Advertisment

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today President Draupadi Murmu To Visit Odisha

Today President Draupadi Murmu To Visit Odisha

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି। ଏହାପରେ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସେ ପଢୁଥିବା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସକୁ ସଜା ଯାଇଛି। 

Advertisment

୧୯୭୦ରୁ ୭୪ ଯାଏ ଏହି ସ୍କୁଲ୍‌ରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ଯେଉଁ ହଷ୍ଟେଲ୍‌ରେ ସେ ରହୁଥିଲେ ସେହିସବୁ ବ୍ଲକ୍‌କୁ ସଜାଯାଇଥିବା ବେଳେ ସେ ଶୋଉଥିବା ଖଟକୁ ବି ସେଠି ରଖାଯାଇଛି। ଏଠି ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିବେ ରାଷ୍ଟ୍ରପତି। ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ବେଶ୍‌ ଉତ୍ସାହିତ ଅଛନ୍ତି। ଏହାପରେ ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।  

ଅଧିକ ପଢ଼ନ୍ତୁ: ମ୍ୟାଡମ୍ ଦ୍ରୌପଦୀ ମୁର୍ମୁଙ୍କ ଅତ୍ୟାଧୁନିକ ମର୍ସିଡିଜ୍ ବେଞ୍ଜ S400 କାର୍‌

Advertisment

ଆଜି ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି। ବିମାନ ତାଳବଣିଆରେ ଓହ୍ଲାଇବା ପରେ ସେଠୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ ରାଷ୍ଟ୍ରପତି।  ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାସହ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯିବ।

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ। ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି। ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ବାହୁଡ଼ି ଯିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହେବ। ବିମାନବନ୍ଦରରୁ ରାଜଭବନ  ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେକ୍ଟର, ୬୨ ଜଣ ଏସିପି, ୨୨ ଜଣ ଏଡିସିପି ରାଙ୍କର ଅଫିସର ଓ ୪ ଜଣ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ପୁରୀରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ହେବନି ସେ ନେଇ ନଜରରେ ରଖାଯାଇଛି। ସେପଟେ ଆଜି ଦିନ ଗୋଟାଏ ପରେ ବନ୍ଦ ରହିବ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ସରକାରୀ ଓ ଘରୋଇ ସ୍କୁଲ କଲେଜ ଏବଂ ସରକାରୀ ଅଫିସ୍ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। 

Draupadi Murmu President Draupadi Murmu
Advertisment
Advertisment