ଛଳନା କଲା ଇସ୍କନ । ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ । ଯାହାକୁ ନେଇ ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥପ୍ରେମୀ ଓ ସେବାୟତ ଇସ୍କନର ଏଭଳି ଛଳନାର ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି ଏ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ, ସରକାରଙ୍କର ସେଥିରେ ପୂର୍ଣ୍ଣ ସହମତ ରହିବେ ।
ସୁଧୁରିଲାନି ଇସ୍କନ! ରଥଯାତ୍ରା କରିବନି ବୋଲି ପ୍ରତିଶ୍ରୁତି ଦେଇ ଛଳନା କଲା । ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଅଦିନରେ ଆମେରିକା ହ୍ୟୁଷ୍ଟନରେ ନନ୍ଦିଘୋଷ ସଦୃଶ ରଥ ଗଡ଼ାଇଲା । ଭାବନାକୁ ଖାତିର ନାହିଁ, ବିରୋଧକୁ ପରୱା ନାହିଁ, ବିଧି ପରଂପରାକୁ ସମ୍ମାନ ନାହିଁ । ରଥରେ ଚତୁର୍ଦ୍ଧାମୂର୍ତ୍ତି ନଥିଲେ ସତ ହେଲେ ରାଧାକୃଷ୍ଣଙ୍କୁ ବସାଇ ନନ୍ଦିଘୋଷ ଭଳି ଦିଶୁଥିବା ରଥ ଟାଣୁଥିଲେ ଇସ୍କନ ଅନୁଗାମୀ ।
ସବୁଠୁ ବଡ଼ କଥା ହେଉଛି ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନର ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ରଥଯାତ୍ରାକୁ ବାତିଲ କରାଯାଇଥିବା ନେଇ ଗତ ୫ ତାରିଖରେ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଥିଲା ଇସ୍କନ ଭୁବନେଶ୍ୱର । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଥିଲା । ଏହାସତ୍ତ୍ୱେ ଇସ୍କନର ଏଭଳି ଛଳନାର ସବୁଠି ଛି ଛି । ଭକ୍ତଠୁ ନେଇ ସେବାୟତ ମହଲରେ ତୀବ୍ର ବିରୋଧ ।
Also Read
ଜଗନ୍ନାଥ ସଂସ୍କୃତି ପ୍ରତି ଇସ୍କନର ଏ ଅବମାନନା ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ମତ । ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ପାଖାପାଖି ମାସେ ବ୍ୟାପି ଅଦିନ ରଥଯାତ୍ରା ଆୟୋଜନର ପ୍ରଚାର ପ୍ରସାର ପରେ, ଗତ ୨୯ ତାରିଖରେ ପ୍ରଥମେ ଜଗନ୍ନାଥଙ୍କ ଆଦ୍ୟସେବକ ଖୋଦ୍ ଗଜପତି ମହାରାଜା ଏଥିରୁ ନିବୃତ୍ତ ରହିବାକୁ ଇସ୍କନକୁ ଚିଠି ଲେଖିଥିଲେ ।
ଏହାପରେ ଗତ ୫ ତାରିଖରେ କଡ଼ା ଆଭିମୁଖ୍ୟ ରଖି, "ଏଥର ଆମେ ଛାଡ଼ିବାନି, ବହୁତ୍ ହୋଇଗଲା" ବୋଲି ବି କହିବାକୁ ପଛାଇ ନଥିଲେ । ତେବେ ଗଜପତିଙ୍କ ଏ ତାଗିଦ୍ ସତ୍ତ୍ୱେ ବି ଇସ୍କନର ଛଳାନାପୂର୍ଣ୍ଣ ରଥଯାତ୍ରାର ଘୋର ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର । କହିଛନ୍ତି ସନାତନ ଧର୍ମ ପ୍ରତି ଏଭଳି ବୈଶ୍ୱିକ ଓ ଧାର୍ମିକ ଷଡ଼ଯନ୍ତ୍ର ପାଇଁ ଇସ୍କନକୁ ଆଗକୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିବ ।
ଅନ୍ୟପକ୍ଷରେ ଇସ୍କନ ଭୁବନେଶ୍ୱରର କହିବା କଥା ରଥଯାତ୍ରା ରଥକୁ ନେଇ ନୁହେଁ ଜଗନ୍ନାଥଙ୍କୁ ନେଇ ହୋଇଥାଏ । ଆମେ କାହା ଚାପରେ ନୁହେଁ, ଭାବନାକୁ ସମ୍ମାନ ଦେଇଥାଉ । ସେଥିପାଇଁ ହ୍ୟୁଷ୍ଟନ ରଥଯାତ୍ରାରେ ଜଗନ୍ନାଥ ନଥିଲେ ବୋଲି ସଫେଇ ଦେଇଛନ୍ତି ଇସ୍କନ ଭୁବନେଶ୍ୱରର ଉପସଭାପତି । ପୂର୍ବରୁ ଅଦିନ ରଥଯାତ୍ରାକୁ ନେଇ ଗଜପତିଙ୍କ ଚରମବାଣୀ ପରେ, ଏ ସଂପର୍କରେ ଆଜି ଆଇନମନ୍ତ୍ରୀ ବି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସରକାର ସେଥିରେ ପୂର୍ଣ୍ଣ ସହମତି ଦେବେ ।
ଗଜପତିଙ୍କ ବାରମ୍ବାର ହସ୍ତକ୍ଷେପ ପରେ ୨୦୨୧ରୁ ଇସ୍କନ ପକ୍ଷରୁ ଭାରତରେ ଅଦିନ ରଥଯାତ୍ରା ହେଉ ନଥିଲା ବେଳେ ବିଦେଶରେ ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଏଭଳି ଯାତ୍ରାର ପ୍ରତିବାଦରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛି ଏବେ ତା ଉପରେ ନଜର ।