• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ୍ ଦର । ପାକିସ୍ତାନରେ ତୈଳଦର ବୃଦ୍ଧିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ପେଟ୍ରୋଲ ଲିଟର ପ୍ରତି ୨୭୨ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୨୮୦ ଟଙ୍କା ରହିଛି । ଖାଲି ସେତିକି ନୁହେଁ ପାକିସ୍ତାନରେ ଗୋଟିକ ପରେ ଗୋଟିଏ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁହୁ ହୋଇ ବଢ଼ିଚାଲିଛି ।

ହେଲେ ବର୍ତ୍ତମାନ ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି । ଗତବର୍ଷ ମେ ୨୨ ତାରିଖରେ ପେଟ୍ରୋଲ ଲିଟର ୧୫୦ ଟଙ୍କା ଥିଲା । ଡିଜେଲ ଲିଟର ବି ପାକିସ୍ତାନରେ ୨୮୦ ଟଙ୍କାରେ ପହଞ୍ଚିଛି ।

ଦରବୃଦ୍ଧି ପୂର୍ବରୁ ଏହା ୧୭ ଟଙ୍କା ୨୦ ପଇସା କମ୍ ରହିଥିଲା । ଖାଲି ପେଟ୍ରୋଲ ଓ ଡିଜେଲ ନୁହେଁ, କିରୋସିନ୍ ଏକ ଲିଟର କିଣିବା ପାଇଁ ପାକିସ୍ତାନବାସୀଙ୍କୁ ୨୦୨ଟଙ୍କା ଗଣିବାକୁ ପଡ଼ୁଛି । ଡଲାର ତୁଳନାରେ ପାକିସ୍ତାନ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଶେହବାଜ ସରିଫ ସରକାର ମିନି ବଜେଟ ଘୋଷଣା କରିବାର କିଛି ସମୟ ପରେ ପେଟ୍ରୋଲ ଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ପିଆଜ କିଲୋ ୨୨୦, ଅଟା ୧୫୦ : ପାକିସ୍ତାନରେ କାଙ୍ଗାଳ ସରକାର, ବିକଳ ଜନତା

ଗୁରୁବାର ମଧ୍ୟରାତ୍ରରୁ ବଢ଼ିଛି ପେଟ୍ରୋଲିୟମ ଜାତ ସାମଗ୍ରୀର ଦର । ଏହାଦ୍ୱାରା ମୁଦ୍ରାସ୍ଫୀତି ବୃଦ୍ଧିର ମଧ୍ୟ ଆଶଙ୍କା କରାଯାଉଛି । ବରିଷ୍ଠ ଅର୍ଥନୀତି ବିଷାରଦ କାଟ୍ରିନା ଏଲ୍ ପୂର୍ବାନୁମାନ କରିଛନ୍ତି ଯେ, ୨୦୨୩ ମଧ୍ୟଭାଗରେ ପାକିସ୍ତାନର ମୁଦ୍ରାସ୍ଫୀତି ହାରାହାରି ୩୩ ପ୍ରତିଶତ ହୋଇପାରେ ।

ପାକିସ୍ତାନ ଅର୍ଥନୀତିକୁ ସଙ୍କଟ ମଧ୍ୟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଜୋରଦାର ପ୍ରୟାସ କରୁଛନ୍ତି । ପାକ୍ ନ୍ୟାଶନାଲ ଆସେମ୍ଲିରେ ଅତିରିକ୍ତ ଫାଇନାନ୍ସ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଲକୁ ମିନି ବଜେଟ୍ କୁହାଯାଉଥିବା ବେଳେ, ପାକ୍ ସରକାର ବିଭିନ୍ନ ସାମଗ୍ରୀ ଏବଂ ସେବାରେ ଟାକ୍ସକୁ ୧୮ ପ୍ରତିଶତ ବୃଦ୍ଧି କରି ୧୭୦ ବିଲିୟନ ରାଜସ୍ୱ ହାସଲ ଲାଗି ଲକ୍ଷ୍ୟ ରଖିଛନ୍ତି ।

ସେହିପରି ଅନ୍ୟାନ୍ୟ ସାମଗ୍ରୀ ଏବଂ ସେବା ଉପରେ ଜିଏସଟି ୨୫ ପ୍ରତିଶତ କରାଯାଇଛି । ବିମାନ ଯାତ୍ରାରେ ବିଜନେସ କ୍ଲାସ ଦର, ସିଗାରେଟ ଭଳି ସାମଗ୍ରୀ ଉପରେ ଦରବୃଦ୍ଧି କରାଯାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF ପ୍ୟାକେଜ ହାସଲ ଲାଗି ଏହା ସହାୟକ ହେବ ବୋଲି ଆଶା ରଖିଛି ପାକିସ୍ତାନ ।

ହେଲେ ଏସବୁ ପଦକ୍ଷେପ ପାକ୍ ଅର୍ଥନୀତିକୁ ସୁଧାରିବା ଦିଗରେ କେତେ ସହାୟକ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ପାକିସ୍ତାନର ଦରଦାମ ବୃଦ୍ଧିକୁ ନେଇ ବର୍ତ୍ତମାନର ସରକାର ଶେହବାଜ ସରିଫଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନର ବର୍ତ୍ତମାନ ସ୍ଥିତି କ୍ୟାନସର ରୋଗୀକୁ ଡିସପ୍ରିନ୍ ଟାବଲେଟ୍ ଦେଇ ଚିକିତ୍ସା କଲାଭଳି ହୋଇଛି ବୋଲି କଟାକ୍ଷ କରିଛନ୍ତି ଇମ୍ରାନ୍ । ଏମିତିକି ସ୍ଥିତି ଆଗକୁ ଆହୁରି ବିଗିଡିବ ବୋଲି ସେ ଆଶଙ୍କା କରିଛନ୍ତି ।

ପାକିସ୍ତାନର ଶେହବାଜ ସରିଫ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଇମ୍ରାନ୍ କହିଛନ୍ତି, ଯେଉଁଠି ପାକିସ୍ତାନର ଘିଅ କେଜି ପିଛା ୩୮୦ ଟଙ୍କା ଥିଲା, ବର୍ତ୍ତମାନ ତାହା ପାକିସ୍ତାନ ଟଙ୍କାରେ ୬ଶହରେ ପହଞ୍ଚିଛି । ପାକିସ୍ତାନର ବର୍ତ୍ତମାନର ପରିସ୍ଥିତି, କ୍ୟାନସର ରୋଗୀକୁ ଡିସପ୍ରିନ୍ ଟାବଲେଟ୍ ଦେଇ ଚିକିତ୍ସା କଲା ଭଳି ହୋଇଛି ।

ନିକଟ ଅତୀତରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଗୁରୁତର ଆର୍ଥିକ ସମସ୍ୟାକୁ ପାକିସ୍ତାନର ଅର୍ଥନୀତି ସହ ତୁଳନା କରିଛନ୍ତି ଇମ୍ରାନ । ସ୍ଥିତି ଆଗକୁ ଆହୁରି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ବର୍ତ୍ତମାନ ପାକିସ୍ତାନର ଅର୍ଥନୈତିକ ସଙ୍କଟ ନେଇ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ପାକିସ୍ତାନ ମିନି ବଜେଟରେ ଅଧିକ ମୁଦ୍ରାସ୍ଫୀତି ହାର ସହ ଜନସାଧାରଣଙ୍କ ଉପରେ ଭାରି ପଡିବ ।

ଦେଶର ଏକମାତ୍ର ସମସ୍ୟାର ସମାଧାନ ହେଉଛି ନିର୍ବାଚନ । ଏମିତିକି ଗ୍ଲୋବଲ ରେଟିଂ ଏଜେନ୍ସି ଫିଚ୍ ପାକିସ୍ତାନ ବିଦେଶୀ ଡିଫଲ୍ଟ ରେଟିଂକୁ ସିସିସି-ମାଇନସ ଗ୍ରେଡକୁ ଖସାଇ ଦେଇଛି । ଏଭଳି ମୂଲ୍ୟାୟନର ଅର୍ଥ ଶ୍ରୀଲଙ୍କା ଭଳି ସ୍ଥିତି । ଏମିତିକି ବ୍ୟବସାୟୀଙ୍କ ପାଇଁ ମୁଦ୍ରାସ୍ଫିତି ବୃଦ୍ଧି ପାଇଛି । ଘିଅ, ଡାଲି, ଚିକେନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରିଛନ୍ତି ବ୍ୟବସାୟୀ ।

ଆମେ ସମସ୍ତେ ପ୍ରକୃତରେ ସ୍ୱାଧୀନତା ପାଇବା ପାଇଁ ଦେଶ ପାଇଁ ଏକାଠି ହୋଇ ଲଢିବାର ଅଛି । ଆମକୁ ଶିକୁଳି ଭାଙ୍ଗିବାକୁ ପଡିବ ବୋଲି କହିଛନ୍ତି ଇମ୍ରାନ୍।

କିଛି ଦିନ ତଳେ ପାକିସ୍ତାନରେ ଗୋଟିକ ପରେ ଗୋଟିଏ ଉଦବେଗଜନକ ଚିତ୍ର ପଦାକୁ ଆସିଥିଲା । ଜାଳେଣି ଗ୍ୟାସକୁ ବଡ ବଡ ପଲିଥିନରେ ପୁରାଇ ପିଠିରେ ବୋହି ଆସୁଥିବା ଭିଡିଓ ଦେଖିବାକୁ ମିଳିଥିଲା ।

ଅଟା ପାଇଁ ଲୋକେ ହାତାହାତି ହେବା, ଟ୍ରକ୍ ପଛରେ ଜନ୍ଦା ପିମ୍ପୁଡ଼ି ଭଳି ମୋଟର ସାଇକେଲରେ ଗୋଡ଼ାଇବା ଆଦି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଥିଲା । ଏଥିସହ ବିଦ୍ୟୁତ ବିଭ୍ରାଟଠାରୁ ଆରମ୍ଭ କରି ସବୁଥିରେ ସଙ୍କଟ ଦେଖାଦେଇଛି ।

କ୍ଷୀର, ଅଣ୍ଡା, ଅଟା, ଚିନି ଭଳି ସାମଗ୍ରୀର ଦରବୃଦ୍ଧି ପରେ ବହୁ ପାକିସ୍ତାନୀବାସୀଙ୍କୁ ଭୋକିଲା ରହିବାକୁ ବି ପଡୁଛି । ଏମିତିକି ଔଷଧ ମଧ୍ୟ କିଣିବାକୁ ଲୋକଙ୍କ ପାଖରେ ପଇସା ନାହିଁ । ଘୋର ଆର୍ଥିକ ଦୁଃସ୍ଥିତିକୁ ନେଇ ଅତିଷ୍ଠ ହୋଇପଡିଲେଣି ପାକିସ୍ତାନ ବାସୀ ।