/odishatv-khabar/media/post_attachments/uploadimage/library/16_9/16_9_0/Attack_1734770987.jpg)
Attack
ରୁଷର କାଜାନ ସହରରେ ଏକ ଭୟଙ୍କର ଆକ୍ରମଣ । ଏହା ପୁଣି ଥରେ ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣକୁ ମନେ ପକାଇ ଦେଇଛି। ରୁଷର କାଜାନ ସହରରେ ସିରିଏଲ ଡ୍ରୋନ୍ (UAV) ଦ୍ୱାରା ଆକ୍ରମଣ ହୋଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣ ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ରୁଷ କହିଛି ଯେ ସମସ୍ତ ଡ୍ରୋନକୁ ନଷ୍ଟ କରିଦିଆଯାଇଛି।
#ଋଷରେ_ୟୁକ୍ରେନ୍ର_ଡ୍ରୋନ୍_ଆଟାକ୍
ଋଷରେ ୯/୧୧ ପରି ଆକ୍ରମଣ । ଋଷ ଉପରେ ୟୁକ୍ରେନ୍ର ବଡ଼ ଆକ୍ରମଣ । କଜାନ ସହରରେ ଥିବା ଏକ ବଡ଼ ବିଲ୍ଡିଂ ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କଲା ୟୁକ୍ରେନ ।#Russia#Ukraine#DroneAttack#OTVpic.twitter.com/hNF6l5CL3K— ଓଟିଭି (@otvkhabar) December 21, 2024
କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି। ଏହାପରେ ଏକ ବଡ ବିସ୍ଫୋରଣ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପଛରେ ୟୁକ୍ରେନର ହାତ ଥିବା ରୁଷ ସିଧାସଳଖ ଅଭିଯୋଗ କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନ ଦ୍ୱାରା ହୋଇଛି ।
ରୁଷ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ବିଲ୍ଡିଂରେ ଲୋକମାନେ ରହୁଥିଲେ। ତେଣୁ ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଆଉ ଏକ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ନିକଟସ୍ଥ ବିଲ୍ଡିଂଗୁଡିକୁ ମଧ୍ୟ ଖାଲି କରିଦିଆ ଯାଇଛି। ଏଥି ସହିତ ରୁଷର କାଜାନ ସହର ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି।
ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ । ବିଶାଳ ଅଟ୍ଟାଳିକାରେ ୮ଟି ବିସ୍ଫୋଟକ ଡ୍ରୋନ୍ ମାଡ଼ । ଦେଖନ୍ତୁ ଏହି ଭିଡିଓ....#Ukrain#DroneAttack#OTVpic.twitter.com/3YbpZTP7Ox
— ଓଟିଭି (@otvkhabar) December 21, 2024
ଏହି ଆକ୍ରମଣ ଉପରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପ୍ରତିକ୍ରିୟା ରଖିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ କାଜାନ ସହର ଉପରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଦେଇଛି । ଏଥି ସହିତ, ରୁଷର ମିଡିଆ ଏଜେନ୍ସି ସ୍ପୁଟନିକ୍ କାଜାନର ମେୟରଙ୍କ କାର୍ଯ୍ୟାଳୟରୁ କହିଛି ଯେ ଡ୍ରୋନ୍ ଆକ୍ରମଣ ହେତୁ ୩ ଜିଲ୍ଲା ସୋଭେତସ୍କି, କିରେସ୍କି ଏବଂ ପ୍ରିଭୋଲଜସ୍କିରେ ଥିବା ବିଲ୍ଡିଂରେ ନିଆଁ ଲାଗିଯାଇଛି। ଡ୍ରୋନ୍ ଆକ୍ରମଣ କାରଣରୁ ନିଆଁ ଲାଗିଥିବା ଅଟ୍ଟାଳିକାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ବିଲଡିଂରୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦିଆଯାଉଛି।
କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି । କାରଣ ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥର ପ୍ରଥମ ଥର ପାଇଁ କାଜାନରେ ଅନୁଷ୍ଠିତ ୧୬ ତମ ବ୍ରିକ୍ସ ସମ୍ମିଳନୀରେ ସଂଯୁକ୍ତ ଆରବ ଏମିରେଟ୍ସ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ଆକ୍ରମଣକୁ ଆମେରିକାରେ 9/11 (ବିଶ୍ୱ ବାଣିଜ୍ୟ କେନ୍ଦ୍ର) ଆକ୍ରମଣ ଭଳି ବର୍ଣ୍ଣନା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)