Advertisment

Mysterious Video Call: ରେଳଧାରଣାରୁ ମିଳିଲା ନାବାଳିକାଙ୍କ ମୃତଦେହ, ୩ ମାସ ପରେ ଆସିଲା ଭିଡିଓ କଲ୍

ପୁଲିସ ବି ଏହି ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କଲା। ଶବ ଉଦ୍ଧାର ପରେ ଡିଏନଏ ନମୂନା ସଂଗ୍ରହ କଲା। ମୃତଦେହକୁ ସଂସ୍କାର କରାଗଲା। କିନ୍ତୁ ତା ପରେ ଯାହା କିଛି ଘଟିଗଲା କେହି ବିଶ୍ବାସ ବି କରିପାରୁନଥିଲେ।

author-image
Puspanjali Panda
Murder Mystery

Murder Mystery

ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଶବ ରେଳଧାରଣା ପାର୍ଶ୍ବରୁ ମିଳିବା ପରେ ପରିବାର ଲୋକେ ତାକୁ ଚିହ୍ନଟ କଲେ। ଏମିତିକି ଶବ ସଂସ୍କାର ବି କଲେ। ହତ୍ୟା ମାମଲା ରୁଜୁ କରି ପୁଲିସ ବି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ୩ ମାସ ପରେ ମୃତ ନାବାଳିକା ଜଣକ ଇନଷ୍ଟାଗ୍ରାମରେ ଯେତେବେଳେ ପରିବାର ଲୋକଙ୍କୁ ଭିଡିଓ କଲ୍ କଲେ ସେତେବେଳେ ଚାରିଆଡ଼େ ଚହଳ ପଡ଼ିଯାଇଥିଲା। ପୁଲିସର ହୋସ୍ ଉଡ଼ିଯାଇଥିଲା ଏହି ଘଟଣା ଶୁଣିବା ପରେ। ତା ପରେ ଯାହା କିଛି ଘଟିଗଲା ସବୁ ଥିଲା ଗୋଟିଏ ଗୋଟିଏ ରହସ୍ୟ ରୋମାଞ୍ଚ ଭରା କାହାଣୀର ଅଂଶ।

Advertisment

ଅନୁରାଧାଙ୍କ ଶବ ମିଳିଲା, କିନ୍ତୁ…

ଉତ୍ତରପ୍ରଦେଶ କୌଶାମ୍ବୀ ଜିଲ୍ଲା। ୨୦୨୫ ମାର୍ଚ୍ଚ ୧୮। କୋଖରାଜ ଥାନା ଅନ୍ତର୍ଗତ ନୌଧିୟା ରେଳପଥ ନିକଟରେ ଜଣେ ଅଜଣା ଯୁବତୀଙ୍କ ବିକୃତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତ ମାର୍ଚ୍ଚ ୨୦ ରେ ବିନୋଦ କୁମାର ମୃତଦେହଟିକୁ ତାଙ୍କ ନିଖୋଜ ହୋଇଥିବା ୧୭ ବର୍ଷୀୟା ଭଉଣୀ ଅନୁରାଧା ପଟେଲଙ୍କର ବୋଲି ଚିହ୍ନଟ କରିଥିଲେ। ସେ ଗିରଧରପୁର ଗଢ଼ିର ବାସିନ୍ଦା ବିଷ୍ଣୁ ଏବଂ ବିଦାନପୁରର ବାସିନ୍ଦା ସନ୍ଦୀପ ଅନୁରାଧାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିବା ଦର୍ଶାଇଥିଲେ। ପୁଲିସ ବି ଏହି ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କଲା। ଶବ ଉଦ୍ଧାର ପରେ ଡିଏନଏ ନମୂନା ସଂଗ୍ରହ କଲା। ମୃତଦେହକୁ ସଂସ୍କାର କରାଗଲା। କିନ୍ତୁ ତା ପରେ ଯାହା କିଛି ଘଟିଗଲା କେହି ବିଶ୍ବାସ ବି କରିପାରୁନଥିଲେ।

ହଠାତ୍ ଆସିଲା ମୃତ ଭଉଣୀର ଭିଡିଓ କଲ୍

ହଠାତ୍ ଦିନେ ଅନୁରାଧାଙ୍କ ଭାଇଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ କଲ୍ ଆସିଲା। ଭିଡିଓ କଲ୍ କରିଥିବା ବ୍ୟକ୍ତି ଜଣକ ଥିଲେ ନିଜେ ଅନୁରାଧା। ଅନୁରାଧାଙ୍କୁ ଭିଡିଓ କଲରେ ଦେଖି ପୂରା ପରିବାର ଲୋକଙ୍କ ହୋସ୍ ଉଡ଼ିଯାଇଥିଲା। ମରିଯାଇଥିବା ଝିଅ ପୁଣି ଥରେ ବଞ୍ଚିଲା କେମିତି? ଅନୁରାଧାଙ୍କର ଶବ ତ ନିଜ ହାତରେ ସଂସ୍କାର କରିଥିଲେ ପରିବାର ଲୋକେ। ପୁଣି ଏ ଅନୁରାଧାଙ୍କୁ ଭିଡିଓ କଲରେ ତାଙ୍କ ଭାଇ କଥା ହେବା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା। ଏ ଖବର ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସ ଅନୁରାଧାଙ୍କ ଇନଷ୍ଟାଗ୍ରାମ ଆଇଡି ଏବଂ ମୋବାଇଲ୍ ଲୋକେସନ୍ ଟ୍ରାକ୍ କରିଥିଲା। ଆଉ ତା ପରେ ଘଟିଗଲା ଏମିତି କିଛି କାଣ୍ଡ ଯାହାକୁ ଶୁଣିଲେ ସହଜରେ ବିଶ୍ବାସ କରିହେବନି।

Advertisment

ବିଷ୍ଣୁଙ୍କ ସହିତ ରହୁଥିଲେ ଅନୁରାଧା

ମହାରାଷ୍ଟ୍ରର ପୁଣେରେ ଏକ ଘରେ ପହଞ୍ଚିଥିଲା ପୁଲିସ। ସେଠି ରହୁଥିଲେ ଅନୁରାଧା। ତାଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତାଙ୍କ ପ୍ରେମିକ ବିଷ୍ଣୁ ସେଠାରେ ନେଇ ରଖିଥିଲେ। ଅନୁରାଧା କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ। ଏହି ସମୟରେ ବିଷ୍ଣୁ ତାଙ୍କୁ ଛାଡ଼ି କେଉଁଆଡ଼େ ଗାଏବ ହୋଇଯାଇଥିଲେ। ପୁଲିସ ଏକଥା ଅନୁରାଧାଙ୍କ ମୁହଁରୁ ଶୁଣିବା ପରେ ବିଷ୍ଣୁଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଦେଇଛି।

ରେଳ ଧାରଣା କଡ଼ର ସେ ଶବ କାହାର?

ଯଦି ଅନୁରାଧାଙ୍କୁ ପୁଣେରେ ତାଙ୍କ ପ୍ରେମିକ ରଖିଥିଲେ ତେବେ ମାର୍ଚ୍ଚ ୧୮ରେ କୋଖରାଜ ଥାନା ଅନ୍ତର୍ଗତ ନୌଧିୟା ରେଳପଥ ନିକଟରେ ମିଳିଥିବା ଯୁବତୀ କିଏ ଥିଲେ? ମୁହଁ ଯଦିଓ ବିକୃତ ହୋଇଯାଇଥିବା ତେବେ ଅନୁରାଧାଙ୍କ ଭାଇ ବିନୋଦ ଏହି ଶବକୁ ତାଙ୍କ ଭଉଣୀର ବୋଲି ଦାବି କରିଥିଲେ। ପୁଲିସ ସେହି ଶବକୁ ନେଇ ଏବେ ଚିନ୍ତାରେ ପଡ଼ିଗଲାଣି। ସମ୍ପୃକ୍ତ ଶବର ଡିଏନଏ ନମୂନା ସଂଗ୍ରହ ହୋଇଥିବା ବେଳେ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ଅଚିହ୍ନା ଶବକୁ ନେଇ ଲାଗିରହିଥିବା ରହସ୍ୟ ସାମନାକୁ ଆସିପାରିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଫାୟାରିଂ କରି ହତ୍ୟା, ଆଗରୁ ପୁଅକୁ ବି ମାରିଥିଲେ ଦୁର୍ବୃତ୍ତ

Murder Video Call
Advertisment
Advertisment