Advertisment

ସହିଦଙ୍କ ପାଇଁ ସଭିଏଁ ଏକାଠି: ଅମର ରହେ ଧ୍ୱନୀ ସାଙ୍ଗକୁ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଲେ ମୁସଲମାନ ସଂପ୍ରଦାୟର ଲୋକେ

ଶୋକାକୁଳ ପରିବେଶ ଭିତରେ ସମ୍ପନ୍ନ ହୋଇଛି ପୁଞ୍ଚ୍ ଆତଙ୍କୀ ଆକ୍ରମଣରେ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କ ଜନ୍ମ ମାଟି ପୁରୀ ଅଳଗୁମ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଜଳିଛି ସହିଦଙ୍କ ଚିତା।

author-image
Chandan Shishu
ଅଦ୍ୟତନ ହୋଇଛି
Poonch terror attack |

Poonch terror attack |

ଦେଶ ପାଇଁ ଜୀବନ ଦେଇ ଜାତିର ଗୌରବ ପାଲଟିବା ପରେ ଗର୍ବରେ ଫୁଲି ଉଠୁଛି ଅଳଗୁମ ଗାଁ ଲୋକଙ୍କ ଛାତି। ଏପଟେ ଅନ୍ଧର ଲଉଡ଼ି ଓ ଶ୍ରବଣ କୁମାରଙ୍କୁ ହରାଇ ଭାଙ୍ଗିଯାଉଛି ବାପାର ହୃଦୟ। ପୁଞ୍ଚ୍ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଦେଶର ଟେକ ରଖିଥିବା ପୁରୀ ସତ୍ୟବାଦୀ ମାଟିର ବୀର ସନ୍ତାନ ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୁତରେ ଲୀନ ହୋଇଛି। ଖଣ୍ଡାୟତସାହି ଗାଁ ଶ୍ମଶାନରେ ଅତ୍ୟନ୍ତ ଶୋକାକୁଳ ପରିବେଶ ଭିତରେ ସହିଦଙ୍କୁ ବିଦାୟ ଦେଇଛି ଜନ୍ମମାଟି।

Advertisment

ଦେବାଶିଷଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ବ ରୁ ସତ୍ୟବାଦୀ ଅଭିମୁଖେ ବାହାରିବା ପୂର୍ବରୁ ଲୋକାରଣ୍ୟ ହୋଇ ସାରିଥିଲା ସାରା ଅଳଗୁମ ଗାଁ। ସହିଦଙ୍କୁ ଶେଷ ସମ୍ମାନ ଦେବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିବାର ଦୃଶ୍ୟ ହିଁ ବୟାନ କରୁଥିଲା, ତାଙ୍କୁ ହରାଇ କେତେ ମିୟମ୍ରାଣ ଜନ୍ମମାଟି। ମାତ୍ର ୨୬ ବର୍ଷ ବୟସରେ ଦେଶପାଇଁ ଜୀବନ ଦେବାର ନିଷ୍ଠୁର ସତ୍ୟକୁ ସହି ନପାରି ଲୁହ ଯେମିତି ଢାଳୁଥିଲା ସମଗ୍ର ସତ୍ୟବାଦୀ। ଏପଟେ ଗାଁରେ ମରଶରୀର ପହଞ୍ଚିବା ପରେ ଶୋକ ସାଗରେରେ ବୁଡ଼ି ଯାଇଥିଲା ଅଳଗୁମ ଗାଁ। ବୋଲ ମାନୁନଥିଲା ପରିବାର, ବନ୍ଧୁ ପରିଜନ, ଆତ୍ମୀୟ ଓ ସମ୍ପର୍କୀୟଙ୍କ ଆଖି। ତାରି ଭିତରେ ଗାଁ ଶ୍ମଶାନକୁ ଯାଇଥିଲା ସହିଦଙ୍କ ପାର୍ଥିବ ଶରୀର।

ସେଠାରେ ପ୍ରାଦେଶିକ ସେନାର ୧୨୦ ପଦାତିକ ବାଟାଲିୟନ ପକ୍ଷରୁ ସହିଦଙ୍କୁ ୨୪ ତୋପ ସଲାମୀ ସାଙ୍ଗକୁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିଲା ଗାର୍ଡ ଅନର। ସାନ ଭାଇ ମୁଖାଗ୍ନି ଦେବା ପରେ ଜଳି ଉଠିଥିଲା ସହିଦଙ୍କ ଚିତା। ଏପଟେ ଆଜି ସକାଳ ପ୍ରାୟ ୭ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର। ତା ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯେମିତି ଅପେକ୍ଷା କରିଥିଲା ଓଡ଼ିଶା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେପି ରାଜ୍ୟ  ସଭାପତି ମନମୋହନ ସାମଲ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Advertisment

ସେହିଭଳି ବହୁ ପୂର୍ବତନ ସେନା ଅଧିକାରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ସେନା ପକ୍ଷରୁ ଶୋକଶସ୍ତ୍ର ସଲାମି ଦିଆଯାଇଥିଲା। ଏହି ଅବସରରେ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ପରେ ବିମାନବନ୍ଦରରୁ ଏକ ସୁସଜ୍ଜିତ ଗାଡ଼ିରେ ଗାଁ ଅଭିମୁଖେ ଯାତ୍ରା କରିଥିଲା ସହିଦଙ୍କ ପାର୍ଥୀବ ଶରୀର। ସହିଦ ଦେବାଶିଷଙ୍କ ମର ଶରୀର ଆଜି ଗାଁ ଅଭିମୁଖେ ଆସିବା ବେଳେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ। ଭାଇଚାରାର ଭାବ ଭିତରେ ବାନ୍ଧି ହୋଇଥିଲେ ଅଞ୍ଚଳର ମୁସଲମାନ ସଂପ୍ରଦାୟର ଲୋକେ। ଇଦର ଖୁସି ଭିତରେ ସହିଦ ଅମର ରହେ ଧ୍ବନୀ ସାଙ୍ଗକୁ ପାକିସ୍ତାନ ମୁର୍ଦ୍ଦାବାଦର ନାରା ବି ଦେଇଥିଲେ।

ସେହଭଳି କୁନି କୁନି ପିଲାଙ୍କ ହାତରେ ଜାତୀୟ ପତାକା ସାଙ୍ଗକୁ ସହିଦଙ୍କ ଜୟଜୟକାର ଓ ସ୍ଥାନୀୟ ଅଞ୍ଚଳର ମହିଳାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଖଣ୍ଡାୟତ ସାହିର ଯୁବକଙ୍କ ପାରମ୍ପାରିକ ଖଣ୍ଡାବୁଲା କଳା କୌଶଳ ବି ଦେଖିବାକୁ ମିଳିଥିଲା।

ରିପୋର୍ଟ: ଦ୍ୟୁତିକୃଷ୍ଣ ପଟ୍ଟନାୟକ

Odia Jawan Martyred Terror Attack
Advertisment
Advertisment