• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଖାଳ । ଓଡ଼ିଶା ଓ ପ୍ରତିଟି ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ । ଅତି ପ୍ରିୟର ଖାଦ୍ୟ । କଂସାଏ ପଖାଳ, ଓଡିଆଙ୍କ ପାଇଁ ଅମୃତ ସମାନ l ପଖାଳ ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ,ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ହେଲେ ଏବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ଓଡ଼ିଆ ଘରର ଏହି ପରମ୍ପରା ।

ବିଲ ହୁଡାରୁ ବଡ଼ ରେସ୍ତୋରାଁ କୁଡିଆରୁ ଫାଇଭ୍ ଷ୍ଟାର ହୋଟେଲ, ସବୁଠି ପଖାଳର ମହକ । ଓଡ଼ିଆ ଘରର ସବୁଠୁ ପ୍ରିୟ ଖାଦ୍ୟ ପଖାଳର ଆସର । କେଉଁଠି କଂସାଏ ପଖାଳ ସାଙ୍ଗକୁ ପାରମ୍ପରିକ ବଡିଚୁରା, ଆଳୁ ବାଇଗଣ ଭରତା, ଶାଗ ଭଜା ଓ ଟମାଟୋ ପୋଡା ତ କେଉଁଠି ୬ ତିଅଣ, ୯ ଭଜା । ମେନୁରେ ଭଳିକି ଭଳି ପଖାଳ କଂସାକୁ ମେଂଚାଏ ଆଇଟମ୍ ।

ଅଧିକ ପଢ଼ନ୍ତୁ: ପଖାଳ...ନାଁ ଶୁଣିଲେ ମାତ୍ରେ ଓଡ଼ିଆଙ୍କ ପାଟିରୁ ଲାଳଗଡେ

ସୋମବାର ଥିବାରୁ ପଖାଳକୁ ବେଶ୍ ସୁହାଇଛି ସାଦା ଅଇଟମ୍ । ଖାଇବା ପୂର୍ବରୁ ଖାଦ୍ୟ ଦେଖି ମନ ଭରି ଯାଉଥିଲା । ପଖାଳ ଦିବସ ପାଇଁ ଚାଳିଆରୁ ବଡ ହୋଟେଲ ଯାଏଁ ସବୁଠି ହୋଇଥିଲା ସ୍ୱତନ୍ତ୍ର ପ୍ରସ୍ତୁତି । ଗ୍ରାହକଙ୍କୁ ଟାଣିବାକୁ ତିଆରି ହୋଇଥିଲା ସ୍ପେଶାଲ ମେନୁ ।

ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ । ଆମ୍ବକଷି ଅଦା ସାଙ୍ଗକୁ ପଞ୍ଚଫୁଟଣର ଛୁଙ୍କ । ବାସ୍ନାରେ ଭର୍ତ୍ତି କଂସାଏ ପଖାଳରେ ମନ ଭରିଯାଏ । ଏଇ ଯେମିତି ରାଜଧାନୀ କଳ୍ପନା ଛକର ରବି ଭାଇ । ପକେଟକୁ ଦେଖି ପେଟ କଥା ବୁଝନ୍ତି । ୨୦ ଟଙ୍କାରେ ପେଟପୁରା ଖାଇବା । ଅନ୍ୟ ହୋଟେଲ ଓ ରେସ୍ତୋରାଁ ବି ଗ୍ରାହକଙ୍କ ଚାହିଦା ଦେଖି ଆଇଟମ୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କ ଟ୍ୱିଟ୍ କରି ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ । ବର୍ଷ ତମାମ ପଖାଳ ଖାଇଲେ ବି ପଖାଳ ଦିବସରେ ପଖାଳ ଖାଇବାର ମଜା ଅଲଗା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପଖାଳ ଓଡ଼ିଶା ର ସଂସ୍କୃତି ଏବଂ ଓଡ଼ିଆଙ୍କ ଭାବାବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ ବୋଲି କହିଛନ୍ତି ବୈଜୟନ୍ତ ।

ପୁରୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପଖାଳ ଖାଇଥିବା ବେଳେ ଭୁବନେଶ୍ୱର ସହିଦ ନଗର ଦୁର୍ଗା ମଣ୍ଡପରେ ଏକାଠି ପଖାଳ ଦିବସ ପାଳିଛନ୍ତି ରାଜ୍ୟ ବିଜେପି ନେତା । ପଖାଳ ଦିବସରେ ପଖାଳ ଖାଇବାରୁ ବାଦ୍ ପଡିନାହାନ୍ତି ବିଜେଡି ନେତା । ସେପଟେ ଶୁଭେଚ୍ଛୁଙ୍କ ସହ ଏକାଠି ପଖାଳ ଖାଇଛନ୍ତି ବିଧାୟକ ସୁର ରାଉତରାୟ ।

ସ୍ୱାସ୍ଥ୍ୟ ପାଇଁ ଏକ ସୁଖାଦ୍ୟ । ସନ୍ତୁଳିତ, ସୁଷମ, ଉପାଦେୟ। ପଖାଳ କଂସାଏ ଖାଇ ତୋରାଣି ଟିକେ ପିଇଦେଲେ ପେଟ, ମନ ସବୁ ଥଣ୍ଡା । ପଖାଳରେ ଥିବା ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ପାଇଁ ଡାକ୍ତର ବି ଏହାକୁ ଖାଇବାକୁ ପରାମର୍ଶ ଦିଅନ୍ତି । ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ପଖାଳ ଖାଇବା ସହ କହିଛନ୍ତି, ଓଡ଼ିଆଙ୍କ ଖାଦ୍ୟ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ସୁବାସିତ ପଖାଳ ।

ଏବେ ପଖାଳ ଆଉ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ । ଗରିବରୁ ଧନୀ, ସମସ୍ତଙ୍କ ପାଇଁ ପାଲଟିଛି ପ୍ରିୟ ଖାଦ୍ୟ ।