Australia Ban Social Media For Children: ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫେସବୁକ୍ ଏବଂ ଟିକ୍‌ଟକ୍ ଭଳି ପ୍ଲାଟଫର୍ମର ପ୍ରଭାବ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି ।

୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌

ସୋସିଆଲ ମିଡିଆକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଗୁରୁବାର ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଲାଗୁ କରିବା ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫେସବୁକ୍ ଏବଂ ଟିକ୍‌ଟକ୍ ଭଳି ପ୍ଲାଟଫର୍ମର ପ୍ରଭାବ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି । ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ କହିଛନ୍ତି ଯେ ଯଦି ରେଗୁଲେଟର୍ସ ଜାଣନ୍ତି ଯେ ଯୁବ ଉପଭୋକ୍ତାମାନେ ଏହି ନିୟମ ଭଙ୍ଗ କରୁଛନ୍ତି, ତେବେ ଟେକ୍ ଜଏଣ୍ଟ ଦାୟୀ ରହିବ ଏବଂ ସେମାନଙ୍କ ଉପରେ ଭାରି ଜରିମାନା ମଧ୍ୟ ଲାଗିବ ।

ସୂଚନା ଅନୁସାରେ ଅଷ୍ଟ୍ରେଲିଆ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ସୋସିଆଲ ମିଡିଆ ଉପରେ କଡ଼ା କଟକଣା ଲଗାଇବାକୁ ଚେଷ୍ଟା କରୁଛନ୍ତି । ତେବେ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗୁ କରିବା ସବୁଠାରୁ କଠୋର କାର୍ଯ୍ୟ ହେବ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ‘ଏହା ପିତାମାତାଙ୍କ ପାଇଁ । ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅନେକ କ୍ଷତି ଘଟାଉଛି ଏବଂ ମୁଁ ଏହାକୁ ବନ୍ଦ କରିବାକୁ ଚାହୁଁଛି’।

ଅଧିକ ପଢ଼ନ୍ତୁ: ଟାବଲେଟ୍‌ ପାଇବେ କୁନିକୁନି ପିଲା; ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଦେବେ ଏହି ସରକାର

ନଭେମ୍ବରରେ ସଂସଦରେ ପ୍ରସ୍ତାବ ଦିଆଯିବା ପୂର୍ବରୁ ଏହି ଆଇନ ରାଜ୍ୟ ତଥା ଅଞ୍ଚଳର ନେତାମାନଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । ସଂସଦରେ ଏହି ଆଇନ ପାରିତ ହେବା ପରେ, ଏହି ନିୟମକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଟେକ୍ ପ୍ଲାଟଫର୍ମଗୁଡ଼ିକୁ ଏକ ବର୍ଷ ସମୟ ଦିଆଯିବ । ତେବେ ଏହି ନିୟମ ଲାଗୁ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କ ପ୍ରବେଶକୁ ରୋକିବା ପାଇଁ ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ବିଷୟ ।

ତେବେ ଏହି ନୂଆ ନିୟମକୁ ନେଇ ଅଷ୍ଟ୍ରେଲିଆର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମିସେଲ ରୋଲାଣ୍ଡ କହିଛନ୍ତି ଯେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ ଏବଂ ‘ଫେସବୁକ’ ଏହି ତାଲିକାରେ ଅଛି । ଏହା ସହିତ ଟିକ୍‌ଟକ୍‌ ଏବଂ ଏଲନ୍‌ ମସ୍କର ‘ଏକ୍ସ’ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ । ଆଶା କରାଯାଉଛି କି ୟୁଟ୍ୟୁବ୍‌କୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରେ ।

ତେବେ ଏହାପୂର୍ବରୁ ମଧ୍ୟ ଅନେକ ଦେଶ ଏଭଳି ଆଇନ ମାଧ୍ୟମରେ ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆର ବ୍ୟବହାରକୁ ରୋକିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆର ନୀତି ବହୁତ କଠୋର ଅଟେ । ଏହି ତାଲିକାରେ ଫ୍ରାନ୍ସର ନାମ ମଧ୍ୟ ରହିଛି । ଫ୍ରାନ୍ସ ଗତ ବର୍ଷ ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିଲା । ସେହିପରି ଆମେରିକା ମଧ୍ୟ ୧୩ ବର୍ଷରୁ କମ୍ ପିଲାଙ୍କ ତଥ୍ୟ ପାଇବାକୁ ପିତାମାତାଙ୍କଠାରୁ ଅନୁମତି ନେବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛି ।

ଏହି ନିୟମକୁ ନେଇ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବୟସ ସୀମାକୁ ସେ ସମ୍ମାନ ଦେବ । କିନ୍ତୁ ‘ମେଟା’ର ସୁରକ୍ଷା ମୁଖ୍ୟ ଆଣ୍ଟିଗୋନ୍ ଡେଭିସ୍ କହିଛନ୍ତି ଯେ ଏହି ପ୍ରତିବନ୍ଧକ କିପରି କାର୍ଯ୍ୟକାରୀ ହେବ ସେନେଇ ଅଷ୍ଟ୍ରେଲିଆ ଭଲ ଭାବରେ ଚିନ୍ତା କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ: ଏହି ସରକାର କଲେ ବଡ଼ ଘୋଷଣା, UPSC Mains ପାସ୍‌ କଲେ ମିଳିବ ଲକ୍ଷେ ଟଙ୍କା