/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748357563.jpg)
‘ଅଣ୍ଟା ଭାଙ୍ଗିଲା ସୁଧୁରିଯାଅ’
ପହଲଗାମ୍ ଆସ୍ପର୍ଦ୍ଧା ପରେ ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଥିବା ଭାରତ, ଏବେ ପୁଣି ପଡ଼ୋଶୀ ଦେଶକୁ ଦେଇଛି କଡ଼ା ମେସେଜ୍। ଗତ ଦୁଇ ଦିନ ଧରି ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ ଜନସଭାରେ ସମ୍ବୋଧନ ବେଳେ ଆତଙ୍କବାଦୀ, ପାକିସ୍ତାନ ସରକାର ଆଉ ପାକିସ୍ତାନୀ ନାଗରିକଙ୍କୁ ଚେତାଇ ଦେବା ସହ ସେମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ଶକ୍ତ ଚେତାବନୀ। ଆତଙ୍କବାଦୀଙ୍କୁ ପାଳିପୋଷି, ପାକିସ୍ତାନ ଯେଉଁ ଭାରତ ବିରୋଧୀ ରଣନୀତି ଜାରି ରଖିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପକାଉ, ନହେଲେ ଇଟାର ଯବାବ ପଥରରେ ଦିଆଯିବ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ: IT Return ତାରିଖ ଘୁଞ୍ଚିଲା, ଜାଣନ୍ତୁ କେବେ
କାଲି ଗୁଜରାଟ ଭୁଜରୁ ପାକିସ୍ତାନକୁ ଶକ୍ତ ଚେତାବନୀ... ଆଜି ଗାନ୍ଧିନଗରରୁ ପଡ଼ୋଶୀ ଦେଶର ଚୈତନ୍ୟ ଉଦୟ । ଦୁଇ ଦିନିଆ ଗୁଜରାଟ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧନ କରି ଆତଙ୍କୀସ୍ତାନ ଉଦ୍ଦେଶ୍ୟରେ ଏଭଳି କଠୋର ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଗାନ୍ଧି ନଗରରେ ବିଶାଳ ରୋଡ୍ ସୋ' ପରେ ଏକ ଜନସଭାରେ ମୋଦି କହିଛନ୍ତି ଯେ, କାହା ସହିତ ଶତ୍ରୁତା କରିବା ଭାରତର ପରଂପରା ନୁହେଁ । ବସୁଧୈବ କୁଟୁମ୍ବକମ୍ ନୀତି ଆମ ସଂସ୍କାର ଓ ଚରିତ୍ର । କିନ୍ତୁ ଆମ ଉପରେ ଆକ୍ରମଣ ହେଲେ କଣ୍ଟାକୁ କଣ୍ଟାରେ କାଢ଼ିବାକୁ ଭାରତ ଉଚିତ ମଣିବ। ଇଟାର ଯବାବ ପଥରରେ ଦିଆଯିବ।
ଗତକାଲି ଭୁଜ୍ରେ ବି ପାକିସ୍ତାନକୁ କଡ଼ା ନିଶାନା କରି ସେଠାକାର ଆର୍ଥିକ ଅବସ୍ଥା ସଂପର୍କରେ ପାକ୍ ଯୁବବର୍ଗଙ୍କୁ ସଚେତନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବାକୁ ଭୁଲି ନଥିଲେ ମୋଦି । କହିଥିଲେ, ପାକିସ୍ତାନର ଯୁବଗୋଷ୍ଠୀ ଆତଙ୍କବାଦକୁ ବିରୋଧ ନକଲେ , ଆଗକୁ ସେମାନଙ୍କୁ କେବଳ ବିପଦ ଓ ଅନ୍ଧାର ଭବିଷ୍ୟତକୁ ସାମ୍ନା କରିବାକୁ ପଡ଼ିବ । ଆଉ ଆଜି ଗାନ୍ଧିନଗରରେ ଭାରତ ଓ ପାକିସ୍ତାନର ତୁଳନାତ୍ମକ ଚିତ୍ର ରଖି, ଆତଙ୍କବାଦକୁ ସମର୍ଥନ କରି ପାକିସ୍ତାନ କିଭଳି ବିକାଶଠୁ ଦୂରେଇ ଯାଇଛି, ତାର ଉଦାହରଣ ବି ଦେଇଥିଲେ।
ସେହିଭଳି ସିନ୍ଧୁ ନଦୀ ଚୁକ୍ତି ସମ୍ପର୍କରେ ମୋଦି କହିଛନ୍ତି, ଏହି ଚୁକ୍ତି ବାତିଲ ବଳବତ୍ତର ରହିଛି। ସେତିକିରେ ପାକିସ୍ତାନର ଝାଳ ବୋହିଲାଣି। ଏବେ ୬୦ ବର୍ଷ ଧରି ସଫେଇ ହୋଇନଥିବା ଡ୍ୟାମରୁ ଅଳିଆ ହଟାଇବାକୁ ଆମେ କେବଳ କିଛି ଗେଟ୍ ଖୋଲିଛୁ । ଆଗକୁ ଆହୁରି କିଛି କରାଯାଇ ପାରିବ, ଯାହା ଭାରତ ଏଯାଏଁ କରିନି ବୋଲି ଚେତାବନୀ ଦେଇଛନ୍ତି ମୋଦି ।
ଗୋଟେ ପଟେ ପିଏମ୍ ମୋଦିଙ୍କ ଘନ ଘନ ଆକ୍ରମଣ, ଅନ୍ୟପଟେ ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ମୁଖା ଖୋଲିବାକୁ ପ୍ରୟାସ ଜାରି ରଖିଛି ଭାରତ। ବିଭିନ୍ନ ଦେଶ ଗସ୍ତରେ ଯାଇଥିବା ସର୍ବଦଳୀୟ ପ୍ରତିନିଧି ଦଳ ମଧ୍ୟରୁ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ସଦସ୍ୟ ଅସଦୁଦ୍ଦିନ ଓୱେସି କୁଏତରେ ପାକିସ୍ତାନୀ ସେନା ଚଂଚକତାର ପର୍ଦ୍ଦାଫାସ କରି ଧୁମ୍ ବର୍ଷିଛନ୍ତି। ୨୦୧୯ରେ ଚୀନର ସାମରିକ ଅଭ୍ୟାସ ଫଟୋକୁ ଭାରତ ବିରୋଧୀ ଅପରେସନ୍ ବୋଲି ପାକ୍ ସେନା ମୁଖ୍ୟ, ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିବା ଫଟୋକୁ ନେଇ ତାଚ୍ଛଲ୍ୟ କରିଛନ୍ତି ଓୱେସି । ପାକିସ୍ତାନ ସେନାମୁଖ୍ୟ ମୁନିରଙ୍କୁ ବୁଦ୍ଦୁ ଆଉ ଜୋକର୍ ବୋଲି କହି 'ନକଲ ପାଇଁ ବି ଅକଲ ଦରକାର କହିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)