• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାହିଁ ନାହିଁର ଦେଶ ପାଲଟିଛି ପାକିସ୍ତାନ । ପଡ଼ୋଶୀ ଦେଶ ସବୁ ଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସାଧାରଣ ଜନତାଙ୍କ ଅବସ୍ଥା ସଙ୍ଗୀନ୍‌ । ପିଆଜ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ କିଲୋ ପିଛା ଦର ସବୁକିଛିର ମୂଲ୍ୟ ଆକାଶଛୁଆଁ ହୋଇଛି । ଚାଉଳ ମୁଠାଏ କିଣିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି ଲୋକେ ।

ବର୍ତ୍ତମାନ ପାକିସ୍ତାନର ଆର୍ଥିକ ସଂକଟକୁ ବର୍ଣ୍ଣନା କରିବା ଲାଗି ଯେ କୌଣସି ବିଶେଷଣ ବ୍ୟବହାର କଲେ ମଧ୍ୟ ତାହା ସ୍ଥିତି ତଥା ଗମ୍ଭୀରତାକୁ ଦର୍ଶାଇବା ଲାଗି ଯଥେଷ୍ଟ ନୁହେଁ । ଖାଦ୍ୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଅଟା ଓ ଚିନି, ପିଆଜ ଦାମ ଏତେ ବଢିଯାଇଛି ଯେ ଲକ୍ଷ ଲକ୍ଷ ଲୋକ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି ।

ପାକିସ୍ତାନରେ ଏବେ ଅଟା କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି  । ଦର ଆକାଶଛୁଆଁ ଥିବାବେଳେ ଦେଶର ସମସ୍ତ ବଡ ସହରରେ ଅଟା ପାଇଁ ଉତ୍ତେଜନା ଦେଖାଦେଇଛି । ସୋସିଆଲ ମିଡିଆ ରେ ପାକିସ୍ତାନର ଅନେକ ଏପରି ଭିଡିଓ ଭାଇରାଲ ହେଉଛି । ଲୋକମାନେ ରୁଟି ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ବାଧ୍ୟ ହେଉଛନ୍ତି । ଅଟା ପାଇଁ ଲୋକ ନିଜ ନିଜ ଭିତରେ ମାଡ଼ଗୋଳ ହେଉଛନ୍ତି । କିଛି ଲୋକ ତ ହାତରେ ଟଙ୍କା ଧରି ଅଟା ଯାଉଥିବା ଟ୍ରକ୍‌ ପଛରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ସାଂଘାତିକ ସ୍ଥିତି: ପଲିଥିନ୍‌ରେ ଏଲପିଜି ଗ୍ୟାସ୍‌ କିଣୁଛନ୍ତି ଲୋକେ

Pakistan Food Inflation ର ଜାନୁଆରୀ ୬, ୨୦୨୨ରୁ ଜାନୁୟାରୀ ୬, ୨୦୨୩ ପର୍ଯ୍ୟନ୍ତ ତଥ୍ୟ ପ୍ରକାଶ ପାଇଛି । ପରିସଂଖ୍ୟାନ ଅନୁସାରେ ପିଆଜର ମୂଲ୍ୟ କିଲୋକ ପିଛା ୩୬.୭ ରୁ ବୃଦ୍ଧି ପାଇ ୨୨୦.୪ ଟଙ୍କାରେ ପହଞ୍ଚିଛି । ସେହିପରି ଚିକେନ୍‌ର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୨୧୦.୧ ରୁ ବୃଦ୍ଧି ପାଇ ୩୮୫ ଟଙ୍କାକୁ ପହଞ୍ଚିଯାଇଛି ।

ଏହା ବ୍ୟତୀତ ଲୁଣର ମୂଲ୍ୟ କିଲୋ ପିଛା ୩୨.୯ ରୁ ବୃଦ୍ଧି ପାଇ ୪୧.୯ ଟଙ୍କାରେ ପହଞ୍ଚିଛି । ସେହିପରି ପାକିସ୍ତାନରେ ଏବେ ଚାଉକ କିଲୋ ପିଛା ୧୪୬ ଟଙ୍କା, ସୋରିଷ ତେଲ ଲିଟର ପିଛା ୫୩୨ ଟଙ୍କା, କ୍ଷୀର ଲିଟର ପିଛା ୧୩୯ ଟଙ୍କା, ବ୍ରେଡ୍‌ ପ୍ୟାକେଟ୍‌ ୯୦ଟଙ୍କାରେ ବିକ୍ରି ହେଉଛି ।

ଦେଶକୁ ଘୋର ଆର୍ଥିକ ଦୁର୍ଦ୍ଦିନରୁ ରକ୍ଷା କରିବା ଲାଗି ଶେହବାଜ୍ ସରିଫ ସରକାର ପାଖରେ କୌଣସି ଯୋଜନା ବି ନାହିଁ । ଋଣ କରି ଦେଶ ଚଳାଇବାର ସେଇ ପୁରୁଣା ଫଣ୍ଡା ଆପଣେଇଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଅଧିକ ଲୋନ୍ ପାଇଁ ମିତ୍ର ରାଷ୍ଟ୍ର ଚୀନ୍ ଓ ସାଉଦି ଆରବର ଦ୍ୱାରସ୍ଥ ହୋଇଛନ୍ତି । ଚୀନ୍ ଆଉ ୧୩ ବିଲିୟନ ଏବଂ ସାଉଦି ଆରବ ୪ ବିଲିୟନ ଲୋନ୍ ଯୋଗାଇ ଦେବାକୁ ରାଜି ହୋଇଛନ୍ତି ।

ତେବେ ଏହାଦ୍ୱାରା ସ୍ଥିତି ସୁଧୁରିବା ଆଶା କମ୍ । କାରଣ ପାକିସ୍ତାନ ମୁଣ୍ଡରେ ଏବେ ୧୩୦ ବିଲିୟନ ଡଲାରରୁ ଅଧିକ ବୈଦେଶିକ ଋଣ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପୁରୁଣା ଲୋନ୍ ବାବଦକୁ ପାକିସ୍ତାନକୁ ୫.୮ ବିଲିୟନ ଏବଂ ବର୍ଷ ଶେଷ ସୁଦ୍ଧା ୩୦ ବିଲିୟନ ଡଲାର ପୈଠ କରିବାକୁ ପଡିବ ।

ଏପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୫.୮ ବିଲିୟନ ଡଲାରକୁ ଖସି ଆସିଛି । ତେଣୁ ଦେଶ ଚଳାଇବା ପାକିସ୍ତାନ ସରକାରଙ୍କ ପକ୍ଷେ କାଠିକର ପାଠ ହେବାକୁ ଯାଉଛି । ତେଣେ ଦେଶ ପାଇଁ କାଳ ହୋଇଛି ରାଜନୈତିକ ଅନିଶ୍ଚିତତା । ସ୍ଥିରତା ନଥିବାରୁ ବିଦେଶୀ ପୁଞ୍ଜିନିବେଶକାରୀ ପାକିସ୍ତାନରେ ଅର୍ଥ ଖଟେଇବାରୁ ନିରାପଦ ମଣୁନାହାନ୍ତି । ଫଳରେ ଗତବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ୬ ପ୍ରତିଶତ ଥିବା ବେଳେ, ୨୦୨୩-୨୪ରେ ଏହା ୩.୫ ପ୍ରତିଶତକୁ ଖସିଯିବା ଆକଳନ କରାଯାଇଛି । ଏଣୁ ଦେଶର ଆର୍ଥିକ ସ୍ଥିତି ରସାତଳଗାମୀ ହେବା ଆଶଙ୍କା ବଢିଯାଇଛି ।