• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଡ଼ୋଶୀ ଦେଶ ପାକିସ୍ତାନରେ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ପାଇଁ ଦେଶବାସୀଙ୍କୁ ନାହିଁନଥିବା ଅସୁବିଧା ଭୋଗ କରିବା ପାଇଁ ପଡ଼ୁଛି । ଶେହବାଜ୍‌ ସରକାରଙ୍କ ଶାସନରେ ଭୟଙ୍କର ଜୁଗାଡ଼୍ କରି ଜୀବନ ବିତାଉଛନ୍ତି ଜନତା । ଆଉ ଏହି ଜୁଗାଡ଼ ପାଇଁ କୌଣସି ବି ସମୟରେ ଜୀବନ ଯିବାର ଅନେକ ସମ୍ଭାବନା ରହିଛି । ପାକିସ୍ତାନରେ ଏବେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଲୋକମାନେ ଏଲପିଜି ଗ୍ୟାସ ନେଇ ଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ଗ୍ୟାସ୍ ଉତ୍ପାଦନ କରୁଥିବା ରାଜ୍ୟ ଖାୟବର ପଖତୁନବା ଠାରେ ଲୋକେ ବ୍ୟାଗରେ ଗ୍ୟାସ୍ ଭରି ଖାଦ୍ୟ ରୋଷେଇ କରୁଛନ୍ତି । ହୁହୁ ଦରଦାମ୍ ବୃଦ୍ଧି ଯୋଗୁଁ ଗ୍ୟାସ ସିଲିଣ୍ଡର ଟିଏ ପହଞ୍ଚିବା କାଠିକର ପାଠ ହୋଇଯାଇଛି । ପଲିଥିନରେ ଯାଉଥିବା ଗ୍ୟାସ୍‌କୁ ବିଶେଷଜ୍ଞମାନେ ଜୀବନ୍ତ ବୋମା ବୋଲି କହୁଛନ୍ତି ।

ଭୁଶୁଡି ପଡିଛି ପାକିସ୍ତାନର ଅର୍ଥନୀତି । ଖାଲି ହୋଇଯାଇଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର । ପେଟ୍ରୋଲିୟମ ଓ ଔଷଧଠୁ ଆରମ୍ଭ କରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆମଦାନୀ ଲାଗି ପାକ୍ ସରକାରଙ୍କ ପାଖରେ ନାହିଁ ଅର୍ଥ । ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନର ଜନତା । ଆର୍ଥିକ ସହାୟତା ଲାଗି ବିଭିନ୍ନ ଦେଶଙ୍କ ନିକଟରେ ଗୁହାରୀ କରି ବିଫଳ ହୋଇଛି ପାକିସ୍ତାନ, ଯାହା ଇସଲାମାବାଦର ବୁଦ୍ଧିଭ୍ରଷ୍ଟ କରିଥିବା କୁହାଯାଉଛି । ଆଉ ଏହାର ଭୟଙ୍କର ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି ।

ପାକିସ୍ତାନରେ ଏବେ ଏଲପିଜି ମୂଲ୍ୟ ଏତେ ବଢ଼ିଯାଇଛି ଯେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକିଲେଣି । ଅର୍ଥନୈତିକ ସଙ୍କଟ ମଧ୍ୟରେ ଦରଦାମ ବୃଦ୍ଧି ପାଉଥିରୁ ପ୍ଲାଷ୍ଟିକ ବ୍ୟାଗରେ ରନ୍ଧନ ଗ୍ୟାସ ତଥା LPG ଗ୍ୟାସ୍‌ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ଆଉ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାଗରେ ଗଚ୍ଛିତ LPG ବିକ୍ରି ହେଉଛି । ଜନତା ଏଲପିଜି ସିଲିଣ୍ଡର କିଣିବା ପରିବର୍ତ୍ତେ ଛୋଟ ଛୋଟ ପ୍ଲାଷ୍ଟିକ୍ ବ୍ୟାଗରେ କିଛି ଗ୍ୟାସ୍ ଭରି ଖାଦ୍ୟ ରୋଷେଇ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ବିଶ୍ୱରେ ତୃତୀୟ, ପାକିସ୍ତାନ ପ୍ରଥମ

ଲୋକଙ୍କୁ ମିଳୁନି ଗ୍ୟାସ୍‌ କନେକ୍ସନ୍‌

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ଖାୟବର ପଖତୁନବାର କରାକ ଜିଲ୍ଲାରେ ୨୦୦୭ରୁ ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇନି । ସେହିପରି ଗତ ଦୁଇ ବର୍ଷ ହେଲାଣି ପଡୋଶୀ ହାଙ୍ଗୁ ଜିଲ୍ଲାର ଯୋଗାଣ ଲାଇନ ଭାଙ୍ଗି ଯାଇଛି । ଗ୍ୟାସ୍‌ ପାଇପ୍ ଭାଙ୍ଗି ଯାଇଥିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ପ୍ଲାଷ୍ଟିକରେ ଭର୍ତ୍ତି ଗ୍ୟାସ୍ ଘରକୁ ନେଇ ଯାଉଛନ୍ତି ।

ସିଲିଣ୍ଡର କିଣିବା ଲୋକଙ୍କ ବଜେଟ ବାହାରେ

ସିଲିଣ୍ଡରର ମୂଲ୍ୟ ଅଧିକ ଥିବାରୁ ପ୍ଲାଷ୍ଟିକ୍ ବ୍ୟାଗରେ ୫୦୦ ରୁ ୯୦୦ ଟଙ୍କା ଭିତରେ ଗ୍ୟାସ୍ ଉପଲବ୍ଧ ହେଉଛି । ଏଲପିଜି ଗ୍ୟାସ୍‌ ମୂଲ୍ୟ ବିଭିନ୍ନ ବ୍ୟାଗର ଆକାର ଉପରେ ନିର୍ଭର କରେ । ପାକିସ୍ତାନରେ ଏଲପିଜି ସିଲିଣ୍ଡର କିଣିବା ଲୋକଙ୍କ ବଜେଟ ବାହାରେ । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୪୧୧.୪୩ ଟଙ୍କା ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦,୦୦୦ ଟଙ୍କା ରହିଛି ।

ତେବେ ପ୍ଲାଷ୍ଟିକ୍ ବ୍ୟାଗରେ ଗ୍ୟାସ୍ ଭରି ରୋଷେଇ କରିବା କେତେ ବିପଦଜନକ ସମସ୍ତେ ଜାଣିଛନ୍ତି । କୌଣସି ବି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ଯିବାର ସମ୍ଭାବନା ରହିଛି । ହେଲେ ପାକିସ୍ତାନରେ ଗ୍ୟାସ ସିଲିଣ୍ଡରର ଅଭାବ ଥିବାରୁ ଲୋକଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ । ଏପଟେ ସରକାର କିନ୍ତୁ ନୀରବଦ୍ରଷ୍ଟା ସାଜିଛନ୍ତି ।