• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା । ତେବେ ଜାହାଜଟି ବ୍ରିଟିଶ କମ୍ପାନୀର ମାଲିକାନାରେ ଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ଏହାକୁ ଇସ୍ରାଏଲର ବୋଲି କହିଛନ୍ତି ।

ୟେମେନର ହାଉଥି ବିଦ୍ରୋହୀ ଜାହାଜକୁ ହାଇଜାକ୍ କରିଥିବା ଅନୁମାନ । ଜାହାଜର ନାଁ ଦି ଗ୍ୟାଲେକ୍ସି ଲିଡର ଭେସେଲ । ୨୫ କର୍ମଚାରୀ ଆତଙ୍କବାଦୀଙ୍କ ପାଖରେ ପଣବନ୍ଦୀ ହୋଇ ରହିଛନ୍ତି । ଭାରତକୁ ଆସୁଥିବା ବେଳେ ହେଲା ହାଇଜାକ । ତେହେରାନ ସହଯୋଗୀ ହାଉତିମାନେ ଗାଜାପଟିରେ ଲଢ଼ୁଥିବା ହାମାସ ଆତଙ୍କବାଦୀଙ୍କ ପ୍ରତି ସମର୍ଥନ ଜଣାଇ ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ ମହାସାଗରରେ ପଶିଲା ଚୀନ୍‌ର ଗୁପ୍ତଚର ଜାହାଜ

ଇସ୍ରାଏଲ ଉପରକୁ ଡ୍ରୋନ ଓ ରକେଟ ମାଡ଼ ଜାରି ରହିଛି । ସେପଟେ ଇସ୍ରାଏଲ ମଧ୍ୟ ନଛୋଡ଼ନ୍ଧା । ହାମାସ ମୂଲପୋଛ ନହେବା ଯାଏଁ ଯୁଦ୍ଧ ଜାରି ରହିବ ବୋଲି ଘୋଷଣା କରିଛି ଇସ୍ରାଏଲ । ଅନ୍ୟପଟେ ହମାସ ଆତଙ୍କବାଦୀଙ୍କ ସାଥ ଦେଉଛନ୍ତି ହାଉତିମାନେ । ଏଣୁ ଜାହାଜ ହାଇଜାକ ନେଇ ହାଉତିଙ୍କୁ ଧନ୍ୟବାଦ ଜଣାଇଛି ହାମାସ ।

ହାଇଜାକ୍ ହୋଇଥିବା ଜାହାଜର ୨୫ କର୍ମଚାରୀଙ୍କୁ ପଣବନ୍ଦୀ ରଖିଛନ୍ତି ଆତଙ୍କବାଦୀ ଗୋଷ୍ଠୀ । ଜାହାଜରେ ୟୁକ୍ରେନ, ବୁଲଗେରିଆ, ଫିଲିପାଇନ୍ସ, ମେକ୍ସିକୋ ଆଦି ରାଷ୍ଟ୍ରର ୨୫ କର୍ମଚାରୀ ରହିଛନ୍ତି । ଆଗରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ । ଆଉ ସତକୁ ସତ ଦି ଗ୍ୟାଲେକ୍ସିକୁ ଲୋହିତ ସାଗରୁ ହିଁ ହାଇଜାକ କରାଯାଇଛି ଏବଂ ୟେମେନର ଏକ ବନ୍ଦରକୁ ନିଆ ଯାଇଥିବା ଜଣା ପଡ଼ିଛି ।

ଏହି ଜାହାଜର ମାଲିକ ଇସ୍ରାଏଲର ନାଗରିକ ହୋଇଥିବା ସନ୍ଦେହ କରି ହାଉଥି ଗ୍ରୁପ୍ ଅପହରଣ କରିଥିବା ସନ୍ଦେହ କରାଯାଉଛି । ସିପିଂ ବିଜନେସ ମ୍ୟାନ୍ ରାମି ଉନଗର ଏହି ଜାହାଜର ମାଲିକ ବୋଲି ସୂଚନା ମିଳିଛି । କିନ୍ତୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍ପଷ୍ଟ କରିଛି ଯେ, ଏହି ଜାହାଜ ସହିତ ଇସ୍ରାଏଲର କୌଣସି ସଂପର୍କ ନାହିଁ ।

ଏପରିକି କୌଣସି କର୍ମଚାରୀ ମଧ୍ୟ ଇସ୍ରାଏଲ ନାଗରିକ ନୁହନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ଇରାନର ହାତ ଅଛି । ଇରାନର ଇସାରାରେ ହାଉଥି ଗ୍ରୁପ୍ ଏହି ଜାହାଜକୁ ହାଇଜାକ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମଝି ସମୁଦ୍ରରେ କେମିତି ବୁଡ଼ିଲା ଟାଇଟାନିକ୍ ଜାହାଜ, ଖୋଲିବ ରହସ୍ୟ...

ହାଉତି ପକ୍ଷରୁ ଯେଉଁ ହାଇଜାକର ଭିଡ଼ିଓ ଜାରି କରା ଯାଇଛି,ସେଥିରେ ଦେଖା ଯାଉଛି ଯେ, ଏକ ହେଲିକପ୍ଟର ଯୋଗେ ହାଉତି ଆତଙ୍କବାଦୀମାନେ ଆସୁଛନ୍ତି । କିଛି ସମୟ ମଧ୍ୟରେ ବନ୍ଧୁକ ଧରି ଜାହାଜରେ ପ୍ରବେଶ କରୁଛନ୍ତି । ପରେ ପରେ ଗୁଳି ବର୍ଷା ମଧ୍ୟ ଆରମ୍ଭ ହୋଇ ଯାଉଛି । ପ୍ରଥମେ ଜାହାଜର କ୍ୟାପଟେନକୁ ବନ୍ଦୀ କରିବା ପରେ ପରେ ପୁରା ଜାହାଜକୁ କବ୍ଜାକୁ ନେଇ ଯାଉଛନ୍ତି ।