Advertisment

Xi Jinping: ଜିନପିଙ୍ଗଙ୍କ ଯୁଗ ଶେଷ, ଚୀନରେ ପଟ୍ଟ ପରିବର୍ତ୍ତନର ଆଭାସ !

ମେ ମାସରୁ ଚୀନର ରାଜନୈତିକ ଦୃଶ୍ୟପଟ୍ଟରୁ ସି ଜିନପିଙ୍ଗ ଯେପରି ଅଦୃଶ୍ୟ ହୋଇଯାଇଛନ୍ତି । ସେ କୌଣସି ପରେଡରେ ଯୋଗ ଦେଉନାହାଁନ୍ତି। ସେ କୌଣସି ଭାଷଣ ଦେଉନାହାଁନ୍ତି କିମ୍ବା ସରକାରୀ ଗଣମାଧ୍ୟମରେ ଦେଖାଯାଉନାହାଁନ୍ତି। ଚୀନର ଶୀର୍ଷ ଗୁଇନ୍ଦା ଅଧିକାରୀମାନଙ୍କ ସୂତ୍ର ଅନୁସାରେ, ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ କିଛି ଅସ୍ୱାଭାବିକତା ନାହିଁ ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
Xi Jinping

Xi Jinping

ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବାରୁଦ ଗନ୍ଧ ଭିତରେ ଅଣନିଶ୍ୱାସୀ ହୋଇପଡ଼ିଛି ସାରା ବିଶ୍ୱ । ସବୁଠି ଲୋମହର୍ଷଣକାରୀ କୋଳାହଳ ପରିବେଶ । କିଛି ଦେଶ ନିଜ ନିଜର ସାମରିକ ଶକ୍ତି ବଢ଼ାଇବାରେ ବ୍ୟସ୍ତ, ଆଉ କିଛି ଆତଙ୍କବାଦକୁ ଅସ୍ତ୍ର କରି ଲୋକଙ୍କ ମନରେ ଘୃଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଇସ୍ରାଏଲ୍-ଇରାନର ବିନାଶକାରୀ ଯୁଦ୍ଧ, ଦେଶ ଦେଶ ମଧ୍ୟରେ ସଂଘର୍ଷ, ପୁଣି ଥରେ କରୋନାର ପରିବର୍ତ୍ତିତ ଭାଇରସ ସଂକ୍ରମଣର ଭୟ, ପାଗର ଅନିଶ୍ଚିତ ଅସନ୍ତୁଳନ ପରି ଘଟଣା ସାରା ବିଶ୍ୱକୁ ଅସ୍ଥିର କରୁଛି । ହେଲେ ଏହାରି ଭିତରେ ମହାଶକ୍ତି ହେବାପାଇଁ ନିକଟତର ହେଉଥିବା ଚୀନରେ ନୀରବତାର ରାଜୁତି ଦେଖିବାକୁ ମିଳୁଛି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଦୁଇ ସପ୍ତାହ ଧରି ଗାଏବ ଅଛନ୍ତି। କେଉଁଠି ଅଛନ୍ତି, କ’ଣ କରୁଛନ୍ତି.. କିଛି ଖୋଜଖବର ନାହିଁ । ଏଇଠି ପ୍ରଶ୍ନ ଉଠେ, ଚୀନରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି କି ?

Advertisment

୨୦୧୩ର ପ୍ରାରମ୍ଭରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର କମାଣ ନିଜ ହାତକୁ ନେବାପରେ ଲଗାତାର ଚର୍ଚ୍ଚାରେ ଅଛନ୍ତି ସି ଜିନପିଙ୍ଗ । କେତେବେଳେ ପଡ଼ୋଶୀ ଦେଶ ସହ ବିବାଦ, କେତେବେଳେ ଶାନ୍ତି ପାଇଁ ନିବେଦନ ତ କେତେବେଳେ ବିପୁଳ ଋଣ ଦେଇ ଫସାଇବାର ଷଡ଼ଯନ୍ତ୍ର ପାଇଁ ଚୀନର ଲିଡର ସବୁବେଳେ ଚର୍ଚ୍ଚାର ପରିଧି ଭିତରେ ଅଛନ୍ତି । ହେଲେ ଏବେ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଜିନପିଙ୍ଗଙ୍କ ଅନୁପସ୍ଥିତିକୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି । କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନି।

କିଛି ଦିନ ପୂର୍ବରୁ ବେଲାରୁଷ ରାଷ୍ଟ୍ରପତିଙ୍କ ସହ ଚୀନ୍ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିଥିଲା । ଏବେ ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରୁ ଦୂରେଇ ରହିଛନ୍ତି। କିଛି ଦିନ ମଧ୍ୟରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା BRICS ଶିଖର ସମ୍ମିଳନୀରେ ସେ ଯୋଗଦେବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ଗତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜିନପିଙ୍ଗ ବ୍ରିକ୍ସ ଠାରୁ ଦୂରେଇ ରହୁଥିବାରୁ ଅନେକ କଳ୍ପନାଜଳ୍ପନା କରାଯାଉଛି ।

Advertisment

ଚୀନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜିନପିଙ୍ଗଙ୍କ ଅନୁପସ୍ଥିତି

ଘଡ଼ିକେ ଘୋଡ଼ା ଛୁଟିଲା ପରି ଚୀନର ରାଜନୈତିକ ବାତାବରଣ ଭିନ୍ନ ମୋଡ଼ ନେଇଛି । ଏବେ କମ୍ୟୁନିଷ୍ଟ ପାର୍ଟିର ଉତ୍ତରାଧିକାରୀ ଖୋଜା ଚାଲିଥିବା ଶୁଣିବାକୁ ମିଳୁଛି । ମେ ମାସରୁ ଚୀନର ରାଜନୈତିକ ଦୃଶ୍ୟପଟ୍ଟରୁ ସି ଜିନପିଙ୍ଗ ଯେପରି ଅଦୃଶ୍ୟ ହୋଇଯାଇଛନ୍ତି । ସେ କୌଣସି ପରେଡରେ ଯୋଗ ଦେଉନାହାଁନ୍ତି। ସେ କୌଣସି ଭାଷଣ ଦେଉନାହାଁନ୍ତି କିମ୍ବା ସରକାରୀ ଗଣମାଧ୍ୟମରେ ଦେଖାଯାଉନାହାଁନ୍ତି। ଚୀନର ଶୀର୍ଷ ଗୁଇନ୍ଦା ଅଧିକାରୀମାନଙ୍କ ସୂତ୍ର ଅନୁସାରେ, ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ କିଛି ଅସ୍ୱାଭାବିକତା ନାହିଁ । ପଡ଼ୋଶୀ ଦେଶରେ ବଡ଼ ନେତାମାନଙ୍କୁ ହଠାତ ଗାଦିଚ୍ୟୁତ କରିବାର ପୁରୁଣା ଇତିହାସ ଅଛି। କୌଣସି ପ୍ରକାର ଦସ୍ତାବିଜରେ ହୁଏତ ନାମ ନଥାଇପାରେ, କିନ୍ତୁ ଗୁପ୍ତ ଭାବରେ ରାତାରାତି କ୍ଷମତା ପରିବର୍ତ୍ତନ ହୋଇଯାଏ ।

ମଝିରେ ଅଳ୍ପ ସମୟ ପାଇଁ ନଜର ଆସିଥିଲେ ଜିନପିଙ୍ଗ

ଜୁନ୍ ମାସରେ ଦୁଇ ସପ୍ତାହରୁ ଅଧିକ ସମୟ ଅନୁପସ୍ଥିତ ରହିବା ପରେ ଜିନପିଙ୍ଗଙ୍କୁ ବେଲାରୁଷର ରାଷ୍ଟ୍ରପତିଙ୍କ ସହ ଦେଖିବାକୁ ମିଳିଥିଲା, କିନ୍ତୁ ଏହି ସାକ୍ଷାତ ବହୁତ କମ୍ ସମୟ ପାଇଁ ଥିଲା। ଜିନପିଙ୍ଗ କ୍ଳାନ୍ତ ଏବଂ ଅସୁସ୍ଥ ଦେଖାଯାଉଥିଲେ ଏବଂ ସେ ଅନ୍ୟମନସ୍କ ଥିବା କହିଥିଲା ବେଲାରୁଷ ଗଣମାଧ୍ୟମ। କିଛି ସମୟ ପୂର୍ବରୁ ଖୋଦ ଚୀନ୍ ଗଣମାଧ୍ୟମରେ ଉପାଧି ହଟାଇ ତାଙ୍କୁ ସିଧାସଳଖ ତାଙ୍କ ନାମରେ ସମ୍ବୋଧିତ କରାଯାଇଥିଲା । ପରେ ଭୁଲ ସଂଶୋଧନ କରାଯାଇଥିଲା, କିନ୍ତୁ ଗଣମାଧ୍ୟମରେ ସୁପ୍ରିମ ଲିଡରଙ୍କୁ ଅଣଦେଖା ସନ୍ଦେହପୂର୍ଣ୍ଣ ନିଶ୍ଚୟ । ଫଳରେ ଚୀନ ରାଜନୀତିରେ କେଉଁଠି କିଛି ଫାଙ୍କ ରହିଥିବା ଅନୁମାନ କରିଥିଲେ ଜନତା ।

ପଟ୍ଟ ପରିବର୍ତ୍ତନର ଆଶଙ୍କା

ଚୀନ ରାଜନୀତିରେ ଏବେ ପଟ୍ଟ ପରିବର୍ତ୍ତନର ଆଭାସ ଚର୍ଚ୍ଚାକୁ ସରଗରମ କରିଛି । ବର୍ତ୍ତମାନ ସମୟରେ ଜିନପିଙ୍ଗଙ୍କ ହାତରେ କ୍ଷମତା ଥିଲେ ମଧ୍ୟ ନିଷ୍ପତ୍ତି ନେବାର ଶକ୍ତି ଅନ୍ୟସ୍ଥାନକୁ ଯାଉଥିବା ଅନୁମାନ କରାଯାଉଛି । ଏଥିରେ କେନ୍ଦ୍ରୀୟ ସାମରିକ କମିଶନର ପ୍ରଥମ ଉପାଧ୍ୟକ୍ଷ ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ନାମ ମଧ୍ୟ ରହିଛି। ସେ ଏବଂ ତାଙ୍କ ସମର୍ଥକମାନେ ସି ଜିନପିଙ୍ଗଙ୍କ ତୁଳନାରେ ତୁଳନାତ୍ମକ ଭାବେ କମ କଠୋର ବୋଲି ଶୁଣିବାକୁ ମିଳେ।

ଝାଙ୍ଗ ୟୁକ୍ସିଆଙ୍କ ସହ ଆଉ ଏକ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି । ସି ଜିନପିଙ୍ଗଙ୍କ ସ୍ଥାନ ନେବା ପାଇଁ ପୂର୍ବତନ ଟେକ୍ନୋକ୍ରାଟ୍ ୱାଙ୍ଗ ୟାଙ୍ଗଙ୍କୁ ମଧ୍ୟ ଆଗକୁ ଅଣାଯାଇପାରେ। ସମ୍ପ୍ରତି ୟାଙ୍ଗଙ୍କୁ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଯୁବ ଚେହେରା ଚୀନ୍ର ସଂସ୍କାରରେ ଆମୁଳଚୂଳ ପରିବର୍ତ୍ତନ ଆଣିପାରନ୍ତି । ସେ ଅଧିକ ଶାନ୍ତ, ସଂଯମ ଏବଂ ଯୁଗପୋଯୋଗୀ ନେତା ହୋଇପାରିବେ ବୋଲି କୁହାଯାଉଛି । ଚୀନକୁ ଏବେ ତାଙ୍କ ପରି ଲିଡରଙ୍କର ଅଧିକ ଆବଶ୍ୟକତା ରହିଛି ।

ଚୀନରେ ବଡ଼ ଲିଡର ଗାୟବ ହେବାର ଇତିହାସ

ଚୀନ ରାଜନୀତିରେ ବଡ଼ ବଡ଼ ଲିଡର ମାନେ ହଠାତ ଗାଏବ ହୋଇଯିବା କୌଣସି ନୂଆକଥା ନୁହେଁ । ଅନେକ ସମୟରେ ବଡ ନେତାମାନେ ହଠାତ୍ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଥିରେ ଗୋଟିଏ ନାମ ହେଉଛି ହୁ ଜିନତାଓ, ଯିଏ ସି ଜିନପିଙ୍ଗଙ୍କ ପୂର୍ବରୁ ରାଷ୍ଟ୍ରପତି ଥିଲେ। ୨୦୨୨ ମସିହାରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଉତ୍ସବ ପାଳନ ସମୟରେ ହଠାତ୍ ସମସ୍ତଙ୍କ ସାମ୍ନାରେ ତାଙ୍କୁ ହଲରୁ ବାହାରକୁ ନିଆଯାଇଥିଲା। ଜିନପିଙ୍ଗ ତାଙ୍କ ପାଖରେ ବସିଥିଲେ କିନ୍ତୁ ସେ କୌଣସି ଅଭିବ୍ୟକ୍ତି ଦେଇନଥିଲେ। ଏସବୁ କ୍ୟାମେରାରେ ରେକର୍ଡ ହୋଇଥିଲା। ଏପରିକି ପୂର୍ବତନ ରାଷ୍ଟ୍ରପତିଙ୍କୁ ନେବା ସମୟରେ କୌଣସି ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇ ନଥିଲା ।

ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଏପରିକି ସାମରିକ ଅଧିକାରୀମାନେ ବେଜିଂରୁ ଜଣ ଜଣ କରି ଗାଏବ ହୋଇଯାଉଛନ୍ତି । ସେମାନଙ୍କ ବିରୋଧରେ ଦୁର୍ନୀତି କିମ୍ବା ବିଶ୍ୱାସଘାତକତାର ଅଭିଯୋଗ ଆଣି ଗାଏବ କରିଦିଆଯାଉଛି । ସବୁ କିଛି ଗୁପ୍ତ ଭାବରେ ଚାଲିଛି ।

ସେହିପରି ସରକାରଙ୍କୁ ସମାଲୋଚନା କରିବା ପରେ ଆଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ ମା ମଧ୍ୟ କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଇଥିଲେ। କିଛି ମାସ ପରେ ସେ ଫେରିଥିଲେ ସତ କିନ୍ତୁ ସେ ପ୍ରାୟତଃ ନୀରବ ରହିଥିଲେ । ଏହି ଦେଶର ବଡ଼ ନେତା କିମ୍ବା ଅଧିକାରୀମାନଙ୍କୁ ଚୁପଚାପ୍ ହଟେଇ ଦିଆଯାଏ ଏବଂ ଏଥିରେ ଜନସାଧାରଣଙ୍କ ଅନୁମୋଦନ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ଚୀନରେ କିପରି ହୁଏ ରାଷ୍ଟ୍ରପତି ଚୟନ ?

ଏକକାଳୀନ ଦୁଇ କାର୍ଯ୍ୟକାଳ ସମାପ୍ତ କଲା ପରେ କୌଣସି ଲିଡର ଆଉ ଥରେ ଗାଦିରେ ବସିପାରିବେ ନାହିଁ ବୋଲି ପୂର୍ବରୁ ନିୟମ ଥିଲା । କିନ୍ତୁ କୋଭିଡ୍ ପୂର୍ବରୁ ଜିନପିଙ୍ଗ ଏହି ଧାରାରେ ପରିବର୍ତ୍ତନ ଆଣିଥିଲେ । ସମ୍ବିଧାନ ପରିବର୍ତ୍ତନରୁ ସ୍ପଷ୍ଟ ହୋଇଥିଲା, ସେ ସାରା ଜୀବନ ଚୀନକୁ ଶାସନ କରିବାକୁ ଚାହାଁନ୍ତି । ଋଷରେ ମଧ୍ୟ ସମାନ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଭ୍ଲାଦିମିର ପୁଟିନ ସମ୍ବିଧାନ ପରିବର୍ତ୍ତନ କରି ଏକ ସ୍ଥାୟୀ ପଦବୀ ପାଇଁ ବ୍ୟବସ୍ଥା କରିଥିଲେ।

ଚୀନରେ ଜନସାଧାରଣ ରାଷ୍ଟ୍ରପତି ନିର୍ବାଚନରେ ସିଧାସଳଖ ଅଂଶଗ୍ରହଣ କରନ୍ତି ନାହିଁ । କିଏ ଦଳର ନେତୃତ୍ୱ ନେବ, ତାହା ସ୍ୱତ୍ତ୍ୱାଧାରୀ କମ୍ୟୁନିଷ୍ଟ ପାର୍ଟିର କଂଗ୍ରେସ ନିଷ୍ପତ୍ତି ନିଏ । ଦଳର ସୁପ୍ରିମୋଙ୍କୁ ଦେଶର ଶାସନ ଭାର ଅର୍ପଣ କରାଯାଏ । ଏହି ପ୍ରକ୍ରିୟାରେ ଜନସାଧାରଣଙ୍କର କୌଣସି ଭୂମିକା ନାହିଁ।

ଅଚାନକ ନୂଆ ରାଷ୍ଟ୍ରପତି ଚୟନ ହୋଇପାରିବେ କି ?

ସାଧାରଣତଃ ଅଚାନକ ନୂଆ ରାଷ୍ଟ୍ରପତି ଚୟନ କରିବାର ପ୍ରାବଧାନ ନାହିଁ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ସ୍ଥିତିରେ ଏହାର ସମ୍ଭାବନା ରହିଛି । ଉଦାହରଣ ସ୍ୱରୂପ , ବର୍ତ୍ତମାନର ରାଷ୍ଟ୍ରପତି ନିଜେ ଇସ୍ତଫା ଦେଲେ, ତାଙ୍କ ସହ କିଛି ଅପ୍ରୀତିକର ଘଟଣା ଘଟିଲେ କିମ୍ବା ଦଳରୁ ତଡ଼ା ଖାଇଲେ ଏପରି ନିଷ୍ପତ୍ତି ନିଆଯାଇପାରିବ । ଭୋଟିଂ ମାଧ୍ୟମରେ ନୂତନ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସ । କିନ୍ତୁ ଏହା କେବଳ ଏକ ଔପଚାରିକତା, ପ୍ରକୃତ ନିଷ୍ପତ୍ତି ପୂର୍ବରୁ ହୋଇସାରିଥାଏ । ୨୦୧୩ ରେ ସି ଜିନପିଙ୍ଗ ଯେତେବେଳେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ, ତାଙ୍କୁ ଏହାର କିଛି ମାସ ପୂର୍ବରୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଯାଏ ଭବିଷ୍ୟତରେ ତାଙ୍କୁ ଦେଶର ମୁଖିଆ କରାଯିବ ।

ଖୁବ ଶୀଘ୍ର ଜଣାପଡ଼ିବ ସତ ?

ଜିନପିଙ୍ଗଙ୍କୁ ନେଇ ହେଉଥିବା କଳ୍ପନାଜଳ୍ପନା ସତ ନା ମିଛି ଖୁବ ଶୀଘ୍ର ଜଣାପଡ଼ିଯିବ । କାରଣ ସେପ୍ଟେମ୍ବର ୩ ତାରିଖରେ ତିଆନାନମେନ୍ ସ୍କୋୟାରରେ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ , ଜାପାନ ଉପରେ ଚୀନର ବିଜୟର ୮୦ ତମ ବାର୍ଷିକୀରେ ପାଳନ କରାଯିବ। ଏହି ସମୟରେ ଜିନପିଙ୍ଗ ଉପସ୍ଥିତ ରହି ଭାଷଣ ଦେବାର ସମ୍ଭାବନା ରହିଛି। ଯଦି ଏଥିରେ ମଧ୍ୟ ସେ ଅନୁପସ୍ଥିତ ରୁହନ୍ତି, ତେବେ ସ୍ପଷ୍ଟ ହୋଇଯିବ ପୂରା ପିକ୍ଚରରୁ ଆଉଟ ହୋଇସାରିଛନ୍ତି ଜିନପିଙ୍ଗ ।

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ କାହିଁକି ପଛଘୁଞ୍ଚା ଦେଇଥିଲା ପାକିସ୍ତାନ, ସତ କଥା କହିଲେ ସ୍ଥଳସେନା ଉପମୁଖ୍ୟ

China Politics Chinese President Xi Jinping Xi Jinping
Advertisment
Advertisment