• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବର୍ଷା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ହଠାତ ଏମିତି ବର୍ଷା ହେଲା ବନ୍ୟା ହୋଇଗଲା । ଆମେରିକାର ଟେକ୍ସାସରେ ରାତାରାତି ଆସିଥିବା ବନ୍ୟା ଏକ ପ୍ରକାର ପ୍ରଳୟ ରଚିଛି । ଯେତିକି ବର୍ଷା ମାସ ସାରା ହେବା କଥା ସେତିକି ବର୍ଷା ମାତ୍ର ଗୋଟିଏ ଘଣ୍ଟା ଭିତରେ ହୋଇଛି ।

ଏଥିରେ ୨୪ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୨୫ଜଣ ପିଲା ନିଖୋଜ ଅଛନ୍ତି । ରେସକ୍ୟୁ ଟିମ ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।

ଶୁକ୍ରବାର ଟେକ୍ସାସର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯାହା ପରେ ବନ୍ୟା ସ୍ଥିତି ଉପୁଜିଥିଲା । ଏନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୌଣସି ଚେତାବନୀ ଦିଆଯାଇନଥିଲା ।

ଅଧିକ ପଢ଼ନ୍ତୁ: ଜିନପିଙ୍ଗଙ୍କ ଯୁଗ ଶେଷ, ଚୀନରେ ପଟ୍ଟ ପରିବର୍ତ୍ତନର ଆଭାସ !

ପ୍ରବଳ ବର୍ଷାରେ ଗ୍ବାଡାଲୁପ ନଦୀର ଜଳସ୍ତର ଗୋଟିଏ ଘଣ୍ଟା ଭିତରେ ୨୬ ଫୁଟ ଉପରକୁ ଉଠିଥିଲା । ଫଳରେ ବନ୍ୟାପାଣି ଜନବସତି ଆଡକୁ ମାଡ଼ିଆସିଥିଲା । ବନ୍ୟା ପାଣିରେ ଅନେକ ଅସ୍ଥାୟୀ ଘର ଓ ରାସ୍ତାରେ ଥିବା ଗାଡି ଭାସିଯାଇଥିଲା ।

ୱିକେଣ୍ଡ ଥିବାରୁ ଟେକ୍ସାସରେ ଲୋକମାନେ ସମୟ ବିତାଇବା ପାଇଁ ନଦୀ କୂଳକୁ ଆସିଥିଲେ । ଫଳରେ ସେମାନେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ରେସକ୍ୟୁ ଟିମ ଏବେ ବି ୨୫ଜଣ ନିଖୋଜ ପିଲାଙ୍କୁ ଖୋଜୁଛି । ଏଥିରେ କ୍ୟାମ୍ପ ମିଷ୍ଟିକର ୨୦ରୁ ଅଧିକ ଝିଅ ଅଛନ୍ତି । ସେମାନେ ସମର କ୍ୟାମ୍ପ ପାଇଁ ଆସିଥିଲେ ।

ବନ୍ୟା ଯୋଗୁଁ ଅନେକ ଜାଗାରେ ରାସ୍ତା ଧୋଇଯାଇଛି । ଫୋନ ସେବା ବାଧାପ୍ରାପ୍ତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ଭୟଙ୍କର ବୋଲି କହିଛନ୍ତି । ହ୍ବାଇଟ ହାଉସ ପକ୍ଷରୁ ସହାୟତା ଦିଆଯିବା ନେଇ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ୫ ଜୁଲାଇ, ସତ ହେବ କି ଭବିଷ୍ୟବାଣୀ ? ଆତଙ୍କରେ ଜାପାନବାସୀ