• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପଟେ ଶପଥ ନେବା ପୂର୍ବରୁ ନିଜ ମାଆଙ୍କ ଆର୍ଶୀବାଦ ନେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ବିଜେପିର ଯୁବ ଚେହେରା ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଦେବେନ୍ଦ୍ର ଫଡନାଭିସ୍‌ । ସେହିପରି ୨୦୧୯ରୁ ୨୦୨୨ ଯାଏ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୨୨ରୁ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବେନ୍ଦ୍ର ଫଡନାଭିସ ।

୧୯୯୭ରୁ ୨୦୦୧ ଯାଏ ସେ ନାଗପୁରରେ ମେୟର ଥିଲେ । ଦେବେନ୍ଦ୍ରଙ୍କ କଥା କହିବାକୁ ଗଲେ, ସେ ହେଉଛନ୍ତି ମହାରାଷ୍ଟ୍ରରେ ବିଜେପିର ସବୁଠାରୁ ବଡ଼ ନେତା, ବ୍ରାହ୍ମଣ ଚେହେରା ମଧ୍ୟ । ଆରଏସଏସ ଏବଂ ବିଜେପିର ଶୀର୍ଷ ନେତାଙ୍କ ପସନ୍ଦ ହେଉଛନ୍ତି ଦେବେନ୍ଦ୍ର । ଅନ୍ୟପଟେ ଶିବସେନା ନେତା ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାଭିସ୍‌ । ମୁମ୍ବାଇରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାନୀଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ସେଠାରେ ସର୍ବସମ୍ମତରେ ଫଡନାଭିସ୍‌ ନେତା ନିର୍ବାଚିତ ହୋଇଥିଲେ । ଏଥିସହ ୧୨ ଦିନ ଧରି ଚାଲିଥିବା CM ସସ୍‌ପେନ୍ସ ଉପରୁ ପରଦା ହଟିଥିଲା ।

ଆଉ ସେପଟେ ଗତକାଲି ଅପରାହ୍ନରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ ମହାୟୁତି ମେଣ୍ଟ ନେତା । ଦେବେନ୍ଦ୍ର ଫଡନାଭିସ୍‌, ଏକନାଥ ସିନ୍ଧେ, ଅଜିତ ପାୱାର ପ୍ରମୁଖ ରାଜ୍ୟପାଳଙ୍କୁ ମିଳିତ ଭାବେ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟପଟେ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ରାଜନୀତି, କ୍ରୀଡ଼ା, ଫିଲ୍ମ ଓ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜନାଥ ସିଂ, ଜେପି ନଡ୍ଡା, ଗଡ଼କରି, ସୀତାରମଣ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଛନ୍ତି । ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଯୋଗୀ ଆଦିତ୍ୟନାଥ, ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ପ୍ରମୁଖ ଶପଥ ସମାରୋହରେ ଯୋଗଦେଇଛନ୍ତି।

ମହାୟୁତି ମେଣ୍ଟର ବିଜୟ ପରେ ଗତ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଧେ ଇସ୍ତଫା ଦେଇଥିଲେ । ଏକନାଥ ସିନ୍ଧେ ରାଜ ଭବନ ଯାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ଇସ୍ତଫା ଦାଖଲ କରିଥିଲେ । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଧେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ । ଏକନାଥ ସିନ୍ଧେଙ୍କ ସହ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଥିଲେ ।

ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ମହାବିଜୟ ହୋଇଥିଲା । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୦ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଥିଲା ୧୩୨ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି ।

ଅଧିକ ପଢ଼ନ୍ତୁ: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

OTV is now on Whatsapp

Join and get latest news update delivered to you via whatsapp

Join Now