ସବୁ କଳ୍ପନାଜଳ୍ପନାର ଅନ୍ତ। ସିଏମ ସସପେନ୍ସରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ । କୋର୍ କମିଟି ବୈଠକରେ ଫଡ଼ନାଭିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି। ଏଣେ ନୂଆ ସରକାର ଶପଥ ନେବାକୁ ସଜବାଜ ହେଲାଣି ।ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାବିସ୍ । ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।
ମହାୟୁତିର ମହା ବିଜୟ ପରେ ଏବେ 'ମହା' ମୁଖ୍ୟମନ୍ତ୍ରୀ ହେବେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ ।
Also Read
ଗତ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଇସ୍ତଫା ଦେଇଥିଲେ । ଏକନାଥ ସିନ୍ଦେ ରାଜ ଭବନ ଯାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ଇସ୍ତଫା ଦାଖଲ କରିଥିଲେ । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ । ଏକନାଥ ସିନ୍ଦେଙ୍କ ସହ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଥିଲେ ।
ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ମହାବିଜୟ ହୋଇଥିଲା । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୦ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୨ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି ।
ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ ।