• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ବାଂଲାଦେଶରେ ଏବେ ଭୟଙ୍କର ଅବସ୍ଥା । ନୂଆ ସରକାର ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଛି । ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କ ପାଇଁ କେଶ୍ ଲଢିବାକୁ ଏବେ କୌଣସି ଓକିଲ ରାଜି ହେଉନାହାନ୍ତି । କାରଣ ଚିନ୍ମୟଙ୍କ ପାଇଁ ଆଗେଇ ଆସୁଥିବା ଓକିଲମାନଙ୍କୁ ବିଭିନ୍ନ ମିଛ ମାମଲାରେ ଛନ୍ଦି ଦିଆଯାଉଛି । ପ୍ରାୟ ୭୦ ଜଣ ଓକିଲଙ୍କ ନାମରେ ମିଛ କେଶ୍ କରାଯାଇଛି । ଏହି ଅଭିଯୋଗ କରିଛି ବାଂଲାଦେଶ ସମ୍ମିଳିତ ସନାତନୀ ଜୋତେ । ଏହି ସନାତନୀ ଜୋତେର ମୁଖପାତ୍ର ଅଛନ୍ତି ଚିନ୍ମୟ କୃଷ୍ଣ ।

ମଙ୍ଗଳବାର ଦିନ ଚିନ୍ମୟ କୃଷ୍ଣଙ୍କ ଜାମିନ ଆବେଦନର ଶୁଣାଣି କୋର୍ଟରେ ଥିଲା । କିନ୍ତୁ ତାଙ୍କ ପାଇଁ କେହି ଓକିଲ ଲଢିନଥିଲେ । ତେଣୁ କୋର୍ଟ ଆସନ୍ତା ମାସକୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଇସ୍କନ ପକ୍ଷରୁ କୁହାଯାଇଛି ଯେ, ଜଣେ ପୂଜକଙ୍କ ସପକ୍ଷରେ କେଶ୍ ଲଢୁଥିବା ଓକିଲଙ୍କୁ କିଛି ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଛନ୍ତି । ଏହି ଓକିଲ ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ତେଣୁ ମଙ୍ଗଳବାର ଶୁଣାଣି ବେଳେ ଚାଟୋଗ୍ରାମ କୋର୍ଟରେ କେହି ଓକିଲ ଚିନ୍ମୟ କୃଷ୍ଣଙ୍କ ତରଫରୁ ଉପସ୍ଥିତ ନଥିଲେ ।

ଓକିଲଙ୍କ ବିରୋଧରେ କୋଟୱାଲି ଥାନାରେ ମିଛ କେଶ୍ ହେଉଥିବାରୁ କେହି କେଶ୍ ନେବାକୁ ରାଜି ହେଉନାହାନ୍ତି ବୋଲି କହୁଛି ସନାତନୀ ଜୋତେ । ବାଂଲାଦେଶ ଗଣମାଧ୍ୟମରେ ଏ ସଂପର୍କରେ ଏକ ଖବର ପ୍ରକାଶ ପାଇଛି । କେତେକ ରାଜନୈତିକ ଗୋଷ୍ଠୀ ମଧ୍ୟ ପୂଜକଙ୍କ ସପକ୍ଷବାଦୀ ଓକିଲମାନଙ୍କୁ ଆକ୍ରମଣ କରୁଥିବାର ଅଭିଯୋଗ ହୋଇଛି ।

କୋଲକାତା ଇସ୍କନର ମୁଖପାତ୍ର ରାଧାରମଣ ଦାସ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯ, ଓକିଲ ରାମେନ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ତାଙ୍କର କେବଳ ଗୋଟିଏ ଭୁଲ୍ ହେଉଛି, ସେ ଚିନ୍ମୟ କୃଷ୍ଣଙ୍କ ପାଇଁ କେଶ୍ ଲଢୁଥିଲେ । କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି । ସେ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ତେବେ ବାଂଲାଦେଶର ଅନେକ ଓକିଲ ଏଭଳି ଘଟଣା ଘଟିନଥିବା କହୁଛନ୍ତି ।

ଅଧିକ ପଢନ୍ତୁ: ଆସିଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ସୈନ୍ୟବାହିନୀ ତାଲିକା; ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି

ଗତ ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ କେତେକ ସ୍ଥାନୀୟ ନ୍ୟୁଜ୍ ରିପୋର୍ଟରେ ପ୍ରକାଶ ପାଇଥିଲା, ଚିନ୍ମୟ କୃଷ୍ଣଙ୍କ ପାଇଁ ଲଢୁଥିବା ଓକିଲଙ୍କୁ ହତ୍ୟା କରାଯାଇଛି । କିନ୍ତୁ ପରେ ତଦନ୍ତରେ ଜଣାପଡିଥିଲା, ହତ୍ୟା କରାଯାଇଥିବା ଓକିଲ ସଇଫୁଲ୍ ଇସଲାମ ଜଣେ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ଥିଲେ । ସେ ଚିନ୍ମୟଙ୍କ ପାଇଁ କେଶ୍ ଲଢୁନଥିଲେ ।

ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରି ଗତ ମାସରେ ରାଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ସନାତନୀ ଜାଗରଣ ଜୋତେର ମୁଖପାତ୍ର ଚିନ୍ମୟ କୃଷ୍ଣଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ରୁଜୁ ହୋଇଛି । ସେ ଇସ୍କନର ଜଣେ ପ୍ରମୁଖ କର୍ମକର୍ତ୍ତା ଥିଲେ । ଗତ ମାସରେ ଚିନ୍ମୟ କୃଷ୍ଣଙ୍କ ଜାମିନ ନାମଞ୍ଜୁର ହେଲା ପରେ କୋର୍ଟ ବାହାରେ ହିଂସାକାଣ୍ଡ ଦେଖାଦେଇଥିଲା । ଏହି ଘଟଣାରେ ଜଣେ ଓକିଲଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ଭାଇ ୧୧୬ ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

ଅଧିକ ପଢନ୍ତୁ: ଐତିହାସିକ ଆଇନ୍ ! TikTok, Insta, X, SnapChat ବ୍ୟବହାରକୁ ନା... 

OTV is now on Whatsapp

Join and get latest news update delivered to you via whatsapp

Join Now