ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ରାଷ୍ଟ୍ର ଗସ୍ତରେ ଥିବା ବେଳେ ଗତକାଲି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ପହଞ୍ଚିଛନ୍ତି । ପିଆରକୋ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ତ୍ରିନିଦାଦ ଓ ଟବାଗୋ ଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ଆଶା କରାଯାଉଛି ।
ତ୍ରିନିଦାଦ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଆର୍ଜେଣ୍ଟିନା ଗସ୍ତ କରିବେ । ଏହା ପରେ ନାମିବିଆ ଯାଇ ବିଭିନ୍ନ ରାଷ୍ଟ୍ର ଗସ୍ତ କାର୍ଯ୍ୟକ୍ରମ ଶେଷ କରିବେ । ବୁଧବାର ୫ ରାଷ୍ଟ୍ର ଗସ୍ତର ପ୍ରଥମ ଦିନରେ ଘାନା ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ରେ ସମ୍ମାନିତ କରାଯାଇଛି।
Also Read
ଅଧିକ ପଢନ୍ତୁ: 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଓ ପ୍ରଧାନମନ୍ତ୍ରୀ କମଲା ପର୍ସାଦ ବିସେସରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କମଲା ପର୍ସାଦଙ୍କୁ ମହାକୁମ୍ଭର ସଙ୍ଗମ ଓ ସରଯୂ ନଦୀର ପବିତ୍ର ଜଳ ଏବଂ ରାମ ମନ୍ଦିରର ଏକ ପ୍ରତିକୃତି ଉପହାର ସ୍ୱରୂପ ଦେଇଛନ୍ତି ମୋଦି ।
କୌଭାର ଜାତୀୟ ସାଇକ୍ଲିଙ୍ଗ ଭେଲୋଡ୍ରୋମରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି, ଆମେ ସମସ୍ତେ ଏକ ପରିବାରର ଅଂଶ । ତ୍ରିନିଦାଦ ଓ ଟବାଗୋରେ ୧୩ ଲକ୍ଷ ଲୋକ ରହୁଛନ୍ତି, ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ହେଉଛନ୍ତି ଭାରତୀୟ । ତ୍ରିନିଦାଦ ଓ ଟବାଗୋର ପ୍ରଧାନମନ୍ତ୍ରୀ କମଲା ପର୍ସାଦ ବିସେସର ମଧ୍ୟ ଭାରତୀୟ ବଂଶୋଦ୍ଭବ । କମଲା ପୂର୍ବରୁ ବିହାର ଯାଇଛନ୍ତି । ଲୋକମାନେ ତାଙ୍କୁ ବିହାରର ଝିଅ ବୋଲି କୁହନ୍ତି ।
ଏହି ଅବସରରେ କମଲା କହିଛନ୍ତି, ମୁଁ ଆଜି ଯାହା କିଛି ପାଇଛି, ସେ ସବୁ ମୋ ପୂର୍ବଜଙ୍କ ପାଇଁ । ମୋ ପୂର୍ବଜ ମାନେ ସେତେବେଳେ ଦେଶ ଛାଡିଥିଲେ, ଯେତେବେଳେ କୌଣସି ମୋବାଇଲ ଫୋନ୍ କି ସୋସିଆଲ ନେଟୱାର୍କ ସାଇଟ ନଥିଲା । ସେମାନେ ପାଠ ପଢିନଥିଲେ । କିନ୍ତୁ ନିଜ ସଂସ୍କୃତି ଓ ପରମ୍ପରାକୁ ନିଜ ସାଥିରେ ଧରି ଆସିଥିଲେ । ୨୦୧୨ରେ ବିହାର ଗସ୍ତ ବେଳର ସ୍ମୃତିକୁ ମନେ ପକାଇଥିଲେ କମଲା । ସେତେବେଳେ ଭେଲୁପୁରରେ ୯୦ ମିନିଟ୍ ଧରି ସ୍ୱାମୀ ଗ୍ରେଗୋରୀଙ୍କ ସହ ସମୟ ବିତାଇଥିଲେ । ସେ ନିଜକୁ ଭେଲୁପୁରର ନାତୁଣୀ ବୋଲି ସମ୍ବୋଧନ କରି ସେହି ମୁହୂର୍ତ୍ତକୁ ମନେ ପକାଇଥିଲେ ।
ଅଧିକ ପଢନ୍ତୁ: ଏମିତି କହିଦେଲେ ମୋଦି, ଆଶ୍ଚର୍ଯ୍ୟ ହୋଇଗଲେ ବାଚସ୍ପତି ଓ ସାଂସଦ
ସୂଚନାଯୋଗ୍ୟ, ୧୮୮୯ରେ କମଲାଙ୍କ ପୂର୍ବଜମାନେ ଶ୍ରମିକଭାବେ କାମ କରିବା ପାଇଁ ତ୍ରିନିଦାଦ ଓ ଟବାଗୋ ପଳାଇଥିଲେ । ୧୭୫ ବର୍ଷ ପୂର୍ବେ କାରିବିୟାନରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରାୟ ୧,୪୩,୦୦୦ ଭାରତୀୟଙ୍କୁ ତ୍ରିନିଦାଦ ଓ ଟବାଗୋ ଚାଲାଣ କରିଥିଲା ବ୍ରିଟିଶ । ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ହିନ୍ଦୁ ଓ ୧୪ ପ୍ରତିଶତ ମୁସଲିମ୍ ଥିଲେ । ବିଶେଷକରି ଉତ୍ତରପ୍ରଦେଶ, କୋଲକାତା ଓ ମାଡ୍ରାସ (ଚେନ୍ନାଇ)ରୁ ଯାଇଥିଲେ । ଏହି ଶ୍ରମିକମାନଙ୍କୁ ଗିରମିତିୟା ବୋଲି କୁହାଯାଉଥିଲା । ୧୯୬୦ ମସିହା ପର୍ଯ୍ୟନ୍ତ ଇଣ୍ଡୋ ତ୍ରିନିଦାଦମାନେ ଅବହେଳିତ ଓ ନିରକ୍ଷର ଥିଲେ । ସେଠାରେ ଭାରତ ଭଳି ଦୀପାବଳି, ହୋଲି, ନବରାତ୍ରୀ ଓ ରାମ ନବମୀ ଭଳି ପ୍ରମୁଖ ପର୍ବ ପର୍ବାଣୀ ପାଳନ କରାଯାଏ ।
୧୯୫୨ ମସିହା ଏପ୍ରିଲ ୨୨ରେ ଜନ୍ମ ଗ୍ରହଣ କରିଥିବା କମଲା ହେଉଛନ୍ତି ତ୍ରିନିଦାଦ ଓ ଟବାଗୋର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସେ ୨୦୧୦ରେ ଏହି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ୨୦୨୫ରେ ପୁଣି ତାଙ୍କ ଦଳ ଜିତିବା ପରେ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଛନ୍ତି ।