/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734448446.jpg)
ଏକକ ନିର୍ବାଚନ ଜେପିସିରେ ବିଲ୍
ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍, ୱାନ୍ ଇଲେକ୍ସନ୍ ବିଲ୍ । ସଂସଦରେ ପ୍ରଥମ ଥର ପାଇଁ ଇ-ଭୋଟିଂ ହୋଇ, ସଂଖ୍ୟାଗରିଷ୍ଠ ସମର୍ଥନ ଆଧାରରେ ଏହାକୁ ଆଗତ କରାଯାଇଛି ଏବଂ ବିସ୍ତୃତ ଆଲୋଚନା ପାଇଁ ପଠାଯାଇଛି ଯୁଗ୍ମ ସଂସଦୀୟ କମିଟି- JPCକୁ । ସାରା ଦେଶରେ ଏକକାଳୀନ ନିର୍ବାଚନ ହେଲେ ପ୍ରଶାସନିକ କାର୍ଯ୍ୟକାରିତା ସହ ଭୋଟ୍ ହାର ବଢ଼ିବ ଏବଂ ନିର୍ବାଚନ ବାବଦ ଖର୍ଚ୍ଚ କମିବ ବୋଲି ଶାସକ ମେଣ୍ଟ ପକ୍ଷରୁ କୁହାଯାଉଥିବା ବେଳେ, ବିରୋଧୀ ଏହାକୁ ଅଣସାମ୍ବିଧାନିକ ବୋଲି ଯୁକ୍ତି ବାଢ଼ୁଛନ୍ତି । ସେପଟେ ଏହି ସମ୍ବିଧାନ ସଂଶୋଧନ ବିଲକୁ ଆଇନରେ ପରିଣତ କରିବା ପାଇଁ ସବୁ ପର୍ଯ୍ୟାୟରେ ଦୁଇ ତୃତୀୟାଂଶ ଭୋଟ୍ ଆବଶ୍ୟକ ଥିବାରୁ, ଏଥିପାଇଁ ଶାସକ ଦଳକୁ ବହୁ କସରତ କରିବାକୁ ପଡ଼ିବ ବୋଲି କୁହାଯାଉଛି ।
ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏହି ବିଲ୍ ଉପସ୍ଥାପନ କରିବା ମାତ୍ରେ, ଏହା ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ ବୋଲି ଦର୍ଶାଇ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିରୋଧୀ ଦଳ।
ଅଧିକ ପଢ଼ନ୍ତୁ: ବନ୍ଦ ହୋଇ ପଡିରହିଥିଲା ମହାଦେବ ମନ୍ଦିର, ଉଦ୍ଧାର ହେଲା
ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, କ୍ୟାବିନେଟରେ ଏହି ବିଲ୍ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଥିଲେ ଯେ, ଏହା ସବୁ ସ୍ତରରେ ବିସ୍ତୃତ ଆଲୋଚନା ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା JPCକୁ ପଠାଯିବା ଉଚିତ । ଏହା ପରେ ଡିଭିଜନ୍ ଅଫ୍ ଭୋଟ୍ ଆଧାରରେ ବିଲ୍ ଆଗତ ହେବ କି ନାହିଁ ସ୍ଥିର କରିବା ପାଇଁ, ସଂସଦ ଇତିହାସରେ ପ୍ରଥମ ଥର ପାଇଁ ହୋଇଥିଲା ଇ-ଭୋଟିଂ । ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା। ବିଲ୍ ସମର୍ଥନରେ ଅଧିକ ଭୋଟ୍ ପଡ଼ିବାରୁ ଏକକ ନିର୍ବାଚନ ବିଲ୍ ଲୋକସଭାରେ ବିଧିବଦ୍ଧ ଭାବେ ଆଗତ ହେବା ସହିତ, ଏହାକୁ JPCକୁ ପଠାଯାଇଛି।
ଗୋଟିଏ ଦେଶ ଗୋଟିଏ ନିର୍ବାଚନ । ଅର୍ଥାତ୍ ଏକାଠି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହାର ୧୦୦ ଦିନ ଭିତରେ କରାଯିବ ପୌର ଓ ପଞ୍ଚାୟତ ନିର୍ବାଚନ। ବିଧେୟକ, ଆଇନରେ ପରିଣତ ହେଲେ ୨୦୩୪ ମସିହାଠାରୁ ଲାଗୁ ହେବ । ଲୋକସଭା କିମ୍ବା କୌଣସି ବିଧାନସଭା ଅଧାରୁ ଭାଙ୍ଗିଲେ କେବଳ ସେହି ବିଧାନସଭା କ୍ଷେତ୍ର ପାଇଁ ମଧ୍ୟବର୍ତ୍ତୀ ନିର୍ବାଚନ ହେବ ଏବଂ ନିର୍ବାଚିତ ସରକାର ୫ ବର୍ଷରୁ ବାକି ଥିବା ଅବଧି ପାଇଁ କାର୍ଯ୍ୟ କରିବ। ତେବେ ଅତ୍ୟାବଶ୍ୟକ କାରଣ ପାଇଁ କୌଣସି ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ ପଡେ, ସେହି ଅଧିକାର ନିର୍ବାଚନ କମିଶନ ପାଖରେ ରହିବ । ୨୦୨୪ ଲୋକସଭା ନିର୍ବାଚନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗକୁ ବିଜେପି ସଂକଳ୍ପ ପତ୍ରରେ ସାମିଲ କରିଥିବା ବେଳେ, କିଛି ଦିନ ତଳେ ଏହାକୁ ଅନୁମୋଦନ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍ । ଏହା ପୂର୍ବରୁ ଗତ ମାର୍ଚ୍ଚରେ ଏକକ ନିର୍ବାଚନର ରୂପରେଖ ଓ କାର୍ଯ୍ୟକାରିତା ପରଖି ରିପୋର୍ଟ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି। ଏକକ ନିର୍ବାଚନ ଦ୍ବାରା ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ନିର୍ବାଚନ ବାବଦ ଖର୍ଚ୍ଚ କମ୍ ହେବା ସହିତ, ମତଦାନ ହାର ମଧ୍ୟ ବଢ଼ିପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)