Advertisment

Maha Shivaratri: ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ, ଚିନ୍ତା ବଢାଇଛି କୁମ୍ଭୀର

ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ତେବେ ଡଙ୍ଗାରେ ଯାଉଥିବା ଯାତ୍ରୀମାନଙ୍କ ପାଇଁ କୁମ୍ଭୀର ପ୍ରତି ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ । ନଦୀରେ କୁମ୍ଭୀର ଥିବାରୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Maha Shivaratri

Maha Shivaratri

ଆସନ୍ତା ଫେବ୍ରୁଆରୀ ୨୬ରେ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ବା ଜାଗର ଯାତ୍ରା। ଏହି ଅବସରରେ ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ଆରଡିପୀଠ ଅତିଥି ଅଭ୍ୟର୍ଥନା ସଭାଗୃହରେ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯିବା ସହ ନୂତନ ମୁଖଚାଳି ଦ୍ୱାର ଠାରୁ ନଦୀଘାଟ ରାସ୍ତା ପର୍ଯ୍ୟନ୍ତ ୩ ଥାକିଆ ଧାଡି ବ୍ୟବସ୍ଥା କରାଯିବ। 

Advertisment

ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧାଡି କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ତେବେ ଡଙ୍ଗାରେ ଯାଉଥିବା ଯାତ୍ରୀମାନଙ୍କ ପାଇଁ କୁମ୍ଭୀର ପ୍ରତି ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ । ନଦୀରେ କୁମ୍ଭୀର ଥିବାରୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।

ଅନ୍ୟ ପଟେ ଭକ୍ତମାନଙ୍କ ଯାତାୟତର ସୁବିଧା ନିମନ୍ତେ ପୀଠକୁ ସଂଯୋଗ କରୁଥିବା ଭଦ୍ରକ - ଆରଡି ମୁଖ୍ୟରାସ୍ତାର ତୁରନ୍ତ ମରାମତି ସହ ସମସ୍ତ ରାସ୍ତାର ମରାମତି ଆସନ୍ତା ୧୨ତାରିଖ ମଧ୍ୟରେ ସାରିବାକୁ ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧିକାଂଶ ଭକ୍ତ ବୈତରଣୀ ଓ ସାଳନ୍ଦୀ ନଦୀର ଥିବା ମୁଆଁ, ତିନିତର ଓ ଧାନଖଣିଆ ଘାଟରେ ମଟରଚାଳିତ ଡଙ୍ଗାରେ ପାରି ହୋଇ ଆସିଥାଆନ୍ତି । ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟାରୁ ନଦୀଘାଟ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଆବଶ୍ୟକତା ଠାରୁ ଅଧିକ ଲୋକ ପାର ନକରିବା ଓ ନଦୀରେ କୁମ୍ଭୀର ଥିବାରୁ ସର୍ତକତା ନିମନ୍ତେ ସୂଚନା ଫଳକ ଲଗାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ପୀଠରେ ପରିମଳ, ଆଲୋକ, ପାନୀୟଜଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ୩ ଦିନ ଧରି ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

Advertisment

ଅଧିକ ପଢ଼ନ୍ତୁ : ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ, ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହେଉଛି ଗୁମ୍ଫା

ସେହିପରି ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଜଳପଥର ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ବିଶେଷକରି ଭକ୍ତମାନଙ୍କର ଗହଳି ସମୟରେ ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ରହିବା ସହ ଆକାଶମାର୍ଗରୁ ଡ୍ରୋନ କ୍ୟାମେରାରେ ଭିଜୁଆଲ୍ କଏଦ୍ କରାଯିବ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୀଠରେ ସଂଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯିବ । ପୀଠରେ ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହି ବୈଠକରେ ଡେପୁଟି କଲେକ୍ଟର ତଥା ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ, ଚାନ୍ଦବାଲି ତହସିଲଦାର ଭବପ୍ରସାଦ ମଲ୍ଲିକ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର, ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚ ପ୍ରଦାଧିକାରୀ ଯୋଗ ଦେଇଥିଲେ। ମହାଶିବରାତ୍ରୀ ଦିନ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ବନ୍ଧରେ ବରିଷ୍ଠ ସେବାୟତ ବିଜୟ କୁମାର ଦାଶ ସୂଚନା ପ୍ରଦାନ କରିଥିଲେ।

ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ । ପରେ ପରମ୍ପରା ଅନୁଯାୟୀ କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଭୋଗ ଲାଗି ଓ ଜଳାଭିଷେକ ନୀତି ସମ୍ପନ୍ନ ହେବ। ସକାଳ ୫ଟା ସୁଦ୍ଧା ପାଳିଆ ସେବାୟତଙ୍କ ପକ୍ଷରୁ ବଢାଭାତ (ଖେଚୁଡି ଅନ୍ନ) ଭୋଗ ଲାଗି କରାଯିବା ସହ ରାତ୍ର ୧୧ଟା ଯାଏଁ ଭକ୍ତମାନଙ୍କର ଦର୍ଶନ ପାଇଁ ସାହାଣ ମେଲା ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଅଧିକ ପଢ଼ନ୍ତୁ : ଆଶ୍ଚର୍ଯ୍ୟଜନକ ଦୃଶ୍ୟ! କେଉଁଠି ପୁଅ ଧରିଛି ମା’ର ହାତ… କେଉଁଠି ୩ ପିଢି ଏକାଠି

Bhadrak Mahashivratri Akhandalamani Temple Baba Akhandalmani
Advertisment
Advertisment