୍କ ହାତ, ମୁଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ବି ଆଘାତ ଲାଗିଛି ।

ଫିରଦୋସଙ୍କ ମା’ ଫରିଦା ସ୍ୱାମୀଙ୍କ ମୃତ୍ୟୁ ପରେ ୬ ସନ୍ତାନଙ୍କୁ ନେଇ ନିକଟରେ ଥିବା ତାଙ୍କ ଗାଁକୁ ଚାଲି ଯାଇଥିଲେ । ଏବେ ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଫେରି ଆସିଛନ୍ତି । ଫରିଦା କହନ୍ତି, ଝିଅ ଆମର କଲେଜରେ ପଢିବ- ଏହା ଆମର ଏକ ସ୍ୱପ୍ନ ଥିଲା । ହେଲେ ସେ ସ୍ୱପ୍ନ କ’ଣ ସତରେ ପୂରଣ ହେବ ?’ ଫିରଦୋସ କହନ୍ତି, ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଯେମିତି ଶେଷ ହୋଯାଇଛି ।

ମଦ୍ରାସା ଶିକ୍ଷକଙ୍କୁ ଆତଙ୍କବାଦୀ ଦର୍ଶାଯାଉଛି

ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଛି । ଇତି ମଧ୍ୟରେ ଏକ ସପ୍ତାହ ବିତି ଗଲାଣି । ତଥାପି ସୀମାନ୍ତ ଇଲାକାରେ ଖୋଲିନି ମଦ୍ରାସା । ଖୋଲିନି ଛାତ୍ରାବାସ । ଏଠାରେ ଥିବା ଜାମିୟା ଜିଆ ଉଲ-ଉଲୁମ ମଦ୍ରାସାର ଶିକ୍ଷକ ମହମ୍ମଦ ଇକବାଲ । ବୟସ ୫୫ ହେବ । ପାକ ସେନା ଗୁଳିରେ ଟଳି ପଡିଥିଲେ ମହମ୍ମଦ ଇକବାଲ । ମହମ୍ମଦଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ।

ଏଲଓସିଠାରୁ ୧୫ କିମି ଦୂର ଉରିର ବାନ୍ଦି ଗାଁ

ଏଲଓସିଠାରୁ ୧୫ କିମି ଦୂରରେ ରହିଛି ଉରିର ବାନ୍ଦି ଗାଁ । ଯୁଦ୍ଧର କ୍ଷତ ଏଗାଁରୁ ଏଯାଏ ଲିଭିନି । ଏହି ଗାଁର ବାସିନ୍ଦା ମହମ୍ମଦ ଅନୱର ଶେଖ । ଅନୱରଙ୍କ କହିବା ଅନୁଯାୟୀ, ମେ’ ୧୧ ତାରିଖ ସକାଳର ଘଟଣା । ମାତ୍ର ତିନି ମିନିଟରେ ତାଙ୍କ ଘର ମାଟିରେ ମିଶି ଯାଇଥିଲା । ପାକ ସେନାର ଗୁଳିମାଡରେ ତାଙ୍କ ଘର ସମ୍ପୂର୍ଣ୍ଣ ଉଜୁଡି ଗଲା । ସେ ଘରେ ପାଳିଥିବା ପାରା, କୁକୁଡା ସମସ୍ତେ ମରିଗଲେ । ଅନୱର ଶେଖଙ୍କ ୫ ବର୍ଷର ଝିଅ ମାୟରା ଜାନ । କୁନି ଝିଅଟି ଆଖିରେ ଦେଖିଛି ଏ ଆକ୍ରମଣର ବିଭୀଷିକା । ଭୟରେ ଜିଦ୍ କରୁଛି ଶ୍ରୀନଗର ଫେରିଯିବା ପାଇଁ । କୁନି ମନକୁ ଘାରି ବସିଛି ମୃତ୍ୟୁର ଭୟ । ବାପାକୁ ପଚାରୁଛି ‘ବାପା, ସତରେ କ’ଣ ମୁଁ ମରିଯିବି ?’ କୁନି ଝିଅର ଅବୁଝା ମନକୁ କ’ଣ କହି ସାନ୍ତ୍ୱନା ଦେବେ ବାପା ? କେବଳ ଲୁହ ପୋଛି ଝିଅକୁ ଛାତିରେ ଚାପି ଧରୁଛନ୍ତି । ବାନ୍ଦି ଗାଁର ଠିକ ସାମ୍ନାରେ ରହିଛି ହାଜୀପିର ସେକ୍ଟରରେ ଥିବା ପାକିସ୍ତାନୀ ସେନାର ଆଡ୍ଡା । ତେଣୁ ପାକସେନାର ବନ୍ଧୁକ ଗର୍ଜିଲେ ଗୁଳି ଆସି ବାଜେ ଏହି ଗାଁର ଲୋକଙ୍କ ଘରେ । ପହଲଗାମ ଘଟଣା ପରେ ପାକ ସେନା ପକ୍ଷରୁ ହୋଇଥିବା ଗୁଳିମାଡରେ ଏହି ଗାଁ ଧ୍ୱଂସ ହୋଇ ଯାଇଛି ।

କୁପୱାଡାର ବାଟାପୋରା ଗାଁ

ଏଲଓସିର ୭ କିମି ଦୂରରେ ରହିଛି କୁପୱାଡାର ବାଟାପୋରା ଗାଁ । ପାକ ସେନାର ଗୁଳିମାଡରେ ଏହି ଗାଁର ବାସିନ୍ଦା ତସବୀର ଅହମ୍ମଦ ଆବାଦଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାକ ସେନାର ଏକ ବୋମା ଆସି ତାଙ୍କ ଘର ଉପରେ ପଡିଲା । ଏହାପରେ ତାଙ୍କ ଘର ସମେତ ଆଖପାଖର କିଛି ଦୋକାନ ଓ ଘର ଜଳି ଯାଇଥିଲା । ସେ ଓ ତାଙ୍କ ପରିବାର ୬ ତାରିଖ ରାତିରୁ ତାଙ୍କ ଭାଇଙ୍କ ବଙ୍କର ମଧ୍ୟରେ ଥିଲେ । ସେଦିନ ସାରା ରାତି ଗାଁ ଉପରେ ଗୁଳିମାଡ କରାଯାଉଥିଲା ।

ପିନ୍ଧିଥିବା ପୋଷାକ ବ୍ୟତୀତ କିଛି ନ ଥିଲା

ତସବୀରଙ୍କ ପତ୍ନୀ ନରଗିସ ବେଗମ ଲୁହ ଛଳଛଳ ଆଖିରେ କହନ୍ତି, ପିନ୍ଧିଥିବା ପୋଷାକ ବ୍ୟତୀତ ଆମ ପାଖରେ ଆଉ କିଛି ନାହିଁ । ଆଗକୁ କେଉଁଠି ରହିବେ, କେମିତି ଚଳିବେ ସେମାନେ ଜାଣନ୍ତି ନାହିଁ । କାରଣ ତାଙ୍କ ପାଖରେ କିଛି ହିଁ ସମ୍ବଳ ନାହିଁ । ଯଦି ସରକାର ସାହାଯ୍ୟ କରିବେ ତେବେ ସେ ପୁଣି ଥରେ ଛିଡା ହୋଇ ପାରିବେ । ୧୦ ବର୍ଷର ପୁଅ ଅମନ ସଫୀର ତୃତୀୟ ଶ୍ରେଣୀରେ ପଢୁଛି । ଘର ଛାଡି ଯିବା କଥା କହିଲେ ମୁହଁ ତାର ଶୁଖି ଯାଉଛି । କହୁଛି, ‘‘ମୁଁ ଏ ଜାଗା ଛାଡି କୁଆଡେ ଯିବିନି । ଏଠି ମୋର ସାଙ୍ଗ ଅଛନ୍ତି, ଏଠି ମୋ ଘର ଅଛି । ମୁଁ କାହିଁକି କୁଆଡେ ଯିବି ?’’

ଅଧିକ ପଢ଼ନ୍ତୁ: କବୁଲ କଲା ପାକିସ୍ତାନ; ଅପରେସନ୍ ସିନ୍ଦୂରରେ ପାକ୍‌ରେ ହୋଇଛି ଭୟଙ୍କର କ୍ଷତି