/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750422965.jpg)
PM Narendra Modi
ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ । ଆମେରିକାଠୁ ଅଧିକ ଜରୁରୀ ଜଗନ୍ନାଥ ଧାମ ଯିବା ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ କାନାଡ଼ା ଗସ୍ତରେ ଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ୱାସିଂଟନ ଆସିବାକୁ ସାଦର ନିମନ୍ତ୍ରଣ କରିଥିଲେ । କାନାଡା ଆସିଛନ୍ତି, ୱାସିଂଟନ ହୋଇ ଯିବେ । ସାଙ୍ଗ ହୋଇ ଖାଇବା, କଥା ହେବା କହିଥିଲେ । ହେଲେ ଓଡ଼ିଶା ଆସିବାର ଥିଲା ବୋଲି ମୁଁ ଟ୍ରମ୍ପଙ୍କୁ ମନା କଲି । ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ବୋଲି ତାଙ୍କୁ କହିଲି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ: ମୋଦିଙ୍କ ପାଇଁ ଦେଶ ଆଜି ସୁରକ୍ଷିତ, ବର୍ଷକରେ ବହୁ ଉପଲବ୍ଧି ମିଳିଛି: ମୋହନ ମାଝୀ
ଜୟ ଜଗନ୍ନାଥରୁ ଆରମ୍ଭ:
ଜନତା ମଇଦାନରେ 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି, ଓଡ଼ିଶାର ବିଜେପି ସରକାର ବର୍ଷେ ପୂରଣ କରିଛି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାର ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି । ଓଡ଼ିଶାରେ ବିଜେପି ସରକାରର ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି । ଏଠି ବିଜେପି ସରକାର ବନିଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା ।
ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି । ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ । ଓଡ଼ିଶା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଯୁଝୁଛି । ଏହାର ସମାଧାନ ପାଇଁ ବିଜେପି ସରକାର ପୂରା ଜୋର ଲଗାଇଛି । ଏଠାରେ ବିକାଶର ଡବଲ ଇଞ୍ଜିନ ଚାଲିଛି । ଆଜିର ଶିଳାନ୍ୟାସ ଓ ଉଦ୍ଘାଟନ ଡବଲ ଇଞ୍ଜିନର ପ୍ରଭାବ ।
ପୂର୍ବ ସରକାରକୁ ଟାର୍ଗେଟ:
ଏଥିସହ ପୂର୍ବ ବିଜେଡି ସରକାରକୁ ଭର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା । ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ । ଭ୍ରଷ୍ଟାଚାର ଦ୍ବାରା ଓଡ଼ିଶାର ଭିତ୍ତିଭୂମି ବେହାଲ୍ ଥିଲା । ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିଲା । ଏସବୁକୁ ଦୂର କରିବାକୁ ବିଜେପି ସରକାର ମଜବୁତର ସହ କାମ କରିଛି ।
ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ କିଛି ଦେଇ ନଥିଲା । ଆଦିବାସୀ ନକ୍ସଲବାଦ ହିଂସାରେ ଘାଣ୍ଟି ହେଉଥିଲେ । କିନ୍ତୁ ବିଜେପି ସରକାର ଏହା ଦୂର କରିବାରେ ସଫଳ ହୋଇଛି ।
ଆଜି ଆଦିବାସୀ ସମାଜକୁ ନକ୍ସଲବାଦରୁ ମୁକ୍ତି ମିଳିପାରିଛି । ପୂର୍ବରୁ କେନ୍ଦ୍ରର କିଛି ଯୋଜନାର ପୂରା ଲାଭ ଓଡ଼ିଶାକୁ ମିଳୁ ନଥିଲା । ମାତ୍ର ଏବେ ବିଜେପି ସରକାରରେ ଏହା ସମ୍ଭବ ହୋଇପାରିଛି ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)