/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747474778.jpg)
Role of Pakistani Army in 1976 Indian Airlines Hijack when food poisoned
ଧର୍ମ ନାଁରେ ଭାରତଠାରୁ ବିଚ୍ଛିନ୍ନ ହୋଇଥିବା ଦେଶ ପାକିସ୍ତାନ ଆରମ୍ଭରୁ ଥିଲା ଧର୍ମାନ୍ଧ। ଆତଙ୍କ ଆଉ ରକ୍ତପାତର ନିଅଁ ଉପରେ ଛିଡା ହୋଇଥିବା ଏହି ଦେଶ, ନିଜର ବିକାଶ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ଅନ୍ୟର ବିନାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ପାକିସ୍ତାନର ଇତିହାସରେ ଲେଖା ହୋଇ ରହିଛି ଅନେକ କଳଙ୍କିତ କାହାଣୀ। ଏଇ କାହାଣୀ ମଧ୍ୟରୁ ଗୋଟିଏ ହେଉଛି ବିମାନ ଅପହରଣର ଲୋମହର୍ଷକ କାହାଣୀ।
୪୮ ବର୍ଷ ତଳର ଭୟଙ୍କର ଘଟଣା
୪୮ ବର୍ଷ ତଳେ ହୋଇଥିଲା ଏମିତି ଏକ ବିମାନ ଅପହରଣ। ଯେତିକି ଭୟଙ୍କର ସେତିକି ଲୋମଟାଙ୍କୁରା ଘଟଣା। ଭଗବାନଙ୍କ ଆଶୀର୍ବାଦ ଥିଲା ଏହି ବିମାନଯାତ୍ରୀଙ୍କ ଉପରେ। ଅପହୃତ ବିମାନ କରାଚିରେ ଅବତରଣ କରିଥିଲା। ୮୩ ଜଣ ଯାତ୍ରୀଙ୍କ ଭାଗ୍ୟ ଅଟକି ରହିଥିଲା ପାକିସ୍ତାନ ହାତରେ। ହେଲେ ଭାରତର ଗୋଟିଏ ଧମକରେ ସବୁକିଛି ବଦଳି ଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ।
ସେଦିନ ଥିଲା ୧୯୭୬ ମସିହା ସେପ୍ଟେମ୍ବର ୧୦ ତାରିଖ। ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଣ୍ଡିଆନ୍ ଏୟାର ଲାଇନ୍ସର ପ୍ଲେନ୍ ଲକ୍ଷ୍ୟସ୍ଥଳ ଉଦ୍ଦେଶ୍ୟରେ ଉଡ଼ାଣ ଆରମ୍ଭ କରିଥିଲା। ପ୍ଲେନରେ କ୍ରୁ ମେମ୍ବରଙ୍କ ବ୍ୟତୀତ ଥିଲେ ୮୩ ଜଣ ଯାତ୍ରୀ। ହେଲେ କିଏ ଜାଣିଥିଲା, ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଆରମ୍ଭ ହୋଇଥିବା ଏହି ଯାତ୍ରା, ବିମାନରେ ଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏକ ଭୟଙ୍କର ଯାତ୍ରାରେ ପରିଣତ ହୋଇଯିବ ବୋଲି?
ବିମାନ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଆରମ୍ଭ କଲା। ଦ୍ରୁତ ଗତିରେ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲା। ଇତି ମଧ୍ୟରେ ବିମାନ ଭିତରେ ବସିଥିବା ୬ ଜଣ ଯୁବକ, ଜଣକ ପରେ ଜଣେ ନିଜ ସିଟରେ ଛିଡ଼ା ହୋଇଗଲେ। ଆଉ ଠରାଠରି ହୋଇ ପରସ୍ପର ମଧ୍ୟରେ କିଛି ସୂଚନା ଆଦାନପ୍ରଦାନ କଲେ। ଏହାପରେ ସେମାନଙ୍କ ଭିତରୁ କେତେଜଣ ଯୁବକ କକ୍ ପିଟ୍ ଆଡ଼କୁ ଗଲେ। ଅନ୍ୟମାନେ ପ୍ଲେନ ଭିତରେ ଭିନ୍ନ ଭିନ୍ନ ଜାଗାରେ ଯାଇ ଛିଡ଼ା ହୋଇଗଲେ। ହଠାତ୍ ଏହି ଯୁବକମାନେ କାହିଁକି ଏପଟ ସେପଟ ହେଉଛନ୍ତି, ଏମାନଙ୍କ ପାଖରୁ କିଛି ବିପଦର ଆଶଙ୍କା ରହିଛି କି, ସେ କଥା କେହି କିଛି ଭାବିବା ବେଳକୁ ବିମାନ ଉଚ୍ଚ ଆକାଶରେ ଉଡ଼ିବା ଆରମ୍ଭ କରିସାରିଥିଲା।
ଇତିମଧ୍ୟରେ ଦୁଇଜଣ ସଶସ୍ତ୍ର ଯୁବକ ଜବରଦସ୍ତ କକ୍ ପିଟ୍ ଭିତରେ ପଶିବାରେ ସଫଳ ହୋଇ ସାରିଥିଲେ। ପାଇଲଟ୍ କିଛି କହିବା ପୂର୍ବରୁ ଉଭୟେ ପିସ୍ତଲକୁ ତାଙ୍କ କାନ ପାଖରେ ରଖିଦେଲେ। କକପିଟ ବହାରେ ଛିଡ଼ା ହୋଇଥିବା ଯୁବକ ତା' ଅସ୍ତ୍ରକୁ ଦେଖାଇ ଅନ୍ୟମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲା। ମାତ୍ର କେତୋଟି ମୁହୂର୍ତ୍ତ ଭିତରେ ସାରା ବିମାନରେ ଆତଙ୍କ ଖେଳିଗଲା। ଆତଙ୍କିତ ଯାତ୍ରୀଙ୍କ ଭିତରେ ଆରମ୍ଭ ହୋଇଗଲା କୋଳାହଳ ଓ ଚିତ୍କାରରେ। ସମସ୍ତେ ହାଇଜାକ ହାଇଜାକ ବୋଲି ଚିତ୍କାର କରୁଥାନ୍ତି। ମାରଣାସ୍ତ୍ର ଧରି ଛିଡ଼ା ହୋଇଥିବା ଯୁବକଙ୍କୁ ଦେଖି ଏବଂ ହାଇଜାକ ଚିତ୍କାର ଶୁଣି କେତେକ ପାସେଞ୍ଜର ଭୟରେ ଥରିବାକୁ ଲାଗିଥିଲେ। ମାତ୍ର କିଛି ସମୟ ଭିତରେ ଅପହରଣକାରୀମାନେ ପୁରା ବିମାନଟିକୁ ନିଜ କବ୍ଜାକୁ ନେଇ ଯାଇଥିଲେ। ଏହାପରେ ବିମାନର କ୍ୟାପ୍ଟେନ ବି.ଏନ.ରେଡ୍ଡି ଓ କୋ-ପାଇଲଟ ଆର.ଏସ.ଯାଦବଙ୍କୁ ଅପହର୍ତ୍ତମାନେ ନିର୍ଦ୍ଦେଶ ଦେଲେ, ବିମାନକୁ ଲିବିଆ ନେଇଚାଲ।
କ୍ୟାପ୍ଟେନ୍ ରେଡ୍ଡି ହାଇଜାକର ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। କହିଥିଲେ, ଏହି ପ୍ଲେନ ଦିଲ୍ଲୀରୁ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ଚକ୍କର ଲଗାଉଛି। ବର୍ତ୍ତମାନ ବିମାନରେ ଆଉ ଏତେ ବି ଇନ୍ଧନ ନାହିଁ ଯେ ଏହା ମୁମ୍ବାଇରେ ପହଞ୍ଚି ପାରିବ। ଯେତିକି ଇନ୍ଧନ ଅଛି, ସେତିକିରେ ବିମାନଟି କେବଳ ଦିଲ୍ଲୀକୁ ଫେରିଯାଇ ପାରିବ। ନଚେତ ଜୟପୁର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହାଠାରୁ ପାଦେ ଆଗକୁ ଯିବା ପାଇଁ ବିମାନରେ ଫୁଏଲ ରହିବ ନାହିଁ। ହେଲେ ଦୁଇ ହାଇଜାକର୍ସ ଚାହୁଁ ନଥିଲେ ଯେ, ବିମାନଟି ଦିଲ୍ଲୀରେ ଅବତରଣ କରୁ। ହାଇଜାକର୍ସମାନେ ପରସ୍ପର ମଧ୍ୟରେ କିଛି ସମୟ କଥାବାର୍ତ୍ତା କଲେ। ହେଲେ କେଉଁଠିକୁ ଯିବେ ସେ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ।
'ବିମାନକୁ ତାହେଲେ କରାଚୀ ନିଅ'
କ୍ୟାପ୍ଟେନ ବି.ଏନ.ରେଡ୍ଡି ପୁଣିଥରେ ହାଇଜାକର୍ସମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ଯେ, ଲିବିଆ ଯିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ଇନ୍ଧନ ନାହିଁ। ତା ଛଡା ଏକଥା ବି ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଲିବିଆ ଯିବା ପାଇଁ ଜାଳେଣି ତ ଦରକାର, ତା ସହିତ ଏୟାର ମ୍ୟାପ୍ ଏବଂ ଏଟିସି କଣ୍ଟ୍ରୋଲ ସପୋର୍ଟ ମଧ୍ୟ ଆବଶ୍ୟକ। କ୍ୟାପଟେନଙ୍କ କଥା ଶୁଣିବା ପରେ ହାଇଜାକରମାନେ ବିମାନକୁ ପାକିସ୍ତାନର କରାଚି ବିମାନବନ୍ଦରକୁ ଯିବା ପାଇଁ ଆଦେଶ ଦେଇଥିଲେ।
ଇତିମଧ୍ୟରେ ସୁଯୋଗ ଦେଖି ପାଇଲଟ୍ ଦିଲ୍ଲୀ ଏଟିସିକୁ ପ୍ଲେନ୍ ହାଇଜାକ୍ ହୋଇଥିବା ସିଗ୍ନାଲ ପଠାଇ ଦେଇଥିଲେ। ଏବେ ବିମାନ କରାଚୀ ବିମାନବନ୍ଦର ଅଭିମୁଖେ ଯାଉଥିବା ସୂଚନା ଦେଇଥିଲେ। ଏହାର ମାତ୍ର କିଛି ସମୟ ପରେ ବିମାନ କରାଚୀ ଏୟାରପୋର୍ଟରେ ଅବତରଣ କରିଥିଲା।
ଭାରତର ଚେତବନୀ ଶୁଣି ଥରହର ପାକିସ୍ତାନ
କରାଚୀ ବିମାନବନ୍ଦରରେ ପ୍ଲେନ୍ ଲ୍ୟାଣ୍ଡ କରିବାର ଅନେକ ସମୟ ବିତି ଯାଇଥିଲା। ହେଲେ ଅପହରଣକାରୀଙ୍କ ପକ୍ଷରୁ କୌଣସି ଆଲୋଚନା ଆରମ୍ଭ ହୋଇନଥିଲା। ଅପହରଣ ପଛରେ କି ଉଦ୍ଦେଶ୍ୟ ରହିଛି ବା କ’ଣ ଡିଲ୍ କରିବାକୁ ଅପହରଣକାରୀ ଚାହୁଁଛନ୍ତି, ତାହା କିଛି ଜଣାପଡ଼ି ନଥିଲା। ଇତି ମଧ୍ୟରେ ଭାରତ ସରକାର ପାକିସ୍ତାନ ସରକାରକୁ କଡ଼ା ଚେତାବନୀ ଦେଇ ସାରିଥିଲେ। ଭାରତ ପକ୍ଷରୁ କୁହାଯାଇଥିଲା ଯେ, ଯାତ୍ରୀ କିମ୍ବା କ୍ରୁ ମେମ୍ବରଙ୍କର ଯଦି କିଛି ଅସୁବିଧା ହୁଏ ତାହେଲେ ଏହାର ପରିଣାମ ପୂରା ପାକିସ୍ତାନକୁ ଭୋଗବାକୁ ପଡ଼ିବ। ଯେମିତି ବି ହେଉ, ଭାରତ ଚାହେଁ, ସବୁ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଭାରତ ଫେରି ଆସିବେ।
ଭାରତର ଏହି ଧମକ କାମରେ ଆସିଥିଲା। ଭୟଭୀତ ହୋଇ ଯାଇଥିଲା ପାକିସ୍ତାନ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଫେରାଇବାର ପ୍ରତିଶ୍ରୁତି ଦେଇଥିଲା ପାକିସ୍ତାନ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେଶନ। ରେସକ୍ୟୁ ଅପରେଶନ ଦାୟିତ୍ୱ ପାକିସ୍ତାନ ସେନାକୁ ଦିଆ ଯାଇଥିଲା। ଅନ୍ୟପକ୍ଷରେ କରାଚିରେ ଅବତରଣ କରିବା ପରେ ଅପହରଣକାରୀମାନେ ବି ନିଜକୁ ସୁରକ୍ଷିତ ଏବଂ ନିଶ୍ଚିନ୍ତ ମନେ କରୁଥିଲେ।
ଖାଦ୍ୟରେ ବିଷ ମିଶାଇ ଦେଇଥିଲେ ପାକ୍ ସେନା
ଆଶ୍ଚର୍ଯ୍ୟର କଥା ଯେ, ଅପହରଣକାରୀ ମାନଙ୍କୁ ପାକିସ୍ତାନରେ ଅତିଥି ଓ ହିରୋ ପରି ଅଭ୍ୟର୍ଥନା ଦିଆଯାଉଥିଲା। ଏହା ଦେଖି ବିମାନର ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏହା ପଛରେ ଥିବା ସେନାର ଉଦ୍ଦେଶ୍ୟକୁ କେହି ବୁଝିପାରି ନଥିଲେ। ପାକ୍ ସେନା ହାଇଜାକର୍ସମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରସିଥିଲେ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରିଙ୍କ୍ସ ମଧ୍ୟ ପଠାଇଥିଲେ । ପାକିସ୍ତାନୀ ସେନା ପକ୍ଷରୁ ଦିଆ ଯାଇଥିବା ଖାଦ୍ୟ ଓ ପାନୀୟକୁ ଖୁବ ଖୁସିରେ ଗ୍ରହଣ କରିଥିଲେ ଅପହରଣକାରୀ। ଏହାର କିଛି ସମୟ ପରେ ତା'ର ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଥିଲା।
ପ୍ରକୃତ କଥା ହେଲା, ହାଇଜାକର୍ସମାନଙ୍କ ପାଖକୁ ପଠା ଯାଇଥିବା ଖାଦ୍ୟ ଓ ପାନୀୟରେ ପାକ୍ ସେନା ନିଶାଦ୍ରବ୍ୟ ମିଶାଇ ଦେଇଥିଲେ। ତେଣୁ କିଛି ସମୟ ପରେ ହାଇଜାକର୍ସମାନେ ଅଚେତ ହୋଇ ପଡ଼ିଥିଲେ। ସମସ୍ତ ହାଇଜାକର୍ସ ବେହୋସ୍ ହେବାପରେ ପାକିସ୍ତାନ ସେନାର କମାଣ୍ଡୋ ପ୍ଲେନ୍ ଭିତରକୁ ଯାଇଥିଲେ ଏବଂ ସମସ୍ତ ହାଇଜାକର୍ସଙ୍କୁ ଗିରଫ କରିଥିଲେ। ଗିରଫ ପରେ ଏମାନଙ୍କ ପରିଚୟ ମଧ୍ୟ ମିଳିଥିଲା। ଏମାନେ ଥିଲେ ଅହସାନ ରାଠୋର, ସୟଦ ଅବଦୁଲ ହମିଦ ଦିବାନୀ, ଅବଦୁଲ ରସିଦ ମଲିକ, ସୟଦ ଏମ୍ ରଫିକ, ଖ୍ୱାଜା ଗୁଲାମ ଏବଂ ଗୁଲାମ ରସୁଲ।
ତଦନ୍ତ ପରେ ଜଣା ପଡ଼ିଥିଲା ଯେ, ଏମାନେ କାଶ୍ମୀର ଆତଙ୍କବାଦୀ ଥିଲେ। ସମସ୍ତ ହାଇଜାକର୍ସଙ୍କୁ ନିଜ କବ୍ଜାକୁ ନେବା ପରେ ୮୩ ଜଣ ଯାତ୍ରୀଙ୍କୁ ବିମାନରେ ସୁରକ୍ଷିତ ଦିଲ୍ଲୀ ପଠାଇବାର ବ୍ୟବସ୍ଥା କରିଥିଲା ପାକ୍ ସେନା। ଘଟଣା ପରଦିନ ଅର୍ଥାତ ୧୯୭୪ ସେପ୍ଟେମ୍ବର ୧୧ ତାରିଖ୍ ଦିନ ସମସ୍ତ ପାସେଞ୍ଜର୍ସ ସୁରକ୍ଷିତ ଦିଲ୍ଲୀରେ ପହଞ୍ଚିଥିଲେ
ଅପହରଣକାରୀଙ୍କୁ ମୁକ୍ତି, ସୁରକ୍ଷା ଅଧିକାରୀଙ୍କୁ ଭର୍ତ୍ସନା
ପାକିସ୍ତାନ ବିମାନ ଓ ଅପହୃତ ଯାତ୍ରୀଙ୍କୁ ସିନା ସୁରକ୍ଷିତ ଭାବେ ଭାରତ ପଠାଇଦେଲା, ହେଲେ ଅପହରଣକାରୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିନଥିଲା ପାକିସ୍ତାନ। ସେମାନଙ୍କୁ ଜେଲରେ ରଖି ମୋକଦ୍ଦମା ରୁଜୁ କରିବ ବୋଲି କହିଥିଲା। କିନ୍ତୁ ପାକିସ୍ତାନର ଏହା ଏକ ଚାଲ୍ ଥିଲା। ଏଥିରୁ ପୁଣି ଥରେ ତା'ର ମନ୍ଦ ଉଦ୍ଦେଶ୍ୟ ତଥା ଷଡ଼ଯନ୍ତ୍ରର ଗନ୍ଧ ବାରି ହୋଇ ପଡ଼ିଥିଲା। କିଛିମାସ ପରେ ପାକିସ୍ତାନ ଏହି ଅପହରଣକାରୀଙ୍କୁ ପ୍ରମାଣ ଅଭାବ ଦର୍ଶାଇ ମୁକ୍ତ କରି ଦେଇଥିଲା। ଏପଟେ ଭାରତର ତତ୍କାଳୀନ ପର୍ଯ୍ୟଟନ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାଜ ବାହାଦୁର ଏହି ଅପହରଣ ଘଟଣାର ଟିକିନିଖି ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ। ଏହି ଘଟଣାରେ ୧୧ ଜଣ ସୁରକ୍ଷା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ଏହି ଅପହରଣ ପଛରେ ଆତଙ୍କବାଦୀଙ୍କର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଅପହରଣ ପଛରେ ପାକିସ୍ତାନର କେଉଁ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଥିଲା ତାହା ଆଜିଯାଏ ରହସ୍ୟ ଘେରରେ ରହି ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)